ଆର୍ଥିକ ଆତ୍ମ ନିର୍ଭରଶୀଳ ପଥେ ଗ୍ରାମାଞ୍ଚଳର ମହିଳା; ଉଦଘାଟିତ ହେଲା ଶାନ୍ତପୁରର ମିଶନ ଶକ୍ତି ଗୃହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାର ଓଡିଶାର ସମସ୍ତ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନେକ ସ୍ଥାନରେ ଏହା ଉଦଘାଟିତ ହୋଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଆର୍ଥିକ ଆତ୍ମ ନିର୍ଭରଶୀଳ ହେବା ଦିଗରେ ସହାୟକ ହେଉଥିବା ବେଳେ କେତେକ ସ୍ଥାନରେ ଏବେ ଲୋକାର୍ପିତ ହେଉଛି ଏହି ଗୃହ । ସଭା ସମିତି ଏବଂ ପ୍ରଶିକ୍ଷଣ ପାଇଁ ବ୍ୟବହାର ହେଉଥିବା ମିଶନ ଶକ୍ତି ଗୃହକୁ ସଦସ୍ୟାମାନେ ଉତ୍ପାଦନ କେନ୍ଦ୍ର ଭାବରେ ମଧ୍ୟ ବ୍ୟବହାର କରିପାରିବେ । ରାଜ୍ୟ ସରକାରଙ୍କ ଏହି ଜନ କଲ୍ୟାଣକାରୀ ଯୋଜନା ଅଧିନରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମିଶନ ଶକ୍ତି ଗୃହ ଉଦଘାଟିତ ହେଉଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁରରେ ଆଜି ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଶାନ୍ତପୁର ସମିତି ସଭ୍ୟ ଜୟ ମେହେର, ସିଡିପିଓ ନିବାସିନୀ ବିଶ୍ବାଳ, ପୂର୍ବତନ ସରପଞ୍ଚ ଟିକେଧର ସାହୁ, ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ମହିଳାମାନେ ନିଜ ନିଜ ସ୍ବୟଂ ସହାୟକ ଗୋଷ୍ଠୀର ସୁପରିଚାଳନା କରି କିପରି ଅଧିକ ମାତ୍ରାରେ ସ୍ବାବଲମ୍ବୀ ହୋଇ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ ସେନେଇ ଅତିଥିମାନେ ଆଲୋକପାତ କରିଥିଲେ । ଏହି ଉଦଘାଟନୀ ସମାରୋହରେ ଶାନ୍ତପୁର ସୁପରଭାଇଜର, ସିଆରପି, ଏମବିକେ ଓ ୯ଗୋଟି ଗ୍ରାମର ମିଶନ ଶକ୍ତି ସଦସ୍ୟାମାନେ ସାମିଲ ହୋଇଥିଲେ । ଶେଷରେ ଶାନ୍ତପୁରର ପୂର୍ବତନ ସରପଞ୍ଚ ଟିକେଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.