୨୨ ବର୍ଷ ହେଲା ନିର୍ମାଣ ହୋଇ ପାରୁନି ଗାଡେବନ୍ଧ ପଞ୍ଚାୟତ ଅଫିସ ଗୃହ

ପଞ୍ଚାୟତ ଅଫିସ୍ ଗୃହ ନିର୍ମାଣକୁ ନେଇ ଲାଗି ରହିଛି ବାଦ ବିବାଦ

ଉନ୍ନୟନ କାର୍ଯ୍ୟ ଠପ୍, ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ଉପାନ୍ତ ଅଞ୍ଚଳରେ ରହିଛି ଗାଡେବନ୍ଧ ଗ୍ରାମ ପଞ୍ଚାୟତ । ଘଣ୍ଟମାଳ ଗ୍ରାମ ପଞ୍ଚାୟତର ବିଭାଜନ ପରେ ଏହି ଗ୍ରାମ ପଞ୍ଚାୟତର ସୃଷ୍ଟି । ଗତ ୨୦୦୧ ମସିହାରୁ ଗ୍ରାମ ପଞ୍ଚାୟତ ବିଭାଜନ ହେବା ପରଠୁଁ ଗାଡେବନ୍ଧ ଓ ରାଣିପଟା ଗ୍ରାମ ମଧ୍ୟରେ ପଞ୍ଚାୟତ ଅଫିସ୍ ଭବନ ନିର୍ମାଣକୁ ନେଇ ଚାଲିଆସୁଛି ବାଦ ବିବାଦ । ଗ୍ରାମ ପଞ୍ଚାୟତ ବିଭାଜନ ପରେ ଘଣ୍ଟମାଳ ଗ୍ରାମ ପଞ୍ଚାୟତରୁ ବିଭାଜନ ହୋଇ ୭ ଗୋଟି ଗ୍ରାମ ର ୧୧ ଗୋଟି ୱାର୍ଡ କୁ ନେଇ ନେଇ ଗଠିତ ହୋଇଛି ଗାଡେବନ୍ଧ ଗ୍ରାମ ପଞ୍ଚାୟତ । ଏହି ଗ୍ରା.ପ. ମଧ୍ୟରେ ରହିଥିବା ଗାଡେବନ୍ଧ ଓ ରାଣିପଟା ଦୁଇଗୋଟି ପ୍ରମୁଖ ବଡ ଗାଁ ହୋଇଥିବା ବେଳେ ଏହି ଦୁଇ ଗ୍ରାମ ମଧ୍ୟରେ ଗ୍ରାମ ପଞ୍ଚାୟତ ଅଫିସ୍ ହେଡକ୍ୱାଟର୍ସ କୁ ନେଇ ଚାଲିଆସୁଛି ବିବାଦ । ୨୦୦୨ ମସିହାରେ ବିଭାଜନ ପରେ ପ୍ରଥମେ ମୁଳ ଅଫିସ୍ ଘଣ୍ଟମାଳରେ ହିଁ ଚାଲିଥିଲା ଗାଡେବନ୍ଧର ପଞ୍ଚାୟତ କାର୍ଯ୍ୟ । ହେଲେ ୨୦୦୬ ମସିହାରୁ ଗାଡେବନ୍ଧର ଗ୍ରା.ପ. ଅଫିସ୍ ରାଣିପଟା ଠାରେ ·ଲିଲା । ବିବାଦ ମଧ୍ୟରେ ବିଭିନ୍ନ ଛୋଟଛୋଟ ଘଟଣାକୁ ନେଇ ଅନେକ ଥର ପଞ୍ଚାୟତ ଅଫିସ୍ କୁ ତାଲା ମରାଯାଇଛି । ଗତ ତା.୧୩/୬/୨୦୧୮ ରେ ମଧ୍ୟ ୱାର୍ଡ ସଭ୍ୟ/ସଭ୍ୟା ମାନେ ପଞ୍ଚାୟତ ଅଫିସରେ ତାଲା ମାରିଥିଲେ । ତକ୍ରାଳୀନ ବିଡିଓ କୈଳାସ ଚନ୍ଦ୍ର ସିଅଳ ସମସ୍ତଙ୍କୁ ନେଇ ମିଟିଂ କରି ବୁଝା ବୁଝି କରିବା ପରେ ତାଲା ଖୋଲା ଯାଇଥିଲା । ଗ୍ରାମ ପଞ୍ଚାୟତ ଗାଡେବନ୍ଧ ନାମରେ ରହିଥିବା ବେଳେ, ଅଫିସ୍ କିନ୍ତୁ ଚାଲିଛି ରାଣିପଟା ଗ୍ରାମରେ । ଏହାକୁ ନେଇ ସବୁବେଳେ ଚାଲିଛି ବିବାଦ । ଏହି ପଞ୍ଚାୟତ ଅଫିସ୍ ନିର୍ମାଣ ପାଇଁ ନର୍ଲାର ତକ୍ରାଳୀନ ବିଡିଓ ରାଜେନ୍ଦ୍ର ରଞ୍ଜିତ, ଅଗସ୍ତୀ ପଧାନ, ଭଗବାନ ବେହେରା ଏବଂ କୈଳାସ ଚନ୍ଦ୍ର ସିଅଳ ପ୍ରମୁଖ ପଦକ୍ଷେପ ନେଇଥିଲେ । ବିଶେଷ କରି ତକ୍ରାଳୀନ ବିଡିଓ ରାଜେନ୍ଦ୍ର ରଙ୍ଜିତଙ୍କ ସମୟରେ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ରାଣିପଡା ସ୍କୁଲ ପାର୍ଶ୍ଵରେ ପଞ୍ଚାୟତ ଅଫିସ ଭବନ ନିର୍ମାଣ ପାଇଁ ଗାତ ମଧ୍ୟ ଖୋଳା ସରିଥିଲା । ହେଲେ ପୁଣିଥରେ ବିବାଦ ଯୋଗୁଁ ତାହା ମଧ୍ୟ ଠପ୍ ହୋଇପଡିଲା । ହେଲେ ଏବେ ଦୁଇ ଗ୍ରାମର ଝଗଡାରେ ପଞ୍ଚାୟତ ଅଫିସ୍ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୁପଣ ହୋଇ ପାରୁ ନଥିବାରୁ ଅଫିସ୍ ଗୃହ ନିର୍ମାଣ ମଧ୍ୟ ହୋଇପାରୁନି । ଏହାର ସମାଧାନ ପାଇଁ ଏବଂ ମାସିକ ମିଟିଂ ମାସ ମାସ ଧରି ହୋଇପାରୁ ନଥିବାରୁ ଗତ ୨୦୧୭ ଓ ୨୦୧୮ ରେ ଉପଜିଲ୍ଲାପାଳଙ୍କୁ ମଧ୍ୟ ଉପରୋକ୍ତ ୱାର୍ଡ ସଭ୍ୟ ମାନେ ଅନେକ ଥର ଏ ନେଇ ଅଭିଯୋଗ କରିବା ସହ ଏହି ସମସ୍ୟା ବହୁଳ ଗ୍ରାମ ପଞ୍ଚାୟତ କିଭଳି ଠିକ୍ ଭାବରେ ଚାଲିବ ସେ ନେଇ ଅନୁରୋଧ କରିଥିଲେ । ଗାଡେବନ୍ଧ ଓ ରାଣିପଟା ଦୁଇ ବଡ ଗ୍ରାମ ମଧ୍ୟରେ ବାଦ ବିବାଦ ସବୁବେଳେ ଲାଗି ରହୁଥିବାରୁ ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ ଠପ୍ ହୋଇ ପଡିଛି । ୱାର୍ଡ ସଭ୍ୟ/ସଭ୍ୟା ଓ ଶତାଧିକ ଗ୍ରାମବାସୀ ଏସବୁ ସମସ୍ୟାର ସମାଧାନ ପାଇଁ ଗତ ତା.୨୯/୧/୨୦୧୮ ରେ ନର୍ଲା ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଅଭିଯୋଗ କରିଥିଲେ । ଏହାପରେ ଗୋଟିଏ ଥର ଜିଲ୍ଲା ପ୍ରଶାସନ ଗୁଣୁପୁର ଗ୍ରାମରେ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଏହାର ସମାଧାନ ନେଇ ପ୍ରୟାସ କରିଥିଲେ । ହେଲେ ତାହା ମଧ୍ୟ ବିଫଳ ହେଲା ।
୨୦୦୨ ରେ ଗାଡେବନ୍ଧ ଗ୍ରାମର ପ୍ରଥମ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିବା ପୂର୍ବତନ ସରପଞ୍ଚ କୈଳାସ ମାଝୀ ଙ୍କ ମତାମତ ନେବାରୁ ସେ କହିଲେ ୨୦୦୩ ରେ ଗାଡେବନ୍ଧ ଗ୍ରାମରେ ପଞ୍ଚାୟତ ଅଫିସ୍ ନିର୍ମାଣ ନେଇ ପିଟିସନ ଦାଏର କରାଯାଇଥିଲା । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୯ ରେ ଜିଲ୍ଲାପାଳଙ୍କ ତରଫରୁ ପିଡି ଆସି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ମତାମତ ନେଇ ରିପୋର୍ଟ ମଧ୍ୟ ପ୍ରଦାନ କରିଥିଲେ । ଏହାପରେ ତ ମହାମାରୀ କରୋନା ଆସିଲା । ସରକାର ଗାଡେବନ୍ଧର ପଞ୍ଚାୟତ ଅଫିସ ଭବନ ନିର୍ମାଣକୁ ଗୁରୁତ୍ୱ ଦେଇ ଶୀଘ୍ର ଅଫିସ ନିର୍ମାଣ କାମ କରିଦେବା ବିଧେୟ ବୋଲି ସେ କହିଛନ୍ତି । ସେହିଭଳି ବର୍ତ୍ତମାନର ସରପଞ୍ଚ କବିତା ବାଗଙ୍କ ମତାମତ ନେବାରୁ ସେ କହିଲେ ଆଗରୁ ବିଡିଓ ରହିଥିବା ଦୁଇ ଦୁଇ ଜଣ ପ୍ରଶାସନିକ ଅଧିକାରୀ ବିଡିଓ ଗ୍ରାମ ପଞ୍ଚାୟତ ଅଫିସ ନିର୍ମାଣ ପାଇଁ ପ୍ରୟାସ କରିଛନ୍ତି ହେଲେ ଭବନ ନିର୍ମାଣ ହୋଇପାରିନାହିଁ । ଗ୍ରାମ ପଞ୍ଚାୟତ ଅଧିନସ୍ଥ ନିର୍ବାଚିତ ଲୋକ ପ୍ରତିନିଧି, ବ୍ଲକ ସ୍ତରୀୟ ଲୋକ ପ୍ରତିନିଧି, ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜନସାଧାରଣ ଏଥିପାଇଁ ପ୍ରୟାସ କଲେ ସମସ୍ତଙ୍କ ସହଯୋଗରେ ଭବନ ନିର୍ମାଣ ହୋଇପାରନ୍ତା । ଏବଂ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ବିକାଶ ହୋଇପାରନ୍ତା । ସେହିଭଳି ରାଣିପଟା ଗ୍ରାମର ବିଜେପି ଯୁବନେତା ସଞ୍ଜୟ ମାଝୀ କହିଛନ୍ତି ଗାଡେବନ୍ଧ ଗ୍ରାମ ପଞ୍ଚାୟତ ଅଫିସ୍ ନିର୍ମାଣ ପାଇଁ ଟଙ୍କା ଆସି ୨୧ ବର୍ଷ ବିତି ଯାଇଥିଲେ ମଧ୍ୟ ଅଫିସ୍ ଭବନ ନିର୍ମାଣ ହୋଇ ନପାରିବା ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ । ପ୍ରଶାସନ ଏଥିପାଇଁ ଆନ୍ତରିକ ଉଦ୍ୟମ କରିବା ଜରୁରି ଅଛି । ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ମତାମତ ନେବାରୁ ସେ କହିଛନ୍ତି ନହେବା କଥା କିଛି ନାହିଁ ଆମେ ସମସ୍ତଙ୍କ ସହଯୋଗରେ ପୁଣିଥରେ ପ୍ରୟାସ କରିବା । ଗ୍ରାମର ବରିଷ୍ଠ ବ୍ୟକ୍ତି, ଯୁବ ପିଢୀ, ନିର୍ବାଚିତ ଲୋକ ପ୍ରତିନିଧି, ବ୍କକ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏହାର ସମାଧାନ ନିମନ୍ତେ ଖୁବ ଶୀଘ୍ର ପ୍ରୟାସ କରି ଗ୍ରାମ ପଞ୍ଚାୟତ ଅଫିସ୍ ଭବନ ନିର୍ମାଣ ନିମନ୍ତେ ପଦକ୍ଷେପ ନେବା । ସମସ୍ୟାର ନିଶ୍ଚୟ ସମାଧାନ କରାଯିବ ବୋଲି ସେ କହିଛନ୍ତି । ପଞ୍ଚାୟତ ଅଫିସ୍ ପାଇଁ ସ୍ଥାୟୀ ଅଫିସ୍ ଗୃହ ନଥିବାରୁ ପ୍ରତି ମାସରେ ମାସିକ ମିଟିଂ ଗୁଡିକ କେବେ କୋଉ ତେନ୍ତୁଳି ଗଛ ମୂଳେ, କାହା ବାରଣ୍ଡାରେ ଏଭଳି ଭାବରେ ଚାଲିଛି । ଏଥିପାଇଁ ୱାର୍ଡ ସଭ୍ୟ/ସଭ୍ୟା ମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁ ନାହାନ୍ତି । କେଉଁ ମାସିକ ମିଟିଂରେ ମଧ୍ୟ କୋରମ ପୁରଣ ହୋଇପାରୁନାହିଁ । ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ଦୁଇଗୋଟି ଏରିଆକୁ ନେଇ ବିଭାଜନ ରହିଛି । ଅଞ୍ଚଳରେ ବୈଠକ ହେଲେ ଗୋଟିଏ ଗୋଷ୍ଠି ଆସୁଥିବା ବେଳେ ଆର ଗୋଷ୍ଠି ଆସୁନାହାନ୍ତି । ଅସ୍ଥାୟୀ କୁଡ଼ିଆ ଘରେ ଚାଲିଛି ଗ୍ରାମ ପଞ୍ଚାୟତ ଅଫିସ। ସ୍ଥାୟୀ ଗ୍ରାମ ପଞ୍ଚାୟତ ଅଫିସ୍ ନଥିବାରୁ ଦୂର ଦୂରାନ୍ତ ଗ୍ରାମରୁ ଭତ୍ତା ପାଇଁ ଆସୁଥିବା ବୁଢା ବୁଢୀ ମାନେ ଅନେକ ହଇରାଣ ହରକତ ହେଉଛନ୍ତି ବୋଲି ସେଠାକାର ଜନସାଧାରଣ କ୍ଷୋଭର ସହ କହିଛନ୍ତି । ସ୍ଥାୟୀ ଗ୍ରାମ ପଞ୍ଚାୟତ ଅଫିସ୍ ନିର୍ମାଣ ଦାବୀ ନେଇ ଦୁଇ ଦୁଇ ଥର ଶୋଭାଯାତ୍ରା ମଧ୍ୟ କରାଗଲାଣି ଏବଂ ବ୍ଲକ୍ ଅଫିସ୍ ମଧ୍ୟ ଘେରାଉ କରାଗଲାଣି ହେଲେ ପ୍ରଶାସନ କର୍ଣ୍ଣପାତ କରୁନି । ଏହି ବାଦ ବିବାଦ ଯୋଗୁଁ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି । ଅଞ୍ଚଳର ବିକାଶ ଠପ୍ ହୋଇପଡିଛି । ପ୍ରଶାସନର ସ୍ଥାଣୁତା ଯୋଗୁଁ ଧିରେ ଧିରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି । ଆଗାମୀ ଦିନରେ ଏହି ସମସ୍ୟା ଯୋଗୁଁ ଯଦି କିଛି ବଡଧରଣର ଅଘଟଣ ଘଟେ ତାହେଲେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ହେଲେ ୨୦୦୧ ରୁ ଗାଡେବନ୍ଧ ଗ୍ରାମ ପଞ୍ଚାୟତ ଅଫିସ୍ ଭବନ ନିର୍ମାଣ ଦିଗରେ ରାଜନେତା ଓ ପ୍ରଶାସନ ବିଲକୁଲ ବି ପ୍ରୟାସ କରୁନାହାନ୍ତି । ଓଲଟା ଏହି ସମସ୍ୟା କିଏ ମୁଣ୍ଡାଇବ କହି ଲୁଚି ପଳାଉଥିବା ଅଞ୍ଚଳର ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.