ନବୀନଙ୍କ ଶାସନର କେତେକ ସଫଳ ଫର୍ଦ୍ଦ 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବହୁ ଅଭିନବ ଯୋଜନା ପ୍ରଣୟନ କରାଯାଇଛି । ଏଥିପାଇଁ ବିଭିନ୍ନ ସମୟରେ ରାଜ୍ୟକୁ କେନ୍ଦ୍ର ସରକାର ଓ ଆନ୍ତର୍ଜାତୀୟ ସ୍ତରରୁ ଅନେକ ପୁରସ୍କାର ମିଳିଛି । ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ଅନ୍ୟ ରାଜ୍ୟ ବି ଅନୁକରଣ କରିଛନ୍ତି । ଜନ୍ମରୁ ମୃତ୍ୟୁ ଯାଏ ଯୋଜନା ଖଞ୍ଜିଦିଆଯାଇଛି । ପିଲାଟିଏ ମା’ ଗର୍ଭରେ ଥିଲା ବେଳେ ‘ମମତା’ ଯୋଜନାରେ ମା’ ଉପକୃତ ହେଉଛି । ସେମିତି ମଶାଣି ଭୂଇଁରେ ‘ହରିଶ୍ଚନ୍ଦ୍ର’ ଯୋଜନା ବି କାର୍ଯ୍ୟକାରୀ କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ସାଜିଛି । ନିୟମିତ ବ୍ୟବଧାନରେ ପ୍ରକୃତି ଦାଉ ସାଧୁଛି। ୧୯୯୯ ମହାବାତ୍ୟା ଜନଜୀବନକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା । ଏହା ପରେ ୨୦୦୦ ମସିହାରେ ରାଜ୍ୟର ଶାସନ ଡୋରି ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୨୨ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ରୋଲ୍‌ ମଡେଲ୍‌ରେ ପରିଣତ କରାଇବାରେ ନବୀନ ସଫଳ ହୋଇଛନ୍ତି । ବିପର୍ଯ୍ୟୟରେ ‘ଜିରୋ କାଜୁଆଲ୍‌ଟି’କୁ ଫୋକସ୍‌ରେ ରଖି ସରକାର ବିପର୍ଯ୍ୟୟ ପରିଚାଳନାରେ ସଫଳ ହୋଇଛନ୍ତି । ଗତ କିଛି ବର୍ଷ ହେଲା ରାଜ୍ୟର କ୍ରୀଡ଼ା‌ର ବିକାଶ ବେଶ୍‌ ଆଖିଦୃଶିଆ ହୋଇଛି । ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଜାତୀୟ ଦରବାରରେ ନିଜର ସ୍ଥିତି ଜାହିର କରିଛି । ଜାତୀୟ ହକି ଦଳର ପ୍ରାୟୋଜକ ହେବା ପାଇଁ ହାତ ବଢ଼ାଇ ନବୀନ ଏକ ଐତିହାସିକ ପଦ‌କ୍ଷେପ ନେଇଥିଲେ । ଏହା ସହ କ୍ରୀଡ଼ା ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ବିକାଶ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାକୁ ଓଡ଼ିଶା ସକ୍ଷମ ହୋଇଛି । ଓଡ଼ିଶାର ଲୋକସଂଖ୍ୟାର ସିଂହ ଭାଗ ନିଜ ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ କୃଷି ପାଇଁ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରୁଛନ୍ତି । କୃଷି କ୍ୟାବିନେଟ୍‌ ବି ଗଠନ କରାଯାଇଛି । ପୁଣି କାଳିଆ ‌ଯୋଜନାରେ ଚାଷୀଙ୍କ ଆକାଉଣ୍ଟ୍‌କୁ ସିଧାସଳଖ ଟଙ୍କା ଦିଆଯାଇ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶାର ପରିଚୟ ହେଉଛି କାରୁକାର୍ଯ୍ୟସମ୍ପନ୍ନ ମନ୍ଦିର । ରାଜ୍ୟବାସୀଙ୍କ ଭାବାବେଗ ସହ ଏହି ମନ୍ଦିର ଓ ତୀର୍ଥକ୍ଷେତ୍ର ଜଡ଼ିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳିରେ ମନ୍ଦିରଗୁଡ଼ିକର ପାରିପାର୍ଶ୍ବିକ ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି । ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଜାରି ରହିଛି । ତାରାତାରିଣୀ ମନ୍ଦିରର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଶେଷ ହୋଇଛି । ସେହିପରି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର, ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର, କଟକର ଚଣ୍ଡୀ ମନ୍ଦିର, ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିରର ବିକାଶ ସହ ବିଭିନ୍ନ ଜିଲ୍ଲାର ଅନେକ ମନ୍ଦିରର ରୁପାନ୍ତରିତ କାମ ଚାଲିଛି । ଓଡିଶା ସରକାର ବେଲଖଣ୍ଡି ମନ୍ଦିର, ବୁଢାରଜା ମନ୍ଦିର ଆମପାଣି, ଗୁଡ଼ହାଣ୍ଡି ଓ ଭଣ୍ଡାରଘରେନ ମନ୍ଦିର ଧର୍ମଗଡ଼ର ଉନ୍ନତି/ରୂପାନ୍ତରିତ କରିବା ଅନୁରୋଧକୁ ଧ୍ୟାନ ଦେବା ଭଲ ପଦକ୍ଷେପ । ନବୀନଙ୍କ ଏହି ଐତିହାସିକ ପଦ‌କ୍ଷେପଗୁଡ଼ିକୁ ସାଧାରଣରେ ବେଶ୍‌ ସମର୍ଥନ ବି ମିଳିଛି ।ଓଡିଶାରେ ନିବେଶ କରିବାକୁ ପୁଂଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ପରେ ଓଡିଶାରେ ପୁଂଜିନିବେଶର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟରେ ସର୍ବବୃହତ ଅତ୍ୟାଧୁନିକ ଷ୍ଟିଲ ପ୍ଲାଂଟ୍ ପ୍ରତିଷ୍ଠା ହେବ । ୩୦ ନିୟୁତ ଟନର ଏହି ମେଗା ଗ୍ରୀନ୍ ଫିଲ୍ଡ ଗଢିବ ଜାପାନ ଷ୍ଟିଲ । ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଆଲୋଚନା ବେଳେ ନିପନ ଷ୍ଟିଲ କର୍ପୋରେସନ୍ର ସଭାପତି ଏଇଜି ହାଶିମୋଟା ଏନେଇ ଘୋଷଣା କରିଛନ୍ତି । ପ୍ରସ୍ତାବିତ ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ଅନୁମାନ କରାଯାଉଛି । ୨୦୨‌୧ରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ୯୦ ଲକ୍ଷରୁ ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରୁ ନଥିବାରୁ ରାଜ୍ୟ ସରକାର ସମାଲୋଚନାର ଶିକାର ହେଉଛନ୍ତି ସତ  କିନ୍ତୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବାରୁ ଗରିବ ଲୋକମାନେ ଉପକୃତ ହେଉଛନ୍ତି । ନବୀନ ପଟ୍ଟନାୟକ ମୂଖ୍ୟମନ୍ତ୍ରୀ ଭାବରେ ୨୪ ବର୍ଷ ପୂରଣ କରି ସାରିଛନ୍ତି । ନିକଟରେ ସେ ‘ମୋ ଘର’ ଯୋଜନା ପ୍ରଣୟନ କରିଛନ୍ତି, ଯାହା ତାଙ୍କୁ ଅଦ୍ଭୁତ ପୂର୍ବ ସଫଳତା ଆଣିଦେବ ବୋଲି ଆଶା କରାଯାଉଛି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.