ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗାଠାରେ ବହୁ ପ୍ରତିକ୍ଷିତ ବାଏ ପାସ ନିର୍ମାଣ ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟରୁ ୩୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜମି ଅଧିଗ୍ରହଣ ପାଖା ପାଖି ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି କେସିଙ୍ଗା ବାଏପାସ ରାସ୍ତାର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ଏହାସହ କେସିଙ୍ଗା ଭବାନୀପାଟଣା ସହରରେ ଉପୁଜୁଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବାଏପାସର ନିର୍ମାଣ ଅତ୍ୟନ୍ତ ଜରୁରୀ ଏବଂ ଭବାନୀପାଟଣା ଦେଇ ଜୁନାଗଡ଼ ଯାଉଥିବା ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ ଅନୁରୋଧ କରିଥିଲେ। ତତସହ ଭୁବନେଶ୍ୱରରୁ ଆଠଗଡ଼, ଆଠମଲ୍ଲିକ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଭଦ୍ରାଚଲମ୍ ଦେଇ ହାଇଦ୍ରାବାଦ ପର୍ଯ୍ୟନ୍ତ ଏକ ଗ୍ରୀନ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ମନ୍ତ୍ରୀ ନୀତିନ ଗଡକରିଙ୍କୁ ଅନୁରୋଧ କରିଥିବା ଜଣାପଡିଛି।