ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡିରେ ସାରା ବିଶ୍ୱ ସ୍ତବ୍ଧ; ସବୁଠି ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଶୁକ୍ରବାର ସେଇ କାଳ ରାତିରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ଗୋଟିଏ ନୁହେଁ ତିନୋଟି ଟ୍ରେନ ଏକ ସଙ୍ଗରେ ଦୁର୍ଘଟଣାଗ୍ରସ୍ତ ହେଲେ । ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଦୁର୍ଘଟଣାର ସେ ଭୟଙ୍କର ଦୃଶ୍ୟ । ଏ ଦୃ୍ଶ୍ୟ ଖାଲି ସ୍ଥାନୀୟ ବାସିନ୍ଦା ନୁହେଁ, ସାରା ବିଶ୍ୱବାସୀଙ୍କ ହୃଦୟକୁ ଭିଜାଇ ଦେଇଛି । ସମସ୍ତେ ସ୍ତବ୍ଧ । ସମସ୍ତଙ୍କ ହୃଦୟ ଶୋକାକୁଳ । ସବୁଠି ଆସୁଛି ଶୋକର ବାର୍ତ୍ତା । ବାଲେଶ୍ୱର ଜିଲ୍ଲା ବାହନଗାଠାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୬୧ରେ ପହଞ୍ଚିଲାଣି । ୧୦୦୦ ଆହତଙ୍କର ବିଭିନ୍ନ ଡାକ୍ତରଖାନାରେ ଚିିକିତ୍ସା ଚାଲିଛି । ସବୁଠି ହାହାକାର..ସବୁଠି ଆତ୍ମୀୟ ସ୍ୱଜନଙ୍କ ବିୟୋଗରେ କରୁଣ ଚିତ୍କାର । ଏ ପରିସ୍ଥିତି ଶତ୍ରୁ ରାଷ୍ଟ୍ରର କଲିଜାକୁ ଥରାଇ ଦେଇଛି । ଭାରତର ଏପରି ଭୟବହ ଦୁର୍ଘଟଣାରେ ରୁଷ, ବ୍ରିଟେନଠାରୁ ଆରମ୍ଭ କରି ପାକିସ୍ତାନ, ଆଫାଗିନିସ୍ତାନରୁ ବି ଛୁଟୁଛି ଶୋକର ବାର୍ତ୍ତା ।

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଉ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିବାବେଳେ ତାଇୱାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ୍ ମଧ୍ୟ ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ସମସ୍ତ ପୀଡ଼ିତଙ୍କ ପାଇଁ ମୁଁ ପ୍ରର୍ଥନା କରୁଛି।

ସେହିପରି ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଗଭୀର ଦୁଃଖ ପ୍ରକାଶ ସହ ଆହତଙ୍କ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି ।  ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ମଧ୍ୟ ମୃତକଙ୍କ ପ୍ରତି ଗଭୀର ସମବେଦନ ଜଣାଇ ଟୁଇଟ କରିବା ସହ ଉଦ୍ଧାରକାର୍ଯ୍ୟରେ ଲଗିଥିବା ସମସ୍ତଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି ।

ଅନ୍ୟପକ୍ଷେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଶୋକବାର୍ତ୍ତା ଦେଇ କହିଛନ୍ତି, ଭାରତରେ ଟ୍ରେନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଅତ୍ୟ ଦୁଃଖଦାୟକ ବୋଲି କହିଛନ୍ତି । ସେହିପରି ଆଫଗାନିସ୍ତାନର ତାଲିବାନ ଶାସକଙ୍କ ପକ୍ଷରୁ ଏହି ଦୁର୍ଘଟଣା ନେଇ ଶୋକ ପ୍ରକାଶ କରାଯାଇଛି।

ଅନ୍ୟପକ୍ଷେ ସୋନିଆ ଗାନ୍ଧି ଶୋକ ପ୍ରକାଶ କରି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.