ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ତରଫରୁ ସପ୍ତଦଶ ଅଧ୍ୟାୟ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ଡ଼.ପ୍ରିୟମ୍ବଦା ସାମଲଙ୍କ ପୌରହିତ୍ୟରେ, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଏହା ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ଗୀତାଞ୍ଜଳି ପୃଷ୍ଟି ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ ଏହି ସତସଙ୍ଗ ବିଷୟରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ । ବିପିନ ବିହାରୀ ବାରିକ ଅତିଥି ପରିଚୟ ସହ ସମସ୍ତଙ୍କୁ ଶୁଭେଚ୍ଛା, ସୁସ୍ବାଗତ ସହ ଗୀତାମାତାଙ୍କ ଉପରେ ଆଲୋଚନା କରିଥିଲେ । ପ୍ରଶାନ୍ତ କୁମାର ରାଉଳ, ବିନୋଦିନୀ ଦାଶ ଓ ପ୍ରଫୁଲ୍ଲ କୁମାର ଦାସ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରବାଚକ ପ୍ରମୋଦ କୁମାର ପଣ୍ଡା ଖୁବ୍ ସୁନ୍ଦର ଭାବରେ ବିଭିନ୍ନ ଉଦାହରଣ ମାଧ୍ୟମରେ ତାତ୍ତ୍ବିକ ଆଲୋଚନା କରିଥିଲେ । ପଣ୍ଡିତ ଶ୍ରୀ ପଣ୍ଡାଙ୍କ ବର୍ଣ୍ଣନା ଏହିଭଳି ଥିଲା – ବ୍ୟଥା ହେଉ ନ ଥିବା ବାକ୍ୟ, ଯାହା ସତ୍ୟ, ପ୍ରିୟ ଓ ହିତକର ଏବଂ ସ୍ବାଧ୍ୟାୟ ଅଭ୍ୟାସ ତାହା ବାଚିକ ତପସ୍ୟା ଅଟେ । ମନର ପ୍ରସନ୍ନତା, ସୌମ୍ୟତା ମୌନଭାବ,ଆତ୍ମସଂଯମ ଓ ନିଷ୍କପଟ ବ୍ୟବହାର ସବୁ ମାନସିକ ତପସ୍ୟା ଅନ୍ତର୍ଗତ । ଏହି ତ୍ରିବିଧ ତପସ୍ୟା ଫଳକାମନା ରହିତ ତଥା ଯୋଗଯୁକ୍ତ ହୋଇ ପରମ ଶ୍ରଦ୍ଧାରେ କଲେ ତାହା ସାତ୍ତ୍ଵିକ ତପ କୁହାଯାଏ । ଉକ୍ତ ସତସଙ୍ଗରେ ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ପ୍ରଦୀପ୍ତ ମିଶ୍ର ଏବଂ ପଣ୍ଡିତ ଧନଞ୍ଜୟ ମିଶ୍ର, ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ଚାଣ୍ଡାଳ ମିଶ୍ର ପ୍ରଭୃତି ବିଭିନ୍ନ ସ୍ଥାନର ବିଜ୍ଞ ପଣ୍ଡିତ ପ୍ରବାଚକଙ୍କ ଉପସ୍ଥିତିରେ ସତସଙ୍ଗ ଓ ପାରାୟଣ ଅନୁଷ୍ଠିତ ହୋଇଥିଲା । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୨ ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ସପ୍ତଦଶ ଅଧ୍ୟାୟର ଶ୍ଲୋକ ବ୍ୟାଖ୍ୟା ଉପଭୋଗ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ । ପ୍ରଫୁଲ୍ଲ କୁମାର ଦାସଙ୍କ ଅନୁମତି କ୍ରମେ ସଭାସାଙ୍ଗ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.