ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ I ରେଳ ଦୁର୍ଘଟଣାରେ ସରକାରୀ ହିସାବ ଅନୁସାରେ ୨୮୮ ଜଣଙ୍କର ମୃତ୍ୟୁ ଘଛି I ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରୁ ଭୁବନେଶ୍ବରକୁ ଅଣାଯାଇଥିବା ମୋଟ ୧୯୩ ଶବ ମଧ୍ୟରୁ ୧୧୧ଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇସାରିଲାଣି। ଆହୁରି ୮୩ ଟି ମୃତଦେହ ଏବେ ବି ଭୁବନେଶ୍ବର ଏମସରେ ରହିଛି । ରହିଥିବା ମୃତଦେହ ଗୁଡିକ ଟିହ୍ନଟ ହୋଇପାରିନି । ସେ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ ତାଙ୍କର ବୟାନ ଦେଇ କହିଛନ୍ତି, ‘୮୩ଟି ମୃତଶରୀର ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ। ସେଥିମଧ୍ୟରୁ ୫୦ଟି ମୃତଶରୀରର ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି। ବର୍ତ୍ତମାନ ସୁଧା ବହୁ ପରିବାର ଲୋକ ଫଟୋ ଏବଂ ପରିଚୟ ପତ୍ର ଦେଖାଇ ମୃତ ଶରୀର ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି। ମୃତ ବ୍ୟକ୍ତିଙ୍କ ଶେଷ କଲର ଯାଞ୍ଚ୍ ହେଉଛି। ଦୁର୍ଘଟଣା ପୂର୍ବରୁ ଯେଉଁମାନେ ଫୋନରେ କଥା ହୋଇଛନ୍ତି ଏବଂ ପରେ ମୋବାଇଲ କେଉଁ ଲୋକେସନରେ ଥିଲା ତାହା ଯାଞ୍ଚ୍ ହେଉଛି। କିଏ କଥା ହୋଇଥିଲା। କାହାକୁ କଲ କରାଯାଇଥିଲା। ସେସବୁ ମଧ୍ୟ ଯାଞ୍ଚ କରାଯାଉଛି।’ ଏହାଛଡ଼ା ସେ ଆହୁରି ବି କହିଛନ୍ତି ଯେ ଏଭଳି ବିଭିନ୍ନ ପର୍ଯ୍ୟାୟ ଯାଞ୍ଚ ପରେ ହିଁ ମୃତ ଶରୀର ହସ୍ତାନ୍ତର ହେଉଛି।ବର୍ତ୍ତମାନ ଶବ ଗୁଡ଼ିକ ଭୁବନେଶ୍ବର ଏମସରେ ସ୍ବତନ୍ତ୍ର କଣ୍ଟେନରରେ ରଖାଯାଇଛି । କାହାର ଶବ ଚିହ୍ନଟ ହୋଇଛି, କାହାର ଚିହ୍ନଟରେ ସମସ୍ୟା ଥିବାରୁ ଡିଏନଏ ପରୀକ୍ଷା କରାଯାଉଛି । ଏମସ ପରିସରରେ ଏବେ ଶବ ଖୋଜିବାକୁ ବନ୍ଧୁ ପରିଜନଙ୍କ ଭିଡ଼ ଲାଗୁଛି । ମୃତ ଶରୀର ନେବାକୁ ଆସିଥିବା ପରିବାର ଲୋକଙ୍କ ପାଇଁ ରହିବା, ଖାଇବାର ସ୍ୱତନ୍ତ୍ର ଵ୍ୟଵସ୍ଥା କରାଯାଇଛି। ଲଗାତାର ଭାବେ ଦୁଇ ଦିନ ଧରି ଖବର ଆସୁଛି ଗୋଟିଏ ମୃତ ଦେହକୁ ଏକାଧିକ ଦାବିଦାର ଥିବା ନଜରକୁ ଆସିଛି। ମୃତଦେହ ଚିହ୍ନଟ ଲାଗି ଗତକାଲି ୫୦ଟି ସାମ୍ପୁଲ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି। ସେପଟେ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ପଛରେ ଅଛି କେଉଁ କାରଣ ? ତାକୁ ନେଇ ଖୋଳତାଡ଼ କରୁଛି ସିବିଆଇ । ଆଜି ସିବିଆଇ ତଦନ୍ତର ତୃତୀୟ ଦିନ । ଆଜି ସିବିଆଇର ଏକ ଟିମ ଭୁବନେଶ୍ବର ଆସି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ଲୋକୋ ପାଇଲଟ ସହ କିଛି ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିପାରେ । ସିବିଆଇର ଆଉ ଏକ ଟିମ ଘଟଣାସ୍ଥଳ ଓ ଷ୍ଟେସନରେ କରିବ ତନାଘନା ।ସୂଚନାଯୋଗ୍ୟ, ଗତକାଲି ଯାଜପୁର ରୋଡ଼ ଷ୍ଟେସନରେ ଘଟିଛି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା I କାଳ ବୈଶାଖୀ ଦାଉରୁ ରକ୍ଷା ପାଇବା ପାଇଁ ଷ୍ଟେସନରେ ଅନେକ ଦିନରୁ ଖାଲି ଥିବା ୱାଗନ ମଧ୍ୟରେ ଆଶ୍ରୟ ନେଇଥିଲେ କିଛି ରେଳ ଠିକା ଶ୍ରମିକ I ତେବେ ପ୍ରଚଣ୍ଡ ପବନ ଯୋଗୁଁ ୱାଗନର କିଛି ଦବ ଗୁଡିକ ଠେଲି ହେଇଯିବାରୁ ତା’ତଳେ ଆଶ୍ରୟ ନେଇଥିବା ଶ୍ରମିକ ମାନେ ଚାପି ହୋଇ ୬ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା I ଏହି ଘଟଣାରେ ଆଜି ଖୋର୍ଦ୍ଧା ଡିଆରଏମ ଙ୍କ ଏକ ସେଫଟି ଟିମ ଘଟଣାସ୍ଥଳ ପରିଦର୍ଶନ ପାଇଁ ଯାଇଛି I