ସ୍ୱାମୀ ନାଁରେ କଳଙ୍କ। ସୈତାନ ସାଜିଲା ସ୍ୱାମୀ। ବିଚ ବଜାରରେ ପତ୍ନୀଙ୍କୁ ସ୍ୱାମୀ ଅପମାନ ଦେବା ସହ ଉଲଗ୍ନ କରିଥିବା ଅଭିଯୋଗ। ଗୁଜରାଟର ଦାହୋଦ ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କଠୁ ଅଲଗା ରହୁଥିବା ସ୍ୱାମୀ ଯୋଜନାବଦ୍ଧ ଭାବେ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଭୟଙ୍କର ଘଟଣା ଘଟାଇଛି। ବୁଧବାର ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ ଏହାର ଜବାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଧିକାରୀଙ୍କ କହିବାନୁସାରେ, ମେ ୨୮ ତାରିଖରେ ମହିଳାଙ୍କଠୁ ଅଲଗା ରହୁଥିବା ସ୍ୱାମୀ ଅନ୍ୟ ଦୁଇଜଣଙ୍କ ସହ ମିଶି ତାଙ୍କୁ ଜିଲ୍ଲାର ରାମପୁରା ଗାଁରୁ ଅପହରଣ କରିନେଇଥିଲେ। ସେମାନେ ତାଙ୍କୁ ମାର୍ଗଳା ଗାଁକୁ ନେଇଯାଇଥିଲେ ଯେଉଁଠାରେ ଏହି ନୃଶଂସ ଘଟଣା ଘଟିଥିଲା। ଆଦିବାସୀ ସମ୍ପ୍ରଦାୟର ଏହି ମହିଳା ଜଣକ ଗତ ଦେଢ଼ ବର୍ଷ ହେବ ନିଜ ସ୍ୱାମୀ ଓ ଚାରି ପିଲାଙ୍କ ଠାରୁ ଅଲଗା ରହୁଥିଲେ। ସେ ମେହସାନା ଜିଲ୍ଲାର ଚାନସମାରେ ଅନ୍ୟ ଜଣେ ପୁରୁଷଙ୍କ ସହ ରହୁଥିଲେ, ଯେଉଁଠାରେ ସେମାନେ ଦିନ ମଜୁରିଆ ଭାବେ କାମ କରୁଥିଲେ। ପୀଡ଼ିତାଙ୍କ ଅଲଗା ରହୁଥିବା ସ୍ୱାମୀ ଓ ତାଙ୍କ ସହଯୋଗୀ ତାଙ୍କୁ ଏବଂ ତାଙ୍କ ପ୍ରେମିକଙ୍କୁ ରାମପୁରା ଗାଁରେ ଏକ ବିବାହ ଉତ୍ସବକୁ ନିମନ୍ତ୍ରଣ କରି ପ୍ରଲୋଭିତ କରିଥିଲେ। ତେବେ ସେଠାରେ ପହଞ୍ଚିବା ପରେ ସ୍ୱାମୀ ଓ ତାଙ୍କ ଗୋଷ୍ଠୀ ସେମାନଙ୍କୁ ଜୋର ଜବରଦସ୍ତ ମାର୍ଗଳା ଗାଁକୁ ନେଇଯାଇଥିଲେ। ସେଠାରେ ସମ୍ପୂର୍ଣ୍ଣ ସର୍ବସାଧାରଣରେ ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଁର ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ମହିଳାଙ୍କ ସ୍ୱାମୀ ଓ ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏବେ ଏହି ମାମଲାର ତଦନ୍ତ ଜାରି ରହିଛି।