ଉମରକୋଟ ଏସଡିପିଓଙ୍କୁ ଭେଟିଲେ ବନ ସୁରକ୍ଷା ମହାସଂଘ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଅଧିନ ସାହାଜଖୋଲ ବନ ସୁରକ୍ଷା ମହାସଂଘ ପକ୍ଷରୁ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଯେ’ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ରେଞ୍ଜ ଅଧୀନ ବେହେରା ସେକ୍ସନର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନଧିକୃତ ଭାବରେ ନବରଙ୍ଗପୁର ଅଞ୍ଚଳର ଲୋକେ ରହି ଜଙ୍ଗଲ ନଷ୍ଟ କରିବା ସହ ମକା ଚାଷ କରି ଆସୁଛନ୍ତି। ଏହାକୁ ନେଇ ଗତ ୨୦୨୧ ମସିହାରେ ବନ ବିଭାଗ ଓ ଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ ସେମାନଙ୍କୁ ଜଙ୍ଗଲରୁ ବିତାଡିତ କରିଥିବାପରେ ମାମଲା ଥାନାକୁ ଯାଇ ଗମ୍ଭୀର ରୁପ ନେଇ ଅନେକ ବାଦ ବିବାଦ ଦେଖାଦେଇ ଥିଲା। ଏହି ଘଟଣାର ପରେ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ କୋକସରା ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ଉଭୟ ଜିଲ୍ଲାର ଅଧିକାରୀଙ୍କ ଉପସ୍ଥିତିରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ଏଥିରେ ବିତାଡିତ ପରିବାର, ଜଙ୍ଗଲ ସୁରକ୍ଷା ସମିତି ଓ ବନବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। କଳାହାଣ୍ଡି ଓ ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଆଲୋଚନା ପରେ ନବରଙ୍ଗପୁର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜଙ୍ଗଲ ରୁ ନେଇ ଆସନ୍ତା ୬ମାସ ମଧ୍ୟରେ ତାଙ୍କର ରାଜସ୍ୱ ଗାଁରେ ଥଇଥାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାପରେ ସମସ୍ତଙ୍କ ବୁଝାମଣାରେ ଘଟଣା ସାନ୍ତ ପଡ଼ିଥିଲା। ତେବେ ଘଟଣା କୁ ଦୀର୍ଘ ଦୁଇ ବର୍ଷ ପାଖାପାଖି ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନବରଙ୍ଗପୁର ପ୍ରଶାସନ ଗଠନ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ। ସାହାଜଖୋଳ ସଂରକ୍ଷିତ ଜଙ୍ଗଲରେ ଆଗାମୀ ମକାଚାଷ କରିବା ପୂର୍ବରୁ ସେମାନଙ୍କୁ ଉଚ୍ଛେଦ କରିବା ସହିତ ସେମାନଙ୍କୁ ସହଯୋଗ କରୁଥିବା ମକାମାଫିଆ ମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ସାହାଜଖୋଲ ବନ ସୁରକ୍ଷା ମହାସଂଘ ଧର୍ମଗଡ଼ ବନାଞ୍ଚଳ ପକ୍ଷରୁ ଉମରକୋଟ ଉପଖଣ୍ଡ ପୁଲିସ ଅଧିକାରୀ ସୁଭେନ୍ଦୁ ଶବରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଉଭୟ ଜିଲ୍ଲାର ପ୍ରଶାସନ ଓ ବନ ବିଭାଗ ସହିତ ଆଲେଚନା କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏପଟେ ଆଗମୀ ଦିନରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ ତେବେ ରାଜରାସ୍ତା କୁ ଓହ୍ଲେଇ ଆଇନ୍ କୁ ହାତକୁ ନେବା ପାଇଁ ସଂଘ କଡ଼ା ଚେତାବନୀ ଦେଇଛନ୍ତି। ଆଜିର ଏହି ଦାବୀପତ୍ର ପ୍ରଦାନ ସମୟରେ ସାହାଜଖୋଲ ବନ ସୁରକ୍ଷା ମହାସଂଘ ସଭାପତି ଭୁଜବଲ ସୋରି, କୋଷାଧ୍ୟକ ନିରଞ୍ଜନ ବାଗ, ହେମାଙ୍ଗିନୀ ହଂସ, ସୁବାଷ ଖର୍ସେଲ, ପରକ୍ଷିତ ବେଶ୍ରା, ଭଜମନ ନାଏକ, କ୍ଷେତ୍ର ମାଝୀ ସମେତ ଅନେକ ସଭ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.