ନିରାଶ ହେଲେଣି ହିତାଧୀକାରୀ; ମାସ ମାସ ଧରି ମିଳୁନାହଁ ବାର୍ଦ୍ଧକ୍ୟ ଭତା

୫୦୦ଶହ ଟଙ୍କା ପାଇଁ ପରିଣତ ବୟସରେ ଧାଇଁବାକୁ ପଡୁଛି ବ୍ୟାଙ୍କ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପରିଣତ ବୟସରେ ଘରେ ବିଶ୍ରାମ ନେଇ ରହିବାକୁ କିଏ ବା ନ ଚାହେଁ । ହେଲେ ସରକାରଙ୍କ ତରଫରୁ ମିଳୁଥିବା ବାର୍ଦ୍ଧକ୍ୟ ଭତା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଭତା ଠିକ୍ ସମୟରେ ମିଳୁ ନ ଥିବାରୁ ଟାଣ ଖରାରେ କିମ୍ବା ମୂଶଳଧାରାର ବର୍ଷା ହେଉ କି ହାଡଭଙ୍ଗା ଶୀତରେ ବାଧ୍ୟ ହୋଇ ଘରୁ ପାଦ କାଢି ବ୍ୟାଙ୍କ ଧାଇଁବାକୁ ପଡୁଛି ବରିଷ୍ଠ ନାଗରିକ ହିତାଧୀକାରୀଙ୍କୁ । ମାସ ମାସ ଧରି ଭତା ନ ପାଇ ନିରାଶ ହେଲେଣି ହିତାଧୀକାରୀ । ବ୍ଳକ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁ ନ ଥିବାରୁ ଆଜି ରାୟଗଡା ଜିଲ୍ଳାପାଳଙ୍କୁ ଏ ନେଇ ସିଧାସଳଖ ଅଭିଯୋଗ ଜଣାଇବୁ ଏବଂ ଭତା ପ୍ରଦାନ ପାଇଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ବ୍ୟବସ୍ଥା କରିବାକୁ ଅନୁରୋଧ କରିବାକୁ ଆସିଥିଲେ ରାୟଗଡା ଜିଲ୍ଳା କୋଲନରା ବ୍ଳକ କେଲିଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ପାଇକପଡା ଗ୍ରାମର ଆଦିବାସୀ ସାହିର ୨୫ରୁ ଉର୍ଦ୍ଧ ବୟସ୍କ ହିତାଧିକାରୀମାନେ । ଏପରିକି ଗ୍ରାମରେ ଆହୁରି ଅନେକ ହିତାଧିକାରୀ ଭତା ନ ପାଇଥିବା ବେଳେ ପ୍ରଶାସନ ପାଖରେ କରାଯାଉଥିବା ଅଭିଯୋଗର କୈାଣସି ସୁଫଳ ନ ମିଳିବା ଆଶା କରି ଆସିଥିବା ହିତାଧିକାରୀଙ୍କ ସହ ସେମାନେ ସାମିଲ ହୋଇ ନ ଥିବା ଜଣାପଡିଛି । ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତା ବାବଦକୁ ମିଳୁଥିବା ୫୦୦ଟଙ୍କା ପାଇଁ ମାସକୁ ଦୁଇରୁ ତିନିଥର ବ୍ୟାଙ୍କକୁ ଯିବା ଆସିବା କରିବାରେ ଅଧା ଟଙ୍କା ଖର୍ଚ୍ଚ ହୋଇ ଯାଉଥିବା ବେଳେ ବଳକା ଟଙ୍କାରେ ମାସକରେ ଔଷଧ ତଥା ଅନ୍ୟ କିଛି କିଣିବା ଆଉ ସମ୍ଭବପର ହୋଇପାରୁ ନାହିଁ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି । ଭତା ଟଙ୍କା ଖାତାରେ ନ ଚଢୁ ଥିବାରୁ ଏ ନେଇ କୋଲନରା ବ୍ଳକ ସାମାଜିକ ସୁରକ୍ଷା ବିଭାଗୀୟ ଅଧିକାରୀଙ୍କ ଠାରେ ଅନେକ ସମୟରେ ହିତାଧିକାରୀମାନେ ଅଭିଯୋଗ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁ ନ ଥିବା ହିତାଧିକାରୀମାନେ ଅଭିଯୋଗ କରୁଥିବା ବେଳେ ଏହି ଭତା ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମା କରାଯାଉଥିବା ଏବଂ ହିତାଧିକାରୀଙ୍କ ଆଧାର କାର୍ଡ ତଥା କେୱାଇସିରେ ସଠିକ୍ ତଥ୍ୟ ଉପସ୍ଥାପନା ହେଉ ନ ଥିବା ଓ ହିତାଧିକାରୀମାନେ ବ୍ୟାଙ୍କ ଜମା ଖାତାକୁ ଅପଡେଟ୍ ରଖୁ ନ ଥିବାରୁ ଅନେକ ସମୟରେ ଭତା ମିଳୁ ନ ଥିବା ଭଳି ଅଭିଯୋଗ ହେଉଛି ତଥାପି ହିତାଧିକାରୀଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ସେମାନଙ୍କୁ ଭତା ଟଙ୍କା ପ୍ରଦାନରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ପାଇକପଡା ଗ୍ରାମର ହିତାଧିକାରୀ ସିଲିକା କଲାକା ଓ ନିଲେଇ କଲକା ଦୀର୍ଘ ୧୧ମାସ ଏବଂ ସାବିତ୍ରୀ ପେଦେଂଟି ୫ମାସ ଧରି ବାର୍ଦ୍ଧକ୍ୟ ଭତା ପାଇ ନ ଥିବା ବେଳେ ଯମୁନା ପ୍ରଧାନୀ ଦୀର୍ଘ ୮ମାସ ହେଲା ନିଜ ବିକଳାଙ୍ଗ ଭତା ପାଇ ନାହାନ୍ତି । ସେହିପରି ଗ୍ରାମର ଅଁଳା କଂଜାକା, ପ୍ରଧାନୀ ପାରୋ, ହିମିରିକା ଡୋମେଇ, ଅମ୍ବିକା ହିକକା, ରାଲିକା ଫୁଲମତି, କଂଜକା ସିଙ୍ଗାରି, ଆଦିଗା ସାରକା, ମାଗଥା ପାଲକା, କୁନି ହିମିରିକାଙ୍କ ସମେତ ଅନ୍ୟ ହିତାଧିକାରୀମାନେ ଗତ ୩ମାସ ହେଲା ନିଜ ବାର୍ଦ୍ଧକ୍ୟ ଭତା ପାଇ ନ ଥିବା ଜଣାପଡିଛି । ଏତେ ସଂଖ୍ୟକ ହିତାଧିକାରୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚିଥିବା ଖବର ପାଇ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କର୍ମଚାରୀ ସୋମନାଥ ଏବଂ କୋଲନରା ବ୍ଳକ ସାମାଜିକ ସୁରକ୍ଷା ବିଭାଗ ପ୍ରୋଗ୍ରାମ ଆସିଷ୍ଟାଂଟ ପି.ରାଜଶେଖର ପ୍ରମୁଖ ପଂହଚି ହିତାଧିକାରୀମାନଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଭତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ହିତାଧିକାରୀମାନେ ଫେରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.