କ୍ରିକେଟ ଖେଳି ସ୍ଵିଡେନରେ ଚମକିଲେ ଓଡ଼ିଆ ପୁଅ ଦେବାର୍ଚ୍ଚନ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଓଡ଼ିଆଙ୍କ ଗୁଣସୂତ୍ରରେ ସବୁବେଳେ ସୃଜନଶୀଳତାର ପ୍ରବହମାନ ଧାରା ଯୁଗେ ଯୁଗେ ପ୍ରତିପାଦିତ ହୋଇ ଆସୁଛି । ସେହି ଧାରାରେ ଓଡ଼ିଆମାନେ ଦେଶ ବିଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରି ମାଟିର ଗୌରବକୁ ମହିମା ମଣ୍ଡିତ କରିଆସିଛନ୍ତି । ଏହିଭଳି ଏକ କ୍ରୀଡା ପ୍ରତିଭା ଖଲ୍ଲିକୋଟ ସହର ବଙ୍ଗଳା ସାହି ନିବାସୀ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ରାମହରି ଦାଶଙ୍କ ପୁତ୍ର ଦେବାର୍ଚ୍ଚନ ଦାଶ । ପିଲାଟି ଦିନରୁ ତାଙ୍କର କ୍ରୀଡା ପ୍ରତି ଦୁର୍ବଳତା ରହି ଆସିଥିଲା । ସେ ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ପାଠପଢା ସହ ଖେଳକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଦେବାର୍ଚ୍ଚନ ସ୍ୱିଡେନରେ କ୍ରିକେଟ ଖେଳି ନିଜର ଅଫୁରନ୍ତ ଦକ୍ଷତା ପ୍ରତିପାଦିତ କରିଥିବା ବେଳେ ସେଠାକାର ଜାତୀୟ କୋଚ ଜଣ୍ଟି ରୋଡ୍ସଙ୍କ ସାନ୍ନିଧ୍ୟ ପାଇ ୨୦୨୧ କ୍ରିକେଟ ଜାତୀୟ କ୍ରୀଡାରେ ସଫଳତା ଆଣିଥିଲେ । ୨୦ ୨୨ରେ ଜଣେ ଭଲ ବ୍ୟାଟ୍ସମ୍ୟାନ ହିସାବରେ ସେ ଅନେକ ପୁରସ୍କାର ହାସଲ କରିବା ସହ ବହୁ ମେଡାଲ ଓ ଟ୍ରଫି ହାସଲ କରିଥିଲେ । ସ୍ୱିଡେନ ତରଫରୁ ୟୁରୋପିଆନ୍ ନେସନାଲ୍ ଖେଳାଳି ଭାବେ ପ୍ରତିନିଧିତ୍ବ କରିଥିଲେ । ସ୍ୱିଡେନ ଜାତୀୟ କ୍ରୀଡା ଟି-୧୦ ରେ ସ୍ପେନ ଠାରେ ଯୋଗ ଦେଇଥିବା ବେଳେ ବେଷ୍ଟ ପ୍ଲେୟର୍ ଇନ୍ ୟୁରୋପିଆନ୍ କ୍ରିକେଟ୍ ଏଟ୍ ମାଇମୋ ୨୦୨୦ ଓ ମେନ୍ ଅଫ ଦି ସିରିଜ୍ ୨୦୧୯ ଏବଂ ବେଳେ ଟି-୨୦ ବିଜେତା ଟ୍ରଫି ପାଇଥିଲେ । ୨୦୨୦ ରେ ସ୍ୱିଡେନ ଟି-୧୦ ଚାମ୍ପିଅନ୍ ଗୌରବ ଆଣିଥିଲେ ।

୪୫ ବର୍ଷୀୟ ଦେବାର୍ଚ୍ଚନ ସ୍ୱିଡେନଠାରେ କେପଜେମିନି କମ୍ପାନୀରେ ମେନେଜିଙ୍ଗ ଡେଲିଭରି ଆର୍କିଟେକ୍ଟ ଭାବେ ଗତ ସାତ ବର୍ଷ ହେଲା କାମ କରିଆସୁଛନ୍ତି । ତେବେ ତାଙ୍କ ସ୍ୱିଡେନ ରହଣି କାଳ ମଧ୍ୟରେ ଚଳିତ ବର୍ଷ କ୍ରିକେଟ ଖେଳାଳି ତାଲିକାର ଶୀର୍ଷରେ ଥିବା ବେଳେ ୧୦୭ ଗୋଟି କ୍ରିକେଟ ମ୍ୟାଚରେ ଖେଳି ୨୦,୭୨୦ ରନ ଓ ବୋଲିଂ କରି ୧୦୭ ୱିକେଟ ହାସଲ କରିଥିବା ଜଣାପଡିଛି । ୨୦୨୩ରେ ଅଲ୍ସଭେନସ୍କେନ ଠାରେ ଅନୁଷ୍ଠିତ ଟି-୨୦ କ୍ରିକେଟ ମ୍ୟାଚରେ ଥିବା ଖେଳାଳି ତାଲିକାର ଶୀର୍ଷରେ ଶ୍ରୀ ଦାଶ ଥିବା ବେଳେ ଭାରତ ସର୍ବୋପରି ଓଡ଼ିଶା ପାଇଁ ଗୌରବ ଆଣିବା ସହ ଜଣେ ଦକ୍ଷ ଖେଳାଳି ଭାବେ ସ୍ୱିଡେନ ମାଟିରେ ଓଡ଼ିଆ ଭାବେ ଚମକ ଦେଖାଇଛନ୍ତି । ବର୍ତ୍ତମାନ ସେ ଜଣେ ପେସାଦାର ଖେଳାଳି ଭାବେ ସ୍ୱୀକୃତି ପାଇଥିବା ସ୍ଵୀଡେନର ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଗଲାଣି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.