ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତ ବୁଢ଼ୀପଦର ଗ୍ରାମରେ ଏକ ଅଘଟଣ ଘଟିଛି । ଆଜି (ବୁଧବାର) ସକାଳେ ଏକ ବିଷଧର ସାପ ଦଂଶନରେ ଗାଁର ଲକ୍ଷ୍ମୀ ସାହୁ(୪୮)ଙ୍କ ଅକାଳ ବିୟୋଗ ହୋଇଛି । ସେ ଘର ବାରଣ୍ଡାରେ ଝାଡୁ ମାରୁଥିବା ସମୟରେ ହଠାତ ଏକ ବିଷଧର ନାଗ ସାପ ତାଙ୍କ ଡାହାଣ ଗୋଡର ପାଦରେ ଦଂଶନ କରିଥିଲା । ଲକ୍ଷ୍ମୀଙ୍କୁ ସଙ୍ଗେ ସାଙ୍ଗେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶେଷରେ ଶବ ବ୍ୟବଚ୍ଛେଦ ପରେ ପରିବାରର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇ ଥିଲା । ରାଜ୍ୟ ସରକାର ସର୍ପ ଦଂଶନରେ ମୃତ ବ୍ୟକ୍ତିଙ୍କୁ ଯୋଗାଇ ଦେଉଥିବା ଆର୍ଥିକ ସହାୟତା ଯଥାଶୀଘ୍ର ମୃତ ଲକ୍ଷ୍ମୀଙ୍କ ପରିବାର ବର୍ଗଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।