ଆମାନାରାରେ ଡକାୟତି କରି ଚମ୍ପଟ ମାରିଥିବା ୬ ଦୁର୍ବୃତ୍ତ ଗିରଫ 

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ଡ଼କାୟତି କରି ଫେରାର ହୋଇ ଯାଇଥିବା ୬ଜଣ ଦୁର୍ବୃତ୍ତକୁ ଗିରଫ କରିଛି ନୂଆପଡା ପୋଲିସ । ଉକ୍ତ ୬ ଜଣ ଦୁର୍ବୃତ୍ତ ମାନେ ହେଲେ ଖରିଆର ରୋଡ ବଜାର ପଡାର ସୁନୀଲ ଚନ୍ଦ୍ରକାର (୩୨), ଖାମତରାଇ ଥାନା ଅଟଳ ନଗର ରାୟପୁରର ବଜରଂଗୀ ଓରଫ ଅଭିନାଶ ସିଂ (୨୪), ଉର୍ଲା ଥାନା ରାୟପୁରର ଦୀପକ ରୋଏ (୨୬), ଖାଲ୍ଲରୀ ଥାନା ଭୀମଖୋଜର ଓଁ ପ୍ରକାଶ ବରିହା (୨୩), ଖାଲ୍ଲରୀ ଥାନା ମନ୍ଦିର ପଡା ୱାର୍ଡ ନମ୍ବର ୧୨ର ମୁକେଶ ଯାଦବ(୩୦) ଓ ମହାଭୀର ଯାଦବ(୨୨)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି |

ପ୍ରକାଶ ଯେ ସଦର ବ୍ଲକ ଧରମବନ୍ଧା ପଂଚାୟତ ଆମାନାରା ଗାଁର ମୋତିନ ବାଇ ସାହୁ (୫୦) ଗତ ମାସ ୩୦ ତାରିଖ ରାତିରେ ଶୋଇ ଥିବାବେଳେ କିଛି ଦୁର୍ବୃତ ଗ୍ରିଲ ଗେଟ ତାଲା ଭାଙ୍ଗି ଘର ଭିତରକୁ ପସି ଆସି ଯାଇଥିଲେ | ଘର ଲୋକଙ୍କୁ ଡରେଇବା ପାଇଁ ଲାଲ ସଲାମ କହିଲେ ଓ ୨ ପକେଟ ଚାଉଳ ଓ ୧ ବଡ଼ ଟିଣ ତେଲ ଡବା ମାଗିଲେ | ତେବେ ମୋତିନ ବାଇ ସାହୁଙ୍କ ପୁଅ ଅଚାନକ ଆସିବାରୁ ଦୁବୃତ୍ତ ମାନେ ଭୟରେ ସେଠାରୁ ଚମ୍ପଟ ମାରିଥିଲେ | ଦୁର୍ବୃତ ମାନେ ଉକ୍ତ ସ୍ଥାନ ଛାଡି ଯିବା ସମୟରେ ନିଜେ ବ୍ୟବହାର କରିଥିବା ଗୋଟିଏ ବାଇକ ନଂ CG 06 GT 4943, ଗୋଟିଏ ମୋବାଇଲ, ବଡ଼ ଆରିପତି ଛାଡି ପଳାଇ ଥିବା ବେଳେ ମୋତିନ ସାହୁଙ୍କ ଘରୁ ଏକ ସେମସଙ୍ଗ ମୋବାଇଲ ନେଇ ଯାଇଥିଲେ |

ତେବେ ପୋଲିସ ଏହି ଘଟଣାଟିକୁ ଗମ୍ଭୀରତାର ସହିତ ନେଇ ଉକ୍ତ ସାମଗ୍ରୀକୁ ଜବତ କରି ତୁରନ୍ତ ଆସାମୀ ମାନଙ୍କୁ ଖୋଜିବାରେ ଲାଗିଗଲା | ନୂଆପଡା ଏସ. ପି ଜି. ଆର ରାଘବେନ୍ଦ୍ରଙ୍କ ନିର୍ଦେଶ କ୍ରମେ ଏସ. ଡି. ପି. ଓ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଇନଚାର୍ଜ ଆଇ. ଆଇ. ସି ଧରମବନ୍ଧା ବିନୋଦ ବିହାରୀ ସେଠୀ, ଲଖନା ଆଇ. ଆଇ. ସି ଗୁରୁଦେବ କର୍ମୀ, ଏସ. ଆଇ ଅରବିନ୍ଦ ମେହେର, ଆଇ. ଆଇ. ସି ନୂଆପଡା ନିର୍ମଳ ପାଣିଗ୍ରାହୀ, ଖରିଆର ରୋଡ ଆଇ. ଆଇ. ସି କୈଳାଶ ଚନ୍ଦ୍ର ସେଠୀ, ଏସ. ଆଇ ଜେ. ଆର ସେନାପତୀ ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହି ଘଟଣାର ତଦନ୍ତ କରିଥିଲେ | ଏହା ପରେ ଉକ୍ତ ଟିମ ପଡୋଶୀ ଛତିଶଗଡ଼ ରାଜ୍ୟର ରାୟପୁର, ଖଲ୍ଲରୀ, ବାଗବାହାରା ଠାରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ. ପି ଶ୍ରୀ ଜି. ଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.