ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାରୀ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରି ବିନା ସୂଚନା ଫଳକରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ସାରିଦେଲେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର । ଗଣମାଧ୍ୟମ ପ୍ରତିନିଧି ପଚାରିଲେ କହୁଛନ୍ତି ଫଳକ ଲେଖା ହୋଇନି ଏ କ’ଣ ଅପରାଧ ହୋଇଗଲା କି, ଏମିତି କିଛି ଅଦ୍ଭୁତ ଯୁକ୍ତି ବାଢ଼ିଛନ୍ତି କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ । ସୂଚନାଯୋଗ୍ୟ, ରେଙ୍ଗାଲପାଲି ପଞ୍ଚାୟତ ଅଧୀନ ଝରିଆଗୁଡା ଗ୍ରାମର ଶିବ ମନ୍ଦିର ଦେଇ ରେଙ୍ଗାଲପାଲିକୁ ସଂଯୋଗ କରୁଥିବା ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଛି । ହେଲେ କାର୍ଯ୍ୟ ସମାପ୍ତ ହୋଇ ସପ୍ତାହେ ବିତିଗଲାଣି, ତଥାପି କାର୍ଯ୍ୟ ସ୍ଥାନରେ ଦଣ୍ଡାୟମାନ ଫଳକରେ କୋୖଣସି ସୂଚନା ଦିଆଯାଇ ନାହିଁ । ଯାହା ଫଳରେ ଜନସାଧାରଣ କାର୍ଯ୍ୟର ବ୍ୟୟ ଅଟକଳ ଓ କେଉଁ ବିଭାଗ ଦ୍ବାରା କାର୍ଯ୍ୟ ସମ୍ପାଦନ କରାଯାଉଛି ତାହା ଜାଣିପାରୁ ନାହାଁନ୍ତି । ତେଣୁ ରାସ୍ତାର କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି । ସରକାରୀ ନିୟମ ମୁତାବକ ଯେ’ କୌଣସି ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଇ ସେଥିରେ ସଂପୃକ୍ତ କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ଉଲ୍ଲେଖ କରିବା ବାଧ୍ୟତାମୂଳକ । ହେଲେ ଏଠାରେ ସରକାରୀ ନିୟମକୁ ଫୁ’ କରି ଉଡ଼ାଇ ଦେଇଛନ୍ତି କନିଷ୍ଠ ଯନ୍ତ୍ରୀ । ଏହି ଯନ୍ତ୍ରୀ ଜଣକ କାର୍ଯ୍ୟ ତଦାରଖ କରୁଥିବା ଏକାଧିକ କାମରେ କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଯାଇ/ଲେଖାଯାଇ ନଥାଏ, ଯାହାକୁ ନେଇ ଅନେକ ଥର ଅଭିଯୋଗ ମଧ୍ୟ ହୋଇଛି । ହେଲେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସଲା ସୁତୁରାରେ ଏହି ଜେଇଙ୍କ କାମ ଚାଲିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ତ’ ଦୂରର କଥା ତାଙ୍କୁ ସାଧାରଣ ତାଗିଦ୍ ମଧ୍ୟ କରାଯାଏନାହିଁ ବୋଲି ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଏଠାରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା କାମରେ ମଧ୍ୟ ସମାନ ଅବସ୍ଥା । କାର୍ଯ୍ୟ ସମାପ୍ତ ହେଇ ସପ୍ତାହେ ହେଲାଣି, କିନ୍ତୁ ଫଳକରେ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ଏହି ଯନ୍ତ୍ରୀ ମହାଶୟଙ୍କ ପାଇଁ ସରକାରଙ୍କ ଅଲଗା ନିୟମ ହୋଇଛି କି ବୋଲି ଏବେ ଚର୍ଚ୍ଚା ଆଲୋଚନା ହେଉଛି । ଏନେଇ କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରାଙ୍କୁ ପଚାରିବାରୁ ଏଇଟା କ’ଣ ଅପରାଧ ହେଇଗଲା, ଲେଖା ହେଇନି ଲେଖା ହୋଇ ଯିବ ବୋଲି ଯୁକ୍ତି ବାଢ଼ିଥିଲେ । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେଇ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଇଛି ।