ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଗ୍ରାହକ ସେବାକେନ୍ଦ୍ର ନାମରେ ଠକେଇ ଅଭିଯୋଗ ଆସିଛି । ବାର୍ଦ୍ଧକ୍ୟ ଭତ୍ତା, କାଳିଆ ସହାୟତା ଟଙ୍କା ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଫିଙ୍ଗର ସ୍କେନର ଜରିଆରେ ପାଖାପାଖି ଅଠେଇଶ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଏକ ପରିବାର । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୋହନ ଗୁଡା ଗ୍ରାମର ହରିଶ୍ଚନ୍ଦ୍ର ରାଉତ, ତାଙ୍କ ମା ସରଶ ରାଉତଙ୍କ ସମେତ ଆଉ ଦୁଇ ଜଣ ମହିଳା ଅଲେରା ରାଉତ ଓ ଲଲିତା ରାଉତ ମିଶି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଏ ନେଇ ଜୟପାଟଣା ଥାନାରେ ଧନମତି ଛତ୍ରୀଆ ଓ କୁମୁଦିନୀ ଦାସଙ୍କ ନେତୃତ୍ବରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ ତଥା ଅନ୍ୟାନ୍ୟ ମହିଳାମାନେ ଅଭିଯୋଗ ଆଣିଛନ୍ତି । ଏ ନେଇ ଜୟପାଟଣା ଥାନା ରେ କେଶ୍ ନମ୍ବର ୦୧୪୨ ରେ ଏକ ମାମଲା ରୁଜୁ କରି ଆଇପିସିର ଧାରା ୪୨୦, ୪୦୮, ୩୪, ଭଳି ସଙ୍ଗିନ ଦଫା ଲଗେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଅନ୍ୟ ପକ୍ଷେ ସ୍ବୟଂ ସହାୟକ ଗୋଷ୍ଠୀ ଉଠାଇଥିବା ୠଣ ଟଙ୍କା ଫେରାଇବା ପାଇଁ ଘରଦାଣ୍ଡକୁ ଆସି କିଛି ୠଣ ଦେଇଥିବା ସଂସ୍ଥାର କର୍ମଚାରୀ ଜଗି ବସୁଛନ୍ତି । ପୋଲିସ ଓ ପ୍ରଶାସନ ଏଥିପ୍ରତି ଆନ୍ତରିକତା ଦେଖାଇ ଏହାର ସମାଧାନ କରିବା ପାଇଁ ଦାବି ହେଉଛି ।