ଆନ୍ଦୋଳନରତ ରେସଲରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ, ହଟିଲା ଜନ୍ତରମନ୍ତରରୁ ତମ୍ବୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ନ୍ୟାୟ ପାଇଁ ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ରବିବାର ରେସଲରମାନେ ନୂତନ ସଂସଦ ଭବନ ଯିବାକୁ ବାହାରିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପୋଲିସ ରେସଲରମାନଙ୍କୁ ଅଟକ ରଖିବା ସହ ଜନ୍ତରମନ୍ତରରୁ ତମ୍ବୁ ହଟେଇ ଦେଇଛି । ଏପ୍ରିଲ ୨୩ରୁ ରେସଲରମାନେ ଧାରଣା ଦେଇଥିଲେ । ପୋଲିସ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ଭିନେଶ ଫୋଗଟଙ୍କୁ ଗିରଫ କରିବା ପରେ ରେସଲରମାନେ ରାସ୍ତା ଉପରେ ବସି ରହିଥିଲେ । ଭିନେଶ ଏହା ପୂର୍ବରୁ ଏକ ଭିଡିଓ ଜାରୀ କରି ମହିଳା ମହାପଂଚାୟତରେ ସାମିଲ ହେବାକୁ ଆସୁଥିବା ନେତାଙ୍କୁ ପୋଲିସ ଗିରଫ କରିଥିବା ଅଭିଯୋଗ କରିଥିଲେ । ଫୋଗଟ ଭଉଣୀ ପୋଲିସ ଗିରଫ କରୁଥିବା ବେଳେ ହାତରେ ଜାତୀୟ ପତାକା ଧରି ତଳେ ଗଡୁଥିବା ଫଟୋ ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ୱାତୀ ମାଲିୱାଲ ଶେୟାର କରିଛନ୍ତି । ପୋଲିସ କହିବା ଅନୁସାରେ ସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ରେସଲରଙ୍କ ଅଭିଯୋଗ କ୍ରମେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜନୈକ ପୋଲିିସ ଅଧିକାରୀ କହିଛନ୍ତି । ଟିକରୀ ବର୍ଡର ନିକଟରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଖାପ ପଂଚାୟତ ନେତା, କୃଷକମାନେ ରେସଲର ଆନ୍ଦୋଳନକୁ ସମର୍ଥନ କରିବା ସହ ସଂସଦ ଭବନ ଅଭିମୁଖେ ଯାତ୍ରାରେ ସାମିଲ ହେବେ ବୋଲି ଘୋଷଣା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.