କଳାହାଣ୍ଡି ବୀର ମାଟି ଥରିଉଠେ ତନୁ
କେଶରୀ କେଶରୀ ବାନା ଉଡେ ସବୁଦିନୁ……..
ଲେଲେ ଲେଲେ କେନ୍ଦୁ କଷା
ମାନିକେଶରୀ ଭରଷା……
ଢାପ ଗୀତର ଏହି ପଦ୍ୟାବଳୀ ଦେବୀ ମାନେକସରୀ/ମାନିକେଶ୍ବରୀ ବା ମାଣିକେଶ୍ବରୀଙ୍କ ମହିମାକୁ ନେଇ ମୂଖରିତ ହୋଇଛି । କଳାହାଣ୍ଡି ଜନଜୀବନରେ ଆରାଦ୍ଧ୍ୟା ଦେବୀ ମାଁ ମାନେକଶରୀ/ମାନେଶରୀ/ମାନିକେଶରୀ ବା ମାଣିକେଶ୍ବରୀ ଏକ ବଳିଷ୍ଠା ଦେବୀର ଆସନ ଗ୍ରହଣ କରିଛନ୍ତି ।
ପ୍ରାଚୀନ ଲୋକଗୀତ ଲୋକସଂଗୀତ ମାନଙ୍କରେ ଏହି ଦେବୀଙ୍କ ବର୍ଣନା ଦୃଷ୍ଟିଗୋଚର ହୁଏ । ଆଧୁନିକ ଘୁମୁରା ଗୁରୁ ମାନେ ଅତି ସୁନ୍ଦର ପଦ୍ୟାବଳୀ ମାଧ୍ୟମରେ ଦେବୀଙ୍କ ମହିମା ବର୍ଣନାରେ ଶତମୂଖ ହୋଇଛନ୍ତି । ଦେବୀଙ୍କ ବିଷୟରେ ଯେଉଁସବୁ ଐତିହାସିକ ବର୍ଣନା ରହିଛି ତାହା ଅପୂର୍ଣ ମନେହୁଏ । ଏଠାରେ ସୂଚନା ଯୋଗ୍ୟ ଯେ ଦେବୀ କଳାହାଣ୍ଡି ରାଜ ପରିବାରର ଇଷ୍ଟ ଦେବୀ ନୁହନ୍ତି । ଜନଶୃତି ଓ କିମ୍ବଦନ୍ତି ଅନୁସାରେ ଆଦିବାସୀ ମାନଙ୍କ ଦ୍ବାରା କେଉଁ ଏକ ସ୍ମରଣାତିତ କାଳରୁ କଳାହାଣ୍ଡିର ଗାଁ ଗାଁରେ ପୂଜାପାଇ ଆସୁଛନ୍ତି ।
(ମାନେକସରୀ ମନ୍ଦିର, ରାତୁଲ, ନର୍ଲା, କଳାହାଣ୍ଡି)
ଆମ୍ଭର ଭ୍ରମଣ ସମୟରେ ରାତୁଲ ଗାଁରେ ମାଣିକେଶ୍ବରୀଙ୍କ ଏକ ମନ୍ଦିର ଦୃଷ୍ଟିଗୋଚର ହେଲା ନିଜର ଜିଜ୍ଞାସାକୁ ଦମନ କରିନପାରି ମୁଁ ସେହି ମନ୍ଦିରର ପୂଜକ ଓ ତାଙ୍କ ପରିବାରର ଜଣେ ବୟସ୍କା ମହିଳାଙ୍କ ସହ ଆଲୋଚନା କଲି । ସେହି କନ୍ଧ ପୂଜକଙ୍କ କହିବା ଅନୁସାରେ ଦେବୀ ମାନେକଶରୀ ତାଙ୍କର ଇଷ୍ଟ ଦେବତା । ଦେବୀଙ୍କ ପୂଜା ବିଧାନ ଓ ଉତ୍ପତ୍ତି ଓ ଉପାସନା ପଦ୍ଧତ୍ତ୍କି ସଂପର୍କରେ ସେ ଯେଉଁ ତଥ୍ୟ ପ୍ରଦାନ କଲେ ସେଥିରୁ ଦେବୀଙ୍କ ବିଷୟରେ ଅନେକ ଅଜଣା ତଥ୍ୟ ଜାଣିହେଲା ।
(ରାତୁଲ ଗାଁର ମାନେକସରୀ ଦେବୀଙ୍କ ପୁଜାରୀ )
ଦେବୀ ଦୂଆରସୁନୀ ମା ମାଣିକେଶ୍ବରୀଙ୍କ ଦ୍ବାର ଜଗିଥାନ୍ତି । ଦେବୀ ଦୂଆରସୂନୀଙ୍କ ଗାଥାକୁନେଇ ପ୍ରାଚୀନ ଲୋକଗୀତ ଢାପ୍ ମୂଖରିତ ହୋଇଛି ।
” ଜୁଆର ଗୋ ମା ବୁଢାରଜା ପତରେ ପାନେ ପୁଜା
ତର୍ ନାଁ ଧରି ଗୀତ୍ ଗାଉଚୁଁ ସଭାରେ ନକର ଲଜା
ଜୁଆର୍ ମାଁ….
ଆମର୍ ମାଟ ପାଟକେ
ଜୁଆର୍ ମାଁ
କଲା ବୁକା ଦେମୁଁ ଜୁଆର୍ ସୁନୀକେ
ଜୁଆର୍ ମାଁ …… ।।”
ଏହି ପ୍ରସଙ୍ଗ ଉତ୍ଥାପନ କରିବାର କାରଣ ହେଉଛି , ଦେବୀ ଦୂଆରସୁନୀ , ବୁଡାରଜା ,ଡଙ୍ଗର ବୁଡା , ମାଏଲି , ଡୁକରୀବୁଡି , ବୁଡିମା , ବାବୁରା , ଗଙ୍ଗାଦୀ , କଲାପାର୍ , ବାରମୁନି , ଦୂଲା , ବଞ୍ଜାରୀ , ଭୈରବ , ଭୀଲୁମୁଡେନ, ପାହାଡେନଙ୍କ ପରି ମାଣିକେଶ୍ବରୀ ବି ପ୍ରାଚୀନ ଧାର୍ମିକ ପୃଷ୍ଠଭୂମିରୁ ବିବର୍ତ୍ତିତ ହୋଇ ଅଭିଚାରତନ୍ତ୍ର ଧାରା ମଧ୍ୟକୁ ପ୍ରବେଶ କରିଥିବା ମନେହୁଏ ।
( କାଳିସି ଦେହରେ ଦେବୀ ମାଣିକେଶ୍ବରୀ )
ଏହି ଦେବୀ ପ୍ରସନ୍ନ ହୋଇ ଭକ୍ତଙ୍କ ଦେହରେ ପ୍ରବେଶ କରି ସଂସାରର ହାରି ଗୁହାରୀ ସୁଣନ୍ତି । ପ୍ରାଚୀନ ପରଂପରା ଅନୁକ୍ରମରେ ଦେବୀଙ୍କ ପାଖରେ ମଦ୍ୟ ଓ ବଳୀ ଅର୍ପଣ କରାଯାଏ । ଅନେକ ଗାଁରେ ଦେବୀ ମାନେକସରୀ ଗ୍ରାମ୍ୟଦେବୀ ଭାବେ ପୂଜା ପାଇଥାନ୍ତି । ପ୍ରାଚୀନ ମହାକାନ୍ତାର ସଭ୍ୟତାର ଓ ଏହାର ପରବର୍ତି ସମୟ ମାନଙ୍କରେ ଦେବୀ ମାନେକସରୀ ଗ୍ରାମ୍ୟଦେବୀ ରୂପରେ ଗାଁ ମାନଙ୍କରେ ପୂଜା ପାଉଥିବା ଅଧିକ ଯୁକ୍ତିଯୁକ୍ତ ମନେହୁଏ ।
( ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା )
କିନ୍ତୁ ଐତିହାସିକ ମାନଙ୍କ ମତ ଭିନ୍ନ ଧରଣର ହୋଇଥିବାରୁ ଆଧୁନିକ ସମାଜ ସେହି ତଥ୍ୟକୁ ଶହେ ପ୍ରତିଶତ ସତ୍ୟ ବୋଲି ମାନିନେଇଛି । ତେଣୁ ଏ ବିଷୟରେ ପୁଂଖାନୁପୁଂଖ ଆଲୋଚନା ଓ ଅାଳୋଚନା ଚକ୍ରର ଆବଶ୍ୟକତା ରହିଛି । ଦେବୀ ଥୁଆମୁଲ ରାମପୁର, ଭବାନିପାଟଣା ସମେତ ଜିଲ୍ଲାର ଅନେକ ସ୍ଥାନରେ ପୂଜା ପାଇଥାନ୍ତି ।
( ଦେବଗିରି : ଅସୁରଗଡ ଦୂର୍ଗର ପ୍ରତିରକ୍ଷା ଘାଟି ଦେବଗିରି ପ୍ରାଚୀନ କଳା ସଂସ୍କୃତି ଓ ଧାର୍ମ ଧାରାର ବାହକ ଭାବେ ଆଜି ମଧ୍ୟ ଦଣ୍ଡାୟମାନ )
ବୁଢିପଦର ଗାଁରେ ଦେବୀ ମାଣିକେଶ୍ବରୀଙ୍କ ଏକ ଆସ୍ଥାନ ରହିଛି ଏଠାରୁ ଅଧ କିମି ଦୂରରେ ଶବରପଡା ଚଞ୍ଚରା ଉପରେ ଦେବୀ ଦୂଆରସୁନୀଙ୍କ ମନ୍ଦିର ରହିଛି । ସମ୍ମୁଖ ଭାଗରେ ଦେବଗିରୀ । ଦେବଗିରୀର ଅପରପାଶ୍ବରେ ଅର୍ଜୁନଗାଁରେ ବାରମୁନି ଦେବତା । ବଲବସପୁର ରେ ଭୈରବ ଓ ଦୂଆରସୁନୀ, ଗୋଖରାରେ ବାବୁରା ବୁଡିମା ମନ୍ଦିର । ରାକ୍ସିରେ ବାଲି ଭୈରବ , ଅଗ୍ନି ଭୈରବ ଓ କଟା ଭୈରବ, ବିମଲା ଆଦି ଅନେକ ଦେବାଦେବୀ । ଏସବୁ ଦେବାଦେବୀଙ୍କ ଆସ୍ଥାନ ଓ ଏହି ଅଞ୍ଚଳ ଅସୁରଗଡ ଦୂର୍ଗର ପଶ୍ଚିମ ପାର୍ଶ୍ବ ( କଲାପାର ଦେବତା ଅସୁରଗଡର ପଶ୍ଚିମ ଦିଗର ରକ୍ଷାକର୍ତା ) ରେ ଅବସ୍ଥିତ ତଥା ଅସୁରଗଡ ବେସ୍କା ପ୍ରଗଣା ଅନ୍ତର୍ଗତ ହୋଇଥିବାରୁ ବେଶ ଗୁରୁତ୍ବ ବହନ କରେ ।
( ମାନେକସରୀଙ୍କ ବଳି ସ୍ଥମ୍ଭ )
ସେ ଯାହାହେଉ ଦେବୀ ମାଣିକେଶ୍ବରୀ ଦେବୀ କେବେ ଠାରୁ କଳାହାଣ୍ଡିରେ ପୂଜା ପାଉଛନ୍ତି ତାହା ଗୁରୁତ୍ବପୂର୍ଣ ନୁହେ ଗୁରୁତ୍ବ ପୂର୍ଣ କଥା ହେଲା ଏହି ବଳିଷ୍ଠା ଦେବୀ ଆମ ଜନମାନସ ଧାରାରେ ଆମର ପ୍ରିୟ ଆରଦ୍ଧ୍ୟା ଦେବୀ, ଆମର ଗ୍ରାମ ଦେବୀ, ସାରା କଳାହାଣ୍ଡିର ଇଷ୍ଟଦେବୀର ଆସନ ଅଳଂକୃତ କରି କଳାହାଣ୍ଡି ଜନତାଙ୍କ ଉପରେ ଅପାର କରୁଣା ପ୍ରଦାନ କରିଆସୁଛନ୍ତି । ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା ଧାର୍ମିକ ଓ ସାଂସ୍କୃତିକ ଯାତ୍ରାର ରୂପ ନେଇ ଆଧୁନିକ କଳାହାଣ୍ତିର ସଂସ୍କୃତି ସହ ଆଦିମ ସଂସ୍କୃତିର ମହନିୟତା ପ୍ରତିପାଦନ କରୁଛି ।
( ମା ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ପରିବେଷଣ କରୁଛନ୍ତି କଳାକାର )
ଆଦିବାସୀ ସଂସ୍କୃତି ସହ ଅଙ୍ଗାଙ୍ଗି ଭାବେ ଜଡିତ ଦେବୀ ମାଣିକେଶ୍ବରୀଙ୍କ ବିଷୟରେ ଅଧିକ ଗବେଷଣା ସହ କଳାହାଣ୍ଡିର ପ୍ରାଚୀନ ଧର୍ମବିଶ୍ବାସକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ତଥା ପଶ୍ଚିମ ଓଡିଶାର କନ୍ଧ/ଆଦିବାସୀ ସମାଜର ଯୁବବର୍ଗ ଓ ଗବେଷକ ମାନେ ଆଗେଇ ଆସିବା ଜରୁରୀ ମନେହୁଏ ।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇