ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ 

● ପିଲାଙ୍କୁ ଶିଖେଇବାକୁ ଆଗଭର ହେଲେ ଅଭିଭାବକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପିତାମାତା ହେଉଛନ୍ତି ପିଲାର ପ୍ରଥମ ଗୁରୁ । ସେମାନଙ୍କ ଭାଗିଦାରୀ ପିଲାର ପଢ଼ାରେ ସହାୟକ ହେବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ହାସଲ କରିବାରେ ସହାୟକ ହେବ । ତେଣୁ ସେମାନଙ୍କୁ ପିଲାର ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବାକୁ ଆରମ୍ଭ ହୋଇଛି ଜନ ଭାଗିଦାରୀ କାର୍ଯ୍ୟକ୍ରମ । ଆସନ୍ତା ୧୯ରୁ ୨୨ ତାରିଖ ଯାଏଁ ପୁନେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ଏଜୁକେସନ୍ ୱାର୍କିଙ୍ଗ ଗ୍ରୁପ୍ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଛି ଏହି ସଚେତନତାମୂଳକ କାର୍ଯ୍ୟକ୍ରମ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ କ୍ଲଷ୍ଟର୍ ପକ୍ଷରୁ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା ଯୋଗ ଦେଇଥିଲେ । ଏହି ଅବସରରେ ପିଲାମାନେ ଖରାଛୁଟିରେ ନିଜ ଅନୁଭୂତି ବଖାଣିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜରେ ଅଂଶଗ୍ରହଣ ସହ ଗପ କହିଥିଲେ । ଆୟୋଜିତ କର୍ମଶାଳାରେ ଅତିଥିମାନେ ଏଫ୍ଏଲ୍ଏନର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଘର ପରିବେଶରେ ଅଭିଭାବକମାନେ ପିଲାଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନ କୌଶଳ ବିକାଶ ତଥା ପଠନ ଅଭ୍ୟାସ ବୃଦ୍ଧିରେ କିପରି ସହାୟକ ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

ସେହିପରି ସଚେତନତା ସୃଷ୍ଟି ପାଇଁ ଏଫ୍ଏଲ୍ଏନ୍ ପ୍ଲାକାର୍ଡ ଓ ସ୍ଲୋଗାନ୍ ପ୍ରଦର୍ଶିତ ହୋଇଥିଲା ଏବଂ ଅଭିଭାବକମାନଙ୍କୁ ଏଫ୍ଏଲ୍ଏନ୍ ସମ୍ପର୍କିତ ଲିଫଲେଟ୍ ବଣ୍ଟନ କରାଯାଇଥିଲା । ଅଭିଭାବକ ଓ ଶିକ୍ଷକମାନେ ଏଫ୍ଏଲ୍ଏନ୍ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ପିଲାଙ୍କୁ ଶିକ୍ଷଣରେ ସହାୟତା କରିବାକୁ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ କିଶୋର ତ୍ରିପାଠୀ, ସୁଧୀର ରାଉତ, ବାସୁଦେବ ବାଗ, ଦୟାନିଧି ପଧାନ, ବଳଭଦ୍ର ହରିଜନ ପ୍ରମୁଖ ସହାୟତା କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.