ଗର୍ଜିଲେ ଅମଲା, ସମୂହ ଛୁଟିରେ ଯିବା ପାଇଁ ଦେଲେ ଚେତାବନୀ

ଜିଲ୍ଲା ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଅମଲା ସଙ୍ଘ ସଭାପତି ସୁକାନ୍ତ ମହାପାତ୍ର, ସବ-ରେଜିଷ୍ଟ୍ରାର ଅମଲା ସଙ୍ଘ ଜିଲ୍ଲା ସଭାପତି ଅଲେଖ ନାଏକ, ଜିଲ୍ଲା ଅମଲା ସଙ୍ଘ ମୁଖ୍ୟ ଉପଦେଷ୍ଟା ରୂପକେଶରୀ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ମିଳିତ ଅମଲା ମଂଚର ବିଭିନ୍ନ ବ୍ଳକ ଅଧ୍ୟକ୍ଷ ତଥା ଆବାହକ ଓ ଜିଲ୍ଲାରେ କାର୍ଯ୍ୟରତ ଅନେକ ଅମଲା ଅଂଶଗ୍ରହଣ କରିଥିଲେ। ଏଠାରେ କନିଷ୍ଠ ସହାୟକମାନଙ୍କ ମୂଳ ଦରମା ଲେଭେଲ-୯ ଗ୍ରେଡ ପେ-୪୨୦୦ କରିବା ପାଇଁ ଦାବି ରହିଛି। ପ୍ରକାଶ ଥାଉକି ୨୦୧୭ ମସିହାରେ କନିଷ୍ଠ ସହାୟକ ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା +୨ରୁ ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନକୁ ବୃଦ୍ଧି କରାଯାଇଥିଲା। ମାତ୍ର ଦରମାରେ କୌଣସି ପରିବର୍ତ୍ତନ କିମ୍ବା ବୃଦ୍ଧି ଘଟିନଥିଲା। ସରକାରଙ୍କୁ ଏ ସଂକ୍ରାନ୍ତୀୟ ଦାବିପତ୍ର ବାରମ୍ବାର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଲିନାହିଁ। ତେଣୁ ଗତ ମେ ୨୨ ତାରିଖ ଠାରୁ ସମସ୍ତ ଅମଲା କଳାବ୍ୟାଚ ପରିଧାନ ପୂର୍ବକ ନିଜ ନିଜ ଅଫିସରେ ପ୍ରତିବାଦ କରିଛନ୍ତି ଏବଂ ଏହା ୩୧ ପର୍ଯ୍ୟନ୍ତ ଜାରି ରହିବ। ଏହି ଦାବି ଉପରେ ସରକାର କିଛି ପଦକ୍ଷେପ ନେଉନଥିବାରୁ ଆସନ୍ତା ଜୁନ ୨ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ମଂଚ ନିଷ୍ପତ୍ତି ନେଇଛି। ଏଥିପାଇଁ ସମସ୍ତ ଅମଲା ଆସନ୍ତା ୨୯ତାରିଖ ଦିନ ନିଜ କାର୍ଯ୍ୟାଳୟ ମୁଖ୍ୟଙ୍କୁ ସମୂହ ଛୁଟି ପାଇଁ ଆବେଦନ କରିବେ ବୋଲି ଜଣାପଡିଛି। ଏଥିପାଇଁ ଏକ୍ସନ ପ୍ଲାନ ଓ ମନିଟରିଂ ସ୍କ୍ୱାର୍ଡ ଗଠନ କରାଯାଇଥିଲା ଏବଂ ହୃଦାନନ୍ଦ ବାଗଙ୍କୁ ମିଡିଆ ସଂଯୋଜକ ଦାୟିତ୍ବ ଦିଆଯାଇଥିଲା। ଏଥିରେ ବରିଷ୍ଠ ଅମଲା ବ୍ରଜବନ୍ଧୁ ମୁଣ୍ଡ, ରାଜକିଶୋର ସାହୁ, ଟଂକଧର ସାହୁ, ରତ୍ନାକର ଧଙ୍ଗଡାମାଝୀ, ବିଶ୍ଵନାଥ ମୁଣ୍ଡ, ମନୋରଞ୍ଜନ ଛତ୍ରପାଲ, ସୁଶାନ୍ତ ମେହେର, ମନୀଷା ସାହୁ, ଚିନ୍ମୟୀ ଠାକୁର, କୃଷ୍ଣାରାଣୀ ନାଏକ, ଲବ ମେହେର, ଜଗତ ନାରାୟଣ ହୋତା
ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.