ଖଲିଗଡ଼ଠାରେ ନୂତନ ଗୋଦାମ ଗୃହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଠାରେ ମଙ୍ଗଳବାର ନୂତନ ଗୋଦାମ ଗୃହ ଉଦଘାଟିତ ହୋଇଛି। ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ଅତିରିକ୍ତ ନୂତନ ଗୋଦାମ ଗୃହକୁ ମଙ୍ଗଳବାର ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୁଷଣ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଉପସ୍ଥିତିରେ ସରପଞ୍ଚ ହରିପ୍ରିୟା ନାଗ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଦୀର୍ଘ ଦିନ ପରେ ଗାଁରେ ଚାଉଳ ଗୋଦାମ ଗୃହ ଉଦଘାଟିତ ହେବାପରେ ଖଲିଗଡ଼ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ’ ଖଲିଗଡ଼ ଗ୍ରାମର ୭ ପଡାବାସୀ ଦିର୍ଘ ବର୍ଷ ରୁ ୮କିମି ଦୂର ଡୁଡୁକାଠେଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ କୁ ରାସନ୍ ସାମଗ୍ରୀ ଆଣିବାକୁ ଯାଇଥିଲେ। ଏଥିପାଇଁ ଶହେ ଦୁଇ ଶହ ଟଙ୍କା ଗାଡ଼ି ଭଡାକରି ଅଜଥାରେ ଖର୍ଚ୍ଚାନ୍ତର ହେବାକୁ ପଡୁଥିଲା। ଏମିତି କି ଚାଉଳ ଆଣିବା ସମୟରେ ଅନେକ ଅଘଟଣ ଘଟିବା ସହିତ ବିଭିନ୍ନ ସମୟରେ ରାସ୍ତାରେ ଚାଉଳ ବସ୍ତା ଖସିପଡ଼ି ହଜି ଯାଉଥିଲା। ଏନେଇ ସରପଞ୍ଚ ହରିପ୍ରିୟା ନାଗ ନିର୍ବାଚନ ସମୟରେ ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଅହରହ ଚେଷ୍ଟା କରି ଖଲିଗଡ଼ ଗ୍ରାମବାସୀଙ୍କ ସୁବିଧା ପାଇଁ ନୂତନ ଗୋଦାମ ଗୃହ ନିମନ୍ତେ ବିଡ଼ିଓ, ଯୋଗାଣ ବିଭାଗ ସହିତ ଜିଲ୍ଲାପାଳଙ୍କୁ ବାରମ୍ବାର ପତ୍ରଲେଖି ଜଣାଇଥିଲେ। ଫଳ ସ୍ୱରୂପ ଆଜି ନୂତନ ଗୋଦାମ ଗୃହ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇଛି। ଏବେ ଗୋଦାମ ଗୃହ ଉଦଘାଟିତ ପରେ ଦ୍ବାର ମୁହଁରେ ରାସନ ସାମଗ୍ରୀ ଗ୍ରାମବାସୀ ପାଇ ପାରିବେ। ଏଥିପାଇଁ ସରପଞ୍ଚ ଓ ପ୍ରଶାସନକୁ ଖଲିଗଡ଼ ଗ୍ରାମବାସୀ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଆଜିର ଏହି ଉଦଘାଟନ ସମୟରେ ସମିତି ସଭ୍ୟା ପାର୍ବତୀ ବାଗ, ୱାର୍ଡ଼ ସଭ୍ୟ ବନୁ ମାଝୀ, ଦେବିସିଂ ନାଗ, କମଳା ନାଏକ, ଲୋଚନୀ ଧଙ୍ଗଡାମାଝୀ, ମଣିରାମ ବାଣୁଆ, ବିରେନ କାଣ୍ଡ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.