ସରକାରଙ୍କୁ ଚେତାବନୀ: ମେ ‘ ୩୧ ଯାଏଁ କଳାବ୍ୟାଚ ପରିଧାନ କରି କାର୍ଯ୍ୟ ସମ୍ପାଦନା କରିବେ ଜିଲ୍ଲାର ୪୦୦ ଅମଲା

ଦାବି ପୂରଣ ନ ହେଲେ ଜୁନ ୧ରୁ ସମୂହ ଛୁଟିରେ ଯିବେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାସ୍ତରୀୟ ମିଳିତ ଅମଲା ମଂଚ’ସଙ୍ଘର ରାୟଗଡା ଅଧ୍ୟକ୍ଷ ଅରୁଣ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡାର ଅମଲା ସଂଘ ଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଳାସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୈାଣସି ପ୍ରକାର ଅଭିବୃଦ୍ଧି କରି ନାହାନ୍ତି । ଅମଲା ସଂଘ ତରଫରୁ ରାଜ୍ୟ ସରକାରଙ୍କ ଠାରେ ଏଂଟ୍ରି ଲେଭେଲରେ ୯୩୦୦/- ଗ୍ରେଡ ପେ ୪୨୦୦/- ଲେଭେଲ-୯ ପୂରଣ ଦାବି କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ | ସରକାର ଦାବିକୁ ପୂରଣ କରିବା ଦିଗରେ ଆଦୌ କର୍ଣ୍ଣପାତ କରୁ ନ ଥିବା ପ୍ରକାଶ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ପାଢ଼ୀ | ସରକାରୀ ସ୍ତରରେ ସଂଘକୁ ନେଇ ଆଲୋଚନା ପାଇଁ ମଧ୍ୟ କୌଣସି ବୈଠକ ମଧ୍ୟ ଡକାଯାଉନଥିବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି କହିଛନ୍ତି | ସେହିପରି ଅନ୍ୟାନ୍ୟ ବର୍ଗର କର୍ମଚାରୀ ମାନେ ଅମଲା ମାନଙ୍କ ଶିକ୍ଷାଗତ ଯୋଗ୍ୟତାରେ କମ ଥାଇ ମଧ୍ୟ ସେମାନେ ଅଧିକ ଦରମା ପାଉଥିବା ହେତୁ ଅମଲା ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଉଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି | ଯାହାକୁ ନେଇ ଏଂଟ୍ରି ଲେଭେଲରେ ୯୩୦୦/- ଗ୍ରେଡ ପେ ୪୨୦୦/- ଲେଭେଲ-୯ ପୂରଣ ପାଇଁ ଦାବି କରାଯାଇ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ମାସ ୨୧ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା |

ଏଥିରେ ୧ ମାସ ମଧ୍ୟରେ ଦାବି ପୂରଣ ଦିଗରେ ସରକାର ଆଲୋଚନା ମାଧ୍ୟମରେ ଏବଂ ନିଷ୍ପତି ପାଇଁ ସଂଘ ନିବେଦନ କରିଥିଲା | ତେବେ ଆଜିକୁ ୧ ମାସ ବିତିଯାଇଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆସନ୍ତା କାଲି ମେ ‘ ୨୨ ତାରିଖରୁ ମେ ‘ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅମଲା ମାନେ କଳା ବ୍ୟାଚ ପରିଧାନ କରି ନିଜ ଦାୟିତ୍ୱ ସମ୍ପାଦନା କରିବେ ଏବଂ ଏ ସମୟ ମଧ୍ୟରେ ଯଦି ସରକାର ଆମ ଦାବି ପୂରଣ ପାଇଁ ଚିନ୍ତା ନ କରିବେ ତାହା ହେଲେ ଆସନ୍ତା ଜୁନ ମାସ ୧ ତାରିଖରୁ ଜିଲ୍ଲାର ସମସ୍ତ ଅମଲା ମାନେ ଏକାକାଳୀନ ସମୂହ ଛୁଟିରେ ଯିବେ ବୋଲି ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି ଅଧ୍ୟକ୍ଷ ଶ୍ରୀ ପାଢ଼ୀ | ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜସ୍ବ ଅମଲା ସଂଘ ସଭାପତି ମନୋଜ ରଥ, ସମ୍ପାଦକ ଗୋପୀ ରାଉତ ମଂଚାସୀନ ହୋଇଥିବା ବେଳେ ଅନ୍ୟ ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.