ବାଲିଗୁଡାରେ ବାହୁଡ଼ା ଯାତ୍ରା: ମହିଳାମାନେ ଟାଣିଲେ ଦେବୀ ସୁଭଦ୍ରାଙ୍କ ରଥ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ସାମାନ୍ୟ ମେଘୁଆ ଓ ଖରା ପାଗ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ ଓ ମଙ୍ଗଳାର୍ପଣ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ କରି ତିନୋଟି ରଥରେ ରଥାରୁଢ଼ ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ବାଦ୍ୟ, ନୃତ୍ୟ, ଦଳଙ୍କ ନୃତ୍ୟରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ଏଥିରେ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥ ଟଣାଯାଇଥିଲା, ହେଲେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥିଲେ । ହଜାର ହଜାର ଭକ୍ତ ବହୁ ଆନନ୍ଦ ଓ ଉଲ୍ଲାସର ସହିତ ରଥ ଟାଣିଥିଲେ । ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ସନ୍ଧ୍ୟା ଆଳତୀ କରାଯାଇଥିଲା । ମନ୍ଦିର ପରିଚାଳନା ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁ ସୂଦନ ଦାସ, ଜୀବାନନ୍ଦ ମହାରଣା, ସତ୍ୟ ନାରାୟଣ ପାଢ଼ୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ପଣା ଓ ଭୋଗର ବ୍ୟବସ୍ଥା କରାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସ ବିଭାଗ ତରଫରୁ ସମଗ୍ର ସହରରେ କଡାକଡି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.