ସମୟ ଆସିଲେ ସବୁ ଜଣାପଡ଼ିବ

ଭୁବନେଶ୍ୱରରେ ଯେତେବେଳେ ନୀତିଶ ନବୀନଙ୍କୁ ଭେଟୁଥିଲେ, ଠିକ୍ ସେତେବେଳେ ଜେଡିୟୁ ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ବିପକ୍ଷ ଦଳକୁ ଏକତ୍ରିତ କରିବା ପାଇଁ ନୀତିଶ ଅଗ୍ରସର ହେଉଛନ୍ତି । ବିନା ସ୍ୱାର୍ଥରେ ବିପକ୍ଷ ଗୋଷ୍ଠୀଙ୍କୁ ଏକଜୁଟ୍ କରୁଛନ୍ତି । କିନ୍ତୁ ଏପଟେ ଗଣମାଧ୍ୟମକୁ ନୀତିଶ କୁମାର କହୁଛନ୍ତି ରାଜନୀତି କିମ୍ବା ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇନି । ଏତେ ବଡ଼ ନେତା, ଏତେ ସମୟ ଧରି ଆଲୋଚନା । କିନ୍ତୁ ରାଜନୀତି ପ୍ରସଙ୍ଗରେ ଆଲୋଚନା ହୋଇନି । ଯାହାକୁ ସହଜରେ ଗ୍ରହଣ କରିପାରୁନାହଁନ୍ତି ରାଜନୈତିକ ବିଶ୍ଲେଷକ । ଏପଟେ ବିଜେପି କହିଛି, ଏହି ଦେଖାସାକ୍ଷାତର ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବନି । ନବୀନ ନିବାସରେ ଦୁଇ ନେତାଙ୍କ ଭିତରେ ସାକ୍ଷାତ୍ ହେଉଥିଲା, ଆଉ ସାରା ଓଡିଶାର ନଜର ଟିଭି ପରଦାରେ ଲାଖି ରହିଥିଲା । କାରଣ ୨୦୨୪ ପୂର୍ବରୁ ମୋଦୀ ବିରୋଧୀ କରିବାର ସଂକଳ୍ପ ନେଇ ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲୁଛନ୍ତି ନୀତିଶ କୁମାର । ହେଲେ ଦେଖା ସାକ୍ଷାତ୍ ପରେ ସବୁ ଉକ୍ରଣ୍ଠା ପାଣି ଫୋଟକା ପରି ମିଳାଇଗଲା, ଯେତେବେଳେ ନବୀନ କହିଲେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । କିନ୍ତୁ ଆଗକୁ ବଡ ରାଜନୈତିକ ସମୀକରଣର ଇସାରା ଦେଇଥିଲେ ନୀତିଶ । ଯାହାକୁ ଆହୁରି ବଳ ଦେଇଛି ନୀତିଶଙ୍କ ରାଜନୈତିକ ଦଳ ଜେଡିୟୁ ପକ୍ଷରୁ କରାଯାଇଥିବା ଟୁଇଟ୍ । ନୀତିଶ କୁମାର ଓଡ଼ିଶା ଆସିବା ପଛର କାରଣ ମଧ୍ୟ ଏକ ପ୍ରକାର ସ୍ପଷ୍ଟ ଥିଲା । କିନ୍ତୁ ଦୀର୍ଘ ଗୋଟିଏ ଘଣ୍ଟାର ଆଲୋଚନା ପରେ ବିଜେଡି ସୁପ୍ରିମୋ ଓ ଜେଡିୟୁ ନେତା, ଗଣମାଧ୍ୟମରେ ଆଗରେ ଯାହା କହିଛନ୍ତି, ତାହା ହୁଏତ କେହି ଆକଳନ କରିନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ନୀତିଶଙ୍କ ସହ ତାଙ୍କ ସମ୍ପର୍କ ବହୁ ପୁରୁଣା । ବାଜପେୟୀଙ୍କ ସରକାର ସମୟରେ ଉଭୟେ ମନ୍ତ୍ରୀ ଥିଲୁ । ପୁରୀରେ ବିହାର ଭବନ ନିର୍ମାଣ ପାଇଁ ଜମି ଦେବା ସମ୍ପର୍କରେ ଆଲୋଚନା ହୋଇଛି । ଓଡ଼ିଶା ସରକାର ଦେଢ଼ ଏକର ଜମି ମାଗଣାରେ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଲ୍ଲେଖଥାଉ କି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ ଜାତୀୟ ସଭାପତି ରାଜୀବ ରଞ୍ଜନ ଏବଂ ଦଳର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଝାଙ୍କ ସହ ଭୁବନେଶ୍ୱରରେ ପହଞ୍ଚିଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତାକୁ ମଜବୁତ କରିବା ଉଦ୍ଦେଶ୍ୟରେ ନୀତିଶ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ତେବେ ଦୁଇ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ପ୍ରାୟ ଏକ ଘଣ୍ଟିଆ ବୈଠକ ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବୈଠକ ପରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେପି ବିରୋଧୀ ମହାମେଣ୍ଟ ପାଇଁ ମହାଅଭିଯାନ ଆରମ୍ଭ ହୋଇଛି । ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେହି କ୍ରମରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ କିଛି ଦିନ ତଳେ ଭେଟିଥିଲେ ନୀତିଶ । ଆଉ ସାଥିରେ ଥିଲେ ତେଜସ୍ଵୀ ଯାଦବ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ ନୀତିଶ । ୨୦୨୪ ନିର୍ବାଚନ ପୂର୍ବରୁ ଦେଶର ରାଜନୈତିକ ମାହୋଲ, ନୂଆ ମୋଡ଼ ନେଉଛି । ବିଜେପି ବିରୁଦ୍ଧରେ ନୀତିଶ, ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଜଣେ ପରେ ଜଣେ ନେତାଙ୍କୁ ଭେଟୁଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି, ବିରୋଧୀ ଏକତା ସମ୍ଭବ ହୋଇପାରେ କି? ଏକାଠି ହୋଇ ବିଜେପି ବିରୁଦ୍ଧରେ ଲଢ଼େଇ ସମ୍ଭବ କି? କାରଣ ବିରେୀଧୀଙ୍କୁ ଅଟକାଇବା ପାଇଁ ବିଜେପି ଅନବରତ ଉଦ୍ୟମ କରୁଛି ବୋଲି ଅଭିଯୋଗ ହେଉଛି । କେତେବେଳେ ଇଡି’ର ଚଢ଼ାଉ, ତ ଆଉ କେତେ ବେଳେ ସିବିଆଇ ରେଡ୍ । ଏଭଳି ସ୍ଥିତିରେ ମୋଦୀ ବିରୋଧୀ ମେଳି କେତେ ଆଗକୁ ଯିବ, ତାହା ହିଁ ବଡ଼ ପ୍ରଶ୍ନ । ତେବେ ଯେତେବେଳେ ନବୀନ କ୍ୟାମେରା ଆଗରେ କହୁଛନ୍ତି, ବୈଠକରେ ରାଜନୈତିକ ଆଲୋଚନା ହୋଇନାହିଁ । ଠିକ୍ ସେତେବେଳେ ବିହାର ମୁଖ୍ୟମନ୍ତ୍ରୀ କିନ୍ତୁ ଭିନ୍ନ ଇସାରା ଦେଇଛନ୍ତି । ବିରୋଧୀ ମେଣ୍ଟ ପ୍ରସଙ୍ଗରେ ନୀତିଶ କହିଛନ୍ତି, ସମୟ ଆସିଲେ ସବୁ ଜଣାପଡ଼ିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.