କୋର୍ଟରୁ ମିଳୁନି ଆଶ୍ୱସ୍ତି; ମେ ୨୩ ଯାଏ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି

ଓଡ଼ିଆ ବାର୍ତ୍ତା/ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ବଢ଼ି ଚାଲିଛି।  ଆଜି ପୁଣି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ସିସୋଦିଆଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ବୃଦ୍ଧି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ସିବିଆଇ ଶନିବାର ମନୀଷଙ୍କ ବିରୋଧରେ ୬୨୨ କୋଟି ଟଙ୍କାର ବେଆଇନ କାରବାର ଅଭିଯୋଗ ଆଣିଥିଲା। ଆଉ ଆଜି ଇଡି ତାଙ୍କୁ ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଇଥିଲା। ତେବେ ଇଡି ପକ୍ଷରୁ ଦାଖଲ କରାଯାଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଉପରେ କୋର୍ଟ ମେ’ ୧୦ରେ ବିଚାର କରିବେ ବୋଲି କହିଛନ୍ତି। ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ର ସଫ୍ଟ କପିକୁ ସିଡି,ଡିଭିଡି ଓ ପେନ ଡ୍ରାଇଭର ଦ୍ୱାରା ମେ’ ୮ ସୁଦ୍ଧା ଦାଖଲ କରିବାକୁ ମଧ୍ୟ କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରଥମେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାପରେ ସିସୋଦିଆଙ୍କ ରିମାଣ୍ଡ ଅବଧି ସରିବା ପରେ କୋର୍ଟ ତାଙ୍କୁ ତିହାର ଜେଲ ପଠାଇ ଦେଇଥିଲେ। ହେଲେ ମାର୍ଚ୍ଚ ୯ ତାରିଖରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କୁ ପୁଣିଥରେ ଗିରଫ କରିଥିଲା ବର୍ତ୍ତମାନ ସିସୋଦିଆ ତିହାର ଜେଲରେ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.