ଗୁଜରାଟ ବିପକ୍ଷରେ ମୁମ୍ବାଇର ବିଜୟ

‘ସ୍କାଏ’ଙ୍କ ଧୂଆଁଧାର ବ୍ୟାଟିଂ ତିଆରି କଲା ନୂଆ ରେକର୍ଡ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ଆଇପିଏଲର ୫୭ ତମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ପୁଣି ଥରେ ଦେଖିବାକୁ ମିଳିଛି। ଏଥର ସୂର୍ଯ୍ୟଙ୍କ ବ୍ୟାଟିଂ ଏତେ ଚମତ୍କାର ଥିଲା ଯେ ସେ ଏହି ଲିଗରେ ପୂର୍ବରୁ ଯାହା କରିପାରିନଥିଲେ ତାହା ଏଥର କରି ଦେଖାଇଛନ୍ତି। ସେ ଆଇପିଏଲ ଇତିହାସରେ ପ୍ରଥମ ଶତକୀୟ ଇନିଂସ ଖେଳିିଥିବା ବେଳେ ଟି-୨୦ କ୍ରିକେଟରେ ଚତୁର୍ଥ ଶତକୀୟ ଇନିଂସ ଖେଳିଛନ୍ତି। ଏହାପୂର୍ବରୁ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ତିନଟି ଶତକୀୟ ଇନିଂସ ଖେଳିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷ ଏହି ଧୂଆଁଧାର ଇନିଂସରେ ସେ ୪୯ଟି ବଲରେ ଅପରାଜିତ ୧୦୩ ରନ୍ କରିଥିଲେ ଯେଉଁଥିରେ ୧୧ ଟି ଚୌକା ଓ ୬ଟି ଛକା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସକୁ ଏହି ମ୍ୟାଚରେ ପରାସ୍ତ କରିଛି। ଗୁଜରାଟ ଦଳର ପରାଜୟ ପରେ ପ୍ଲେ ଅଫ୍ ଟିକେଟ୍ ପାଇଁ ମୁମ୍ବାଇର ଆଶା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ସପ୍ତମ ବିଜୟ ସହିତ ପ୍ଲେ ଅଫ୍ ଯିବା ରାସ୍ତା ଆଉ ଟିକିଏ ପରିସ୍କାର କରିଛି। ଏହି ସିଜନରେ ଉଭୟ ଦଳର ଦ୍ୱିତୀୟ ମ୍ୟାଚ ଥିଲା। ପୂର୍ବ ମୁକାବିଲାରେ ଗୁଜରାଟ ମୁମ୍ବାଇକୁ ୫୫ ରନରେ ପରାସ୍ତ କରିଥିଲା ​​ଏବଂ ଏହି ମ୍ୟାଚରେ ମୁମ୍ବାଇ ୨୭ ରନରେ ଜିତିଛି। ଏହି ମ୍ୟାଚରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସୁର୍ଯ୍ୟକୁମାର ଯାଦବଙ୍କ ଏହି ଇନିଂସ ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତୃତୀୟ ବୃହତ୍ତମ ଇନିଂସ ଥିଲା। ଏଥି ସହିତ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କୌଣସି ବ୍ୟାଟ୍ସମ୍ୟାନର ପ୍ରଥମ ଶତକୀୟ ଇନିଂସ ସହ ସର୍ବାଧିକ ସ୍କୋର ଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର କରିଥିଲା। କେବଳ ଏତିକି ନୁହେଁ ଗତ ପାଞ୍ଚଟି ମ୍ୟାଚରେ ସୂର୍ଯ୍ୟ ୩ଟି ଅର୍ଦ୍ଦଶତକ ଓ ଶତକ ହାସଲ କରିଛନ୍ତି। ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ୨୦୦ରୁ ଅଧିକ ସ୍କୋର କରିଛି। ​​ଯାହା କୌଣସି ଦଳ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଏହାପୂର୍ବରୁ, କୌଣସି ଦଳ ଗୋଟିଏ ସିଜିନରେ ପାଞ୍ଚ ଥର ୨୦୦ରୁ ଅଧିକ ରନ୍ କରିପାରି ନାହିଁ। ଶେଷ ଥର ପାଇଁ ୨୦୧୪ରେ ଲେଣ୍ଡଲ ସିମନ୍ସ ଏକ ଶତକୀୟ ଇନିଂସ ଖେଳିଥିଲେ। ଆଉ ଏବେ ୯ ବର୍ଷ ପରେ ସୂର୍ଯ୍ୟ କୁମାର ଯାଦବ ଶତକୀୟ ଇନିଂସ ଖେଳ ରେକର୍ଡ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ୧୦୩ ରନର ଅପରାଜିତ ଇନିଂସ ସହ ଚଳିତ ସିଜନରେ ୧୨ ଟି ମ୍ୟାଚରେ ୪୭୯ ରନ୍ ସଂଗ୍ରହ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.