ଜନବସତିରୁ ବହୁଦୂରେ, କାହା କାମରେ ଆସିବ?
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତର ଟେମରା-ତେନ୍ତୁଳିପାଡା ରାସ୍ତା ମଝିର ଏକ ପଡିଆରେ ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଯାହା ଫଳରେ ଲୋକେ କାର୍ଯ୍ୟର କୌଣସି ସୂଚନା ଜାଣି ପାରୁ ନଥିବା ବେଳେ କେଉଁ ଯେଜନାରେ କାମ ହେଉଛି ତାହା ଭଗବାନକୁ ଜଣା ବୋଲି ଆଲୋଚନା କଲେଣି। ପଞ୍ଚାୟତ ସଦର ମହକୁମା ଠାରୁ ପ୍ରାୟ ଦେଢ଼ କିମି ଓ ତେନ୍ତୁଳିପଡାଠାରୁ ଏକ କିମି ଦୂର ମଝିରେ ଏହି ଶିଶୁ ଉଦ୍ୟାନ କାର୍ଯ୍ୟ ଚାଲୁରହିଛି। ନିକଟରେ ଜନବସତି ନଥିବା ବେଳେ ଆବଶ୍ୟକ ସ୍ଥାନରେ ଏହା ନିର୍ମାଣ ହୋଇଥିଲେ ଲୋକଙ୍କ କାମରେ ଆସିଥାନ୍ତା। ଗାଁ ନିକଟରୁ ଅନେକ ଦୁରରେ ଗ୍ରାମୀଣ ଉଦ୍ୟାନ ହେଉଥିବା ବେଳେ କିଭଳି ଲୋକଙ୍କ କାମରେ ଲାଗିବ। ସରକାରୀ ଅର୍ଥକୁ ଉଚିତ୍ ସ୍ଥାନରେ ବିନିଯୋଗ କରା ନଯାଇ ଠିକାଦାର ପୋଷା ନୀତିରେ ଗାଁ ବାହାରେ କରାଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ କରାଯାଉଛି ତେବେ ସଠିକ୍ ସ୍ଥାନରେ ହେବା କଥା, ଏଥିପାଇଁ ପ୍ରଶାସନ ପକ୍ଷରୁ ଅଞ୍ଚଳର ଅନେକ ଲୋକଙ୍କ ସହିତ ଆଲୋଚନା କରିବା ଜରୁରୀ ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଗ୍ରାମୀଣ ଉଦ୍ୟାନ ଲୋକଙ୍କ କାମରେ ନ ଆସିଲେ କି ଲାଭ ବୋଲି ଉଦବେଗ ପ୍ରକାଶ କରିଛନ୍ତି ଅଞ୍ଚଳର ଲୋକେ। ତେବେ କାର୍ଯ୍ୟସ୍ଥଳରେ ସୂଚନା ବିହୀନ ଫଳକ ଥିବାବେଳେ ଏହା କେଉଁ ବିଭାଗ ଓ ଏହାର ଅଟକଳ ମୁଲ୍ୟ କେତେ ରହିଛି ତାହା ଲୋକଙ୍କୁ ଅଛପା ରହିଛି। ଯାହାକୁ ନେଇ କାର୍ଯ୍ୟ ପ୍ରତି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କୁ ଯୋଗାଯୋଗ କରିବାରୁ ଫୋନ ଉଠେଇନଥିଲେ l ସହକାରୀ ଯନ୍ତ୍ରୀଙ୍କୁ ଦୀର୍ଘ ପାଞ୍ଚ ଘଣ୍ଟା ଫୋନ କଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା l ତେବେ ଟେମରା ସରପଞ୍ଚଙ୍କୁ ପଚାରିବାରୁ ଏହା ଗ୍ରାମୀଣ ଓ ଶିଶୁ ଉଦ୍ୟାନ କାର୍ଯ୍ୟ ଚାଲିଛି, କୌଣସି ଉପଯୁକ୍ତ ସ୍ଥାନ ନ ମିଳିବାରୁ ପଇସା କାହିଁକି ଫେରିଯିବ ସେଥିପାଇଁ ଚତୁର୍ଦଶ ଅର୍ଥ କମିଶନରୁ କୋଡିଏ ଲକ୍ଷ ଟଙ୍କାରେ ନିର୍ମାଣ ହେଉଛି କିନ୍ତୁ ସୂଚନା ଫଳକ ନାହିଁ ବୋଲି କହିଥିଲେ l