ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ରେଳ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିଲା । ବ୍ରେକ ବାଇଣ୍ଡିଆରେ ସ୍ପାର୍କିଂ ହୋଇ ଟ୍ରେନରେ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନଟି ପ୍ରାୟ ଘଣ୍ଟାଏ କାଳ ଷ୍ଟେସନରେ ଅଟକି ରହିଥିଲା । ଏଥିରେ କୌଣସି କ୍ଷୟ କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ପ୍ରକାଶ ଯେ ଗୁରୁବାର ରାତି ପ୍ରାୟ ୧୦ଟାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଖରିଆର ରୋଡ ଷ୍ଟେସନରେ ଆସି ପହଂଚି ଥିଲା | ତେବେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ୍ ଜିଲ୍ଲା କୋମାଖାନ ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଯାତ୍ରୀ ଜାଣି ପାଇ କତୃପକ୍ଷଙ୍କୁ ସୂଚନା ଦେଇ ଥିଲେ | କୋମାଖାନ ଷ୍ଟେସନରେ ବିଶେଷ ସୁବିଧା ନ ଥିବାରୁ ରେଳବାଇ କତୃପକ୍ଷ ସୁରକ୍ଷା ଦୃଷ୍ଟି ରୁ ୧୦ କି.ମି ଦୂର ଖରିଆର ରୋଡ ଷ୍ଟେସନକୁ ଆଣିଥିଲେ | ଟ୍ରେନର ଏ.ସି ବଗି (ବି -୩) ଚକର ବ୍ରେକ ବାଇଣ୍ଡି ରେ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା | ଫଳରେ ସେଠାରୁ ପ୍ରବଳ ଧୂଆଁ ବାହାରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନ ରୁ ଓଲ୍ହାଇ ପଡ଼ିଥିଲେ | ଷ୍ଟେସନ ସମ୍ପୂର୍ଣ ଭାବେ ଧୂଆଁମୟ ହୋଇ ଉଠିଥିଲା | ସୂଚନା ପାଇବା ପରେ ଖରିଆର ରୋଡ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଆସି ଟ୍ରେନ ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା | ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି | ଅପରପକ୍ଷେ ଟ୍ରେନରେ ଏ.ସି ନ ଚାଲିବାରୁ ଯାତ୍ରୀମାନେ ଷ୍ଟେସନ ରେ ହୋହାଲ୍ଲା କରିଥିଲେ | ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏ.ସି ଚାଲୁ ନ ଥିବା ରେଳବାଇ ବିଭାଗ ସୂଚନା ଦେଇଛି | ଆଗାମୀ ଷ୍ଟେସନରେ ଏ.ସି ସଜାଡ଼ିବା ପ୍ରତିଶୃତି ଦେବାରୁ ଯାତ୍ରୀମାନେ ଟ୍ରେନରେ ଚଢିଥିଲେ | ଉକ୍ତ ଟ୍ରେନଟି ସନ୍ଧ୍ୟା ୬.୫୩ରେ ପହଂଚିବା କଥା କିନ୍ତୁ ତାହା ବିଳମ୍ବ ଚାଲି ୧୦.୦୦ ଟାରେ ପହଂଚି ଥିଲା ଓ ୧୧.୦୫ ରେ ଖରିଆର ରୋଡ ଷ୍ଟେସନରୁ ଛାଡିଥିଲା | ଏବେ ଟ୍ରେନ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳକୁ ଅଗ୍ରସର ହୋଇଥିବା ସୂଚନା ମିଳିଛି |