ନର୍ଲାରୋଡ଼ ୨୪ ପ୍ରହର ନାମଯଜ୍ଞର ପୂର୍ଣ୍ଣହୁତି ପଡିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଂଚାୟତର ନର୍ଲାରୋଡ଼ରେ ଗତ ୨୫।୫ ରୁ ଚାଲିଆସୁଥିଲା ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଏଥିପାଇଁ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଗତ ରବିବାର ୨୮/୫ ରୁ ଆରମ୍ଭ ହୋଇ ୩୦/୫ ଯାଏଁ ଚାଲିଥିଲା। ମଙ୍ଗଳବାର ପ୍ରାଣ ପ୍ରତିଷ୍ଠା ଯଜ୍ଞ ର ପୂର୍ଣ୍ଣହୁତି ପଡିଥିବା ବେଳେ ଆଜି ବୁଧବାର ସକାଳ ୭.୧୫ ସମୟରେ ୨୪ ପ୍ରହର ନାମଯଜ୍ଞ ପୂର୍ଣ୍ଣହୁତି ପଡିଛି । ଏନେଇ ଶୁକ୍ରବାର ଉଭୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ଅଖଣ୍ଡ ନାମଯଜ୍ଞ ପାଇଁ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରବିବାର ସକାଳ ୭ ଘଣ୍ଟା ସମୟରେ ପବିତ୍ର ହରେକୃଷ୍ଣ ହରେରାମ ନାମ ଆରଂଭ ହୋଇଥିଲା। ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ନେତୃତ୍ୱରେ ନର୍ଲା ଉପରପଡା ଦଳ ଓ ଗୋପୀନାଥପୁର ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିଲେ । ଏଥିରେ ସର୍ଗିଗୁଡା ର ସବିତା ପଧାନ ଓ ସଂକୀର୍ତ୍ତନ ପଧାନ ଦମ୍ପତି ଯଜ୍ଞ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଥିଲେ । ତୁଳାପଡ଼ାର ବ୍ରହ୍ମା ପଣ୍ଡିତ ତରୁ ପାଢ଼ୀ ଓ ନିକୁଞ୍ଜ ପାଢ଼ୀ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ।। ଜପକ ଦାୟିତ୍ୱରେ ନାରାୟଣ ପାଢ଼ୀ ରହି କାର୍ଯ୍ୟକ୍ରମ ନିର୍ବାହନ କରିଥିଲେ । କଳାହାଣ୍ଡି ଜିଲ୍ଲା ନୂଆପଡା ଓ ନବରଙ୍ଗପୁରଜିଲ୍ଲା ବାହାରୁ ଏବଂ ସ୍ଥାନୀୟ ୫ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ସହ ମୋଟ ୧୩ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏହି ନାମଯଜ୍ଞ ରେ ଅଂଶ ଗ୍ରହଣ କରିଥିଲେ । ସର୍ଗିଗୁଡା, ନର୍ଲାରୋଡ଼ ଏବଂ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ର ୮ ଖଣ୍ଡ ଗ୍ରାମର ଯୁବକ ଓ ଶ୍ରଦ୍ଧାଳୁ ଭକ୍ତ ଅନ୍ନଛତ୍ର ରେ ଅନ୍ନ ପ୍ରସ୍ତୁତି କାର୍ଯ୍ୟକ୍ରମ, ପ୍ରହର ଅନୁଯାୟୀ ଭୋଗ ପ୍ରସ୍ତୁତି, ଦଳ ଡାକିବା, ଅନ୍ନଛତ୍ର ରେ ଅନ୍ନପ୍ରସାଦ ପ୍ରସ୍ତୁତି କରିବା, ମଣ୍ଡପ ଭିତରେ ପାଣି ସିଞ୍ଚିବା, ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ପାଇଁ ଜଳପାନ ପ୍ରସ୍ତୁତି ଓ ପରିବେଷଣ କରିବା ଭଳି ଦାୟିତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆଜି ବୁଧବାର ସକାଳ ୭.୧୫ ସମୟରେ ସ୍ଥାନୀୟ ନର୍ଲା ସଂକୀର୍ତ୍ତନ ମଣ୍ଡଳୀ ନାମ ଛାଡିଥିବା ବେଳେ ନାମଯଜ୍ଞ ର ପୂର୍ଣ୍ଣହୁତି ପଡିଛି । କର୍ତ୍ତା ଦମ୍ପତି ସବିତା ପଧାନ ଓ ସଂକୀର୍ତ୍ତନ ପଧାନ ଦଧିହାଣ୍ଡି ନେଇ ନର୍ଲାରୋଡ଼ ନଗର ପରିକ୍ରମା କରିଥିଲେ । ପବିତ୍ର ଦଧିହାଣ୍ଡିକୁ ପ୍ରତ୍ୟେକ ଘର ଦୁଆରେ ଝୋଟିଦେଇ କଳସ ସ୍ଥାପନା କରି ଭବ୍ୟ ସ୍ୱଗାତ ସମ୍ବର୍ଦ୍ଧନା କରିଥିଲେ । ଏହାପରେ ନାମଯଜ୍ଞ ମଣ୍ଡପ ରେ ଦଧିହାଣ୍ଡି ଭଙ୍ଗା ଯାଇଥିଲା । ନର୍ଲାରୋଡ଼ ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ଚବିଶ ପ୍ରହର ନାମଯଜ୍ଞ ରେ ଅଞ୍ଚଳବାସୀଙ୍କ ଆନ୍ତରିକ ସହଯୋଗ ଯୋଗୁଁ ୭ ଦିନ ବ୍ୟାପୀ ଭବ୍ୟ କାର୍ଯ୍ୟକ୍ରମ ସଫଳ ହୋଇପାରିଥିବାରୁ । ଯଜ୍ଞ ପରିଚାଳନା କମିଟିର ସଭାପତି ବିମଲ କୁମାର କେଡ଼ିଆ, ସମ୍ପାଦକ ହମେଶ କୁମାର ଜୈନ, ଉପଦେଷ୍ଟା ଜହଲାଲ ବିଶ୍ଵାଳ ଅଞ୍ଚଳ ବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ୭ ଦିନ ବ୍ୟାପୀ ସଫଳତାର ସହିତ ମହାଯଜ୍ଞ, ପ୍ରାଣ ପ୍ରତିଷ୍ଠା ଓ ନାମଯଜ୍ଞ ଶାନ୍ତି ଶୃଙ୍ଖଳା ଓ ସଫଳତାର ସହିତ ପରିଚାଳନା କରିଥିବାରୁ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଶଙ୍କର ବାଗ ପରିଚାଳନା ସମିତିକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.