ଲାଞ୍ଜିଗଡ଼ରେ ପୁଣି ଲଜ୍ଜା; ମାଁ ଠାକୁରାଣୀ ଯାତ୍ରା ସମୟରେ ନାବାଳିକାକୁ ଟେକି ନେଇ ଯାଉଥିଲା ଯୁବକ, ଅଟକ ରଖିଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ପଞ୍ଚାୟତର ସିନ୍ଧିବାହାଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ମାଁ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ରୀତିନୀତି ଅନୁସାରେ ଘରେ ପୂଜାର୍ଚ୍ଚନା ସାରି ଗାଁରୁ ପାଖାପାଖି ୨୦୦ ମିଟର ଦୂର ବଲେନଭଟ୍ଟା ପୂଜାସ୍ଥାନକୁ ଜଣେ ୧୦ ବର୍ଷୀୟ ଝିଅ ତା ବାପା, ମାଆ ସହ ଯିବା ସମୟରେ ଜଣେ ଯୁବକ ହଠାତ୍ ଝିଅର ପାଟିରେ ହାତ ବନ୍ଦ କରି ତାକୁ ଟେକି ନେଇଯାଉଥିବାବେଳେ ଚିତ୍କାର ଶୁଣି ତାଙ୍କ ବାପା ଦୌଡ଼ି ଦୌଡ଼ି ଯାଇ ଜାବୁଡ଼ି ଧରିଥିଲେ। ଝିଅର ବାପା ଉକ୍ତ ଯୁବକଙ୍କୁ ଜାବୁଡ଼ି ଧରିଥିବା ବେଲେ ତାଙ୍କୁ ଏକ ପଥରରେ ମାରିଥିଲେ । ପଥର ମାଡ଼ରେ ତାଙ୍କ ଆଖି ଖୋଳପା ଫାଟି ଯାଇଥିଲେ ମଧ୍ୟ ସେ ଯୁବକଙ୍କୁ ଧରି ଛାଡ଼ି ନ ଥିଲେ । କୋଳାହଳ ଶୁଣି ଯାତ୍ରାରେ ସାମିଲ ଥିବା ଲୋକେ ଯାଇ ଉକ୍ତ ଯୁବକଙ୍କୁ ଧରିପକାଇ ଗାଁରେ ରାତିସାରା ଅଟକ ରଖିଥିଲେ । ତେବେ ଯୁବକ ଜଣକ ଗୁଣ୍ଡୁରି ପଞ୍ଚାୟତ ବଡ଼ ଜାମକନା ଗାଁର ବୋଲି ଜଣାପଡ଼ିଛି। ଏ ସଂପର୍କରେ ସୂଚନା ପାଇ ଆଜି (ବୁଧବାର) ସକାଳୁ ବିଶ୍ବନାଥପୁର ଥାନ ପୁଲିସ ଗାଁରେ ପହଞ୍ଚି ଅଟକ ଥିବା ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡ଼ିଛି । ତେବେ ଯୁବକ ଜଣକ କ’ଣ ପାଇଁ ନାବାଳିକା ଝିଅକୁ ଟେକି ନେଇ ଯାଉଥିଲା ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.