ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଐତିହାସିକ, ପ୍ରତ୍ନତାତ୍ବିକ, ପୌରାଣିକ, ସାଂସ୍କୃତିକ ଓ ପ୍ରାଚୀନ ଧର୍ମଧାରାର ପେଣ୍ଠସ୍ଥଳୀ କଳାହାଣ୍ଡି ଜିଲ୍ଲା । ଏଠାରେ ଗୋଟିଏରୁ ଗୋଟିଏ ବଳି ପର୍ଯ୍ୟଟନସ୍ଥଳୀ ରହିଛି । କିଛି ସ୍ଥାନକୁ ରାଜ୍ୟ ସରକାର ପର୍ଯ୍ୟଟନ ପୀଠର ମାନ୍ୟତା ଦେଇ ସାରିଥିବା ବେଳେ ଏବେ ବି ଅନେକ ପୀଠ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଏଭଳି ଏକ ସ୍ଥାନ ହେଉଛି କେସିଙ୍ଗା ବ୍ଲକ ମହଗାଁଠାରେ ଥିବା ସୁନାମୁଖି ଶାନ୍ତିବନ । ନାଁ ଯେମିତି ସ୍ଥାନ ମଧ୍ୟ ସେମିତି । ଏଠାରେ କିଛି ସମୟ ଅତିବାହିତ କଲେ ଜୀବନର ପ୍ରକୃତ ଶାନ୍ତି ଉପଲବ୍ଧି କରିହୁଏ । ଚାରିଆଡେ ସବୁଜ ବନାନୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁରା ପରିବେଶ । ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଦାବି ହୋଇ ଆସୁଛି । ଐତିହାସିକ ଦୃଷ୍ଟିକୋଣରୁ ଏହି ସ୍ଥାନ ପୂର୍ବେ ଅସୁରଗଡ ଦୁର୍ଗ (ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ଦ୍ବିତୀୟ ଶତାବ୍ଦୀ)ର ଲବଣପଥ ସହ ସଂଯୁକ୍ତ ହୋଇଥିଲା । ଏହି ପଥ ଦେଇ ବାଣିଜ୍ୟ କାରବାର ହେଉଥିଲା । ଲୋକଶୃତି ଅନୁସାରେ ଅସୁରଗଡରେ ଗୋସିଙ୍ଗ ଦୈତ୍ୟ ନାମରେ ଜଣେ ଶକ୍ତିଶାଳୀ ରାଜା ରାଜୁତି କରୁଥିଲେ । ସେ ଦେବଗିରିର ଗୁମ୍ଫା ଭିତରେ ଶିବ ଆରଧନା କରୁଥିବାବେଳେ ଏହି ସୁନାମୁଖି ଶାନ୍ତିବନ ଅଞ୍ଚଳରେ ଜନ୍ତୁ ଶିକାର କରୁଥିଲେ । ଶାରଳା ଦାସ ମହାଭାରତରେ ଗୋସିଙ୍ଗ ଦୈତ୍ୟ ବଧ ନାମରେ ଏକ ଆଖ୍ୟାନ ଲେଖିଛନ୍ତି । ଏପରି ଏହି ସ୍ଥାନର ମହତ୍ତ୍ଵ ଐତିହାସିକ, ପୌରାଣିକ ଓ କିମ୍ବଦନ୍ତୀ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ତେବେ ସମୟର ନିଷ୍ଠୁର ପଟ୍ଟ ପରିବର୍ତ୍ତନ ଯୋଗୁଁ ଏହି ସ୍ଥାନ ତା’ର ପୂର୍ବ ଗୈାରବ ହରାଇ ବସିଛି । ଏଠାରେ ଥିବା ସନ୍ଥ ନିରଞ୍ଜନ ବାବାଙ୍କ ମଠ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା । ଏହାସହ ମଦ୍ୟପମାନେ ଏହି ସ୍ଥାନରେ ଆଡ୍ଡା ଜମାଇ ପରିବେଶକୁ କଳୁଷିତ କରି ଦେଇଥିଲେ । ସୁନାମୁଖି ଶାନ୍ତିବନ କମିଟି, ଆଦିବାସୀ ମହିଳା କମିଟି ଓ ମହଗାଁ ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ସ୍ଥାନ ଦୀର୍ଘ ୩୦ ବର୍ଷ ପରେ ଏକ ମନୋରମ ସ୍ଥାନରେ ପରିଣତ ହୋଇଛି । ଏହି ସ୍ଥାନ କେସିଙ୍ଗା ଓ ନର୍ଲା ବ୍ଲକ ମୁଖ୍ୟାଳୟରୁ ୧୯ କିମି ଓ ଭବାନୀପାଟଣାରୁ ୨୯ କିମି ଦୂରରେ ରହିଛି । ନିକଟରେ ସୁନାମୁଖି ଶାନ୍ତିବନ କମିଟି, ଆଦିବାସୀ ମହିଳା କମିଟି ଓ ମହଗାଁ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଚାନ୍ଦା ସଂଗ୍ରହ କରି ସତ୍ୟ ମହିମା ଆଶ୍ରମ ନିର୍ମାଣ କରିବାସହ ସୁନାମୁଖି ମଞ୍ଚ ଓ ପର୍ଯ୍ୟଟକ ମାନଙ୍କ ସାମୟିକ ବିଶ୍ରାମ ପାଇଁ ପିଣ୍ଡି ସବୁ ନିର୍ମାଣ କରିଛନ୍ତି । ଏହାସହ ଯାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ଏକ କଲ୍ୟାଣ ମଣ୍ଡପ ମଧ୍ୟ ନିର୍ମାଣ ହୋଇଛି । ନିଜର ଶ୍ରମ ଓ ଅର୍ଥଦାନରେ ଏହି ଦୁଇ କମିଟି ଓ ଗ୍ରାମବାସୀମାନେ ପ୍ରକୃତିର ଉତ୍ତମ ସଂରକ୍ଷଣ କରିପାରି ଥିବାରୁ ସୁନାମୁଖି ଶାନ୍ତିବନର ସତ୍ୟ ମହିମା ଆଶ୍ରମ ପ୍ରକୃତି ମିତ୍ର ପୁରସ୍କାର ପାଇବା ପାଇଁ ହକଦାର ବୋଲି ପ୍ରକୃତି ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି । ଠିକ୍ ସେହିପରି ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏଭଳି ଏକ ସ୍ଥାନର ଉନ୍ନତି ସହ ସୁନାମୁଖି ଶାନ୍ତିବନକୁ ଏକ ପର୍ଯ୍ୟଟନ ପୀଠର ମାନ୍ୟତା ଦେବାକୁ ଦାବି ହୋଇଛି ।