ଚାକିରି ଖଣ୍ଡିକ ମିଳାନ୍ତା କି?

ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଅନ୍ଧ ବାପା ଓ ତାଙ୍କ ଶିକ୍ଷିତ ଝିଅ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): “ଚାକିରି ଖଣ୍ଡିକ ମିଳନ୍ତା କି ? ମୋ ଶିକ୍ଷିତ ଝିଅ ପାଇଁ ।” ଏଭଳି ଆଶା ନେଇ ଆଜି ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଅନ୍ଧ ବାପା ଓ ତାଙ୍କ ଉଚ୍ଚ ଶିକ୍ଷିତ ଝିଅ । ତେବେ ଜିଲ୍ଳାପାଳ ଅନୁପସ୍ଥିତ ରହିଥିବା ବେଳେ ଅତିରିକ୍ତ ଜିଲ୍ଳାପାଳ ମଧ୍ୟ ଯୁଗ୍ମ ଅଭିଯୋଗ ଶୁଣାଣୀ ନିମନ୍ତେ ଗୁଡାରୀ ବ୍ଳକକୁ ଯାଇଥିଲେ । ଫଳରେ କାହାରିକୁ ଭେଟି ନ ପାରି ମନ ଦଃୁଖରେ ଘରକୁ ଫେରି ଯାଇଥିଲେ ଅନ୍ଧ ବାପା ଓ ଝିଅ । ବିଡମ୍ବନାର ବିଷୟ ଅନ୍ଧ ବାପା ହେଲେ ଜଣେ ଭିକ୍ଷୁକ । ସେ ଘର ଘର ବୁଲି ଭିକ୍ଷା ମାଗି ନିଜ ୪ପ୍ରାଣୀ କୁଟୁମ୍ବକୁ ପୋଷନ୍ତି । ଏମିତି ଘୋର ଅଭାବ ଅନଟନ ମଧ୍ୟରେ ବହୁ କଷ୍ଟରେ ନିଜ ସାନ ଝିଅକୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରାଇ ପାରିଛନ୍ତି । ହେଲେ କଣ ହେବ । ସରକାରୀ ତଥା ବେସରକାରୀ ସ୍ତରରେ ମଧ୍ୟ ଚାକିରି ଖଣ୍ଡିଏ ପାଇ ପାରୁନାହାନ୍ତି । ସ୍ୱାବଲମ୍ବୀ ହେବା ପାଇଁ ମଧ୍ୟ ଅର୍ଥ ସାଜିଛି ବାଧକ । ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ ଝିଗିଡି ଗ୍ରାମ ପଂଚାୟତ ସଦର ଝିଗିଡି ଗ୍ରାମର କାରିଗର ସାହିରେ ରହୁଛନ୍ତି ରାଇଫୁଲ ଉର୍ଲାକା । ତାଙ୍କ ପତ୍ନୀ ହାରାବତିଙ୍କ ସମେତ କେବଳ ଦୁଇଟି ଝିଅ ଭାଗ୍ୟ ଓ ଚନ୍ଦ୍ରାବତୀ । ରାଇଫୁଲ ପିଲାଟି ଦିନରୁ ଅନ୍ଧ ହୋଇଥିବା କାରଣରୁ ଅନ୍ୟ କୈାଣସି କାର୍ଯ୍ୟ କରି ପାରୁ ନ ଥିବାରୁ ସେ ଭିକ୍ଷାବୃତି କରିବା ସହ ବାଉଁଶରେ କିଛି ଉପକରଣ ପ୍ରସ୍ତୁତ କରି ନିଜ ପରିବାର ଭରଣ ପୋଷଣ କରୁଛନ୍ତି । ଆଉ ସରକାରୀ ସହାୟତା କହିଲେ ମିଳୁଛି କେବଳ ମାସିକ ଭତା ୫ଶହ ଟଙ୍କା । ଏତିକିରେ ତାଙ୍କ ପରିବାର ଭରଣ ପୋଷଣ ହେଉ ନ ଥିବା ବେଳେ ବାଉଁଶ ମଧ୍ୟ ଠିକ୍ ଭାବେ ମିଳୁ ନ ଥିବା ବେଳେ ଅଧିକ ଦାମ ଦେଇ ବାଉଁଶ କିଣିବା ରାଇଫୁଲ ସମର୍ଥ ହୋଇ ପାରୁ ନାହାନ୍ତି । ଅପରପକ୍ଷେ ସାନ ଝିଅ ଚନ୍ଦ୍ରାବତୀ ଘରର ଗରିବୀ ଅବସ୍ଥାରେ ମଧ୍ୟ ନିଜକୁ ପାଠ ସହ ଜଡିତ ରଖି ତଥା ପାଠ ପଢିବାର ଇଚ୍ଛାଶକ୍ତି ପାଇଁ ସେ ୨୦୧୯ ମସିହାରେ ବିଷମକଟକ ସ୍ଥିତ ମା ମାର୍କମା ମହାବିଦ୍ୟାଳୟରେ ଯୁକ୍ତ ୩ ରେ ଉତୀର୍ଣ୍ଣ ହୋଇଥିଲେ । ପରେ ୨୦୨୦ବର୍ଷରେ ଡିଡିୟୁଜିକେୱାଇ ଯୋଜନା ମାଧ୍ୟମରେ ସିଲେଇ ତାଲିମ ଗ୍ରହଣ କରିଥିଲେ । ତେବେ ଆଜି ପର୍ଯ୍ୟନ୍ତ ସେ କୈାଣସି ବି ସ୍ଥାନରେ ନିଯୁକ୍ତ ହୋଇ ପାରି ନ ଥିବା ବେଳେ ଆଜି ମଧ୍ୟ ଅନ୍ଧ ବାପାଙ୍କ ଭିକ୍ଷାବୃତିରେ ତାଙ୍କ ଘରେ ଚୁଲି ଜଳୁଛି ।

ଅନ୍ଧ ବାପା ନିଜ ଝିଅକୁ ନେଇ ଜିଲ୍ଳାପାଳଙ୍କୁ ପୂର୍ବରୁ ଥରେ ଦୁଇଥର ଭେଟି ସାରିଥିବା ବେଳେ ଝିଅର ଯୋଗ୍ୟତା ଅନୁଯାୟୀ ଯେ କୈାଣସି ସରକାରୀ ତଥା ବେସରକାରୀ ସଂସ୍ଥାରେ ଅନଲାଇନ ମାଧ୍ୟମରେ ଆବେଦନ କରି ପରୀକ୍ଷା ଦେବା ପାଇଁ ଜିଲ୍ଳାପାଳ କହିଥିବା ନେଇ ଚନ୍ଦ୍ରାବତୀ ପ୍ରକାଶ କରିଛନ୍ତି । ଏଥି ମଧ୍ୟରେ ସେ ଅନଲାଇନରେ ଆବେଦନ କରି ଆସନ୍ତା କାଲି ମାର୍ଚ୍ଚ ୯ତାରିଖରେ ବ୍ରହ୍ମପୁର ସ୍ଥିତ ଗୋଳନ୍ଥରା ଠାରେ ଷ୍ଟାଫ୍ ସିଲେକ୍ସନ କମିଶନରରେ ମଲଟି ଟାସ୍କିଂ ଷ୍ଟାଫ୍ ଏଣ୍ଡ ହବଲଦାର (ସିବିଆଇସି ଓ ସିବିଏନ)ପରୀକ୍ଷା ନିମନ୍ତେ ଚୟନ ହୋଇ ପରୀକ୍ଷା ଦେବାକୁ ବାହାରିଛନ୍ତି । ଏ ନେଇ ସେ ଜିଲ୍ଳାପାଳଙ୍କୁ ଭେଟି ନିଜ ଗୁହାରୀ ପୁଣି ଥରେ ଜଣାଇବା ପାଇଁ ଅନ୍ଧ ବାପା ନିଜ ଝିଅ ସହ ରାୟଗଡା ଆସିଥିଲେ । ବଡ ଝିଅ ଚତୁର୍ଥ ଶ୍ରେଣୀରୁ ପାଠ ବନ୍ଦ କରି ଦେଇଥିବା ବେଳେ ଘରେ ତାଙ୍କ ପତ୍ନୀ ମଧ୍ୟ ରୋଗରେ ପୀଡିତ ହୋଇ ଘର କାର୍ଯ୍ୟ କରୁଥିବା ଅନ୍ଧ ବାପା ରାଇଫୁଲ ପ୍ରକାଶ କରିଛନ୍ତି । ଶିକ୍ଷିତ ଝିଅଟି କେଉଁ ଠାରେ ଚାକିରି ଖଣ୍ଡିକ ପାଇଲେ ଭିକ୍ଷାବୃତିରୁ ନିବୃତ ହେବା ସହ ଘର ଚଳିବାରେ ମଧ୍ୟ ସେତେଟା ଆଉ କଷ୍ଟ ହୋଇ ନ ଥାନ୍ତା ବୋଲି ଅନ୍ଧ ବାପା ରାଇଫୁଲ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.