କୋଦାଳ ଜବତ, ଅଭିଯୁକ୍ତ ସ୍ୱାମୀକୁ କୋର୍ଟଚାଲାଣ
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗାଁରେ ଉଭୟ ପ୍ରେମୀ ଯୁଗଳ ଘରୁ ଫେରାର ପରେ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜ ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରିଥିବା ଜଣାଯାଇଛି। ମୃତ ମହିଳାଙ୍କ ନାମ ବବି ନାଏକ (୨୩) ବୋଲି ଜଣାପଡିଛି। ପୋଲିସ ଶବ ଜବତ କରି ପାଟଣାଗଡ଼ରେ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳକୁ ପୋଲିସ ଜବତ କରିବାସହ ମୃତ ମହିଳାଙ୍କ ସ୍ୱାମୀ ଲମ୍ବୋଦର ନାଏକ (୩୬)ଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛି। ଏନେଇ କେଶ ନଂ ୧୫୮/୨୩ ରେ ଏକ ମାମଲା ରୁଜୁ ହୋଇଥିବା ସହ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ଥାନା ଆଇଆଇସି ଅବନୀ କୁମାର ସାହୁ। ପୁଲିସ ସୂଚନା ଅନୁଯାୟୀ ଗତ ମଙ୍ଗଳବାର ସକାଳେ ଝରବାହାଲି ଗ୍ରାମର ମୃତ ବବିଙ୍କ ବାପା ଧୁବଲେଶ୍ୱର କଅଁର ତାଙ୍କ ଚାଷ ଜମିରେ ସପରିବାର କପା ମଞ୍ଜି ପୋତୁଥିଲେ। ବବି ମଧ୍ୟ ଉକ୍ତ କାମରେ ପରିବାର ଲୋକଙ୍କୁ ସାହାଯ୍ୟ କରୁଥିଲେ। ସକାଳ ପ୍ରାୟ ୯ଟା ସମୟରେ ଲମ୍ବୋଦର ଉକ୍ତ ଜମିକୁ ଆସି ବବିଙ୍କ ସହ କଥା ବାର୍ତ୍ତା ହେଉଥିବା ବେଳେ କୌଣସି କଥାକୁ ନେଇ ଉଭୟ ମଧ୍ୟରେ କଥା କଟାକଟି ଚାଲିଥିବା ହଠାତ ଲମୋଦର ଉତକ୍ଷିତ ହୋଇ ବବିଙ୍କ ବେକ ପଛପଟକୁ କୋଦଳ (ରଫା)ରେ ଚୋଟ ମାରିଥିଲେ। ଘଟଣାସ୍ଥଳରେ ବବି ତଳେ ପଡିଯିବାରୁ ଅଭିଯୁକ୍ତ ଲମ୍ବୋଦର ଦୌଡି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ବବିର ବାପା ଓ ଅନ୍ୟମାନେ ତାକୁ କାବୁ କରିଥିଲେ। ଗୁରୁତର ଅବସ୍ଥାରେ ବବିଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇଁ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଆଇଆଇସି ଅବନୀ ସାହୁ, ଏସଆଇ ଆଲୋକ ଭୋଇ, ପିଏସଆଇ କାଜଲ ବାଗ, ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର, ଏଏସଆଇ ଅରକ୍ଷିତ ନାୟକ ଓ ଟାଉନ ହାବିଲଦାର ଭୁବନେଶ୍ୱର ଭୋଇ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଖୋଡ଼ତାଲ ଆରମ୍ଭ କରିଥିଲେ। ପୁଲିସ ଅଭିଯୁକ୍ତ ଲମୋଦରଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚରା ଚଲାଇ ଥିବା ସମୟରେ ହତ୍ୟା ଘଟଣାକୁ ସ୍ୱୀକାର କରିବା ପରେ ପୁଲିସ ହତ୍ୟାକାଣ୍ଡ ଘଟିଥିବା ସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବବି କୁଅର ଓ ଲମ୍ବୋଦର ନାଏକ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେମାନେ ଗତ ୨୦୧୬ ମସିହାରେ ଘରୁ ଫେରାର ହୋଇ ହାଇଦ୍ରାବାଦର ସିକନ୍ଦ୍ରାବାଦକୁ ଚାଲି ଯାଇଥିଲେ। ସେଠାରେ ପ୍ରେମ ବିବାହ କରିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପାରିବାରିକ କଲହ ଲାଗି ରହିଥିଲା। ସେଠାରୁ ଫେରି ଆସି ୨୦୧୯ ମସିହାରେ ପୁଣି ଯାଇଥିଲେ। ଏହାପରେ ବବି ଓ ଲମ୍ବୋଦର ଝରବାହାଲି ଗାଁ ଆସିଲା ପରେ ମଧ୍ୟ କଳହ ରହି ଆସୁଥିଲା। ଘଟଣାର ୧୫ ଦିନ ପୂର୍ବରୁ ବବି ସ୍ୱାମୀ ଘରୁ ଲୁଚି ପଳାଇ ଆସି ବାପ ଘରେ ରହୁଥିଲା। ବର୍ତ୍ତମାନ ବବିଙ୍କ ଗୋଟିଏ ୬ ବର୍ଷ ଓ ୩ ବର୍ଷର ଏମିତି ଦୁଇ ଜଣ ପୁଅ ଅଛନ୍ତି।