ଅଜିତ କହିଲେ ଏନସିପି ଅଧ୍ଯକ୍ଷ ପଦରୁ ହଟିଲେ ଦାଦା, ଜବାବ ରଖିଲେ ଶରଦ ପାଓ୍ବାର

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ବୁଧବାର ଏନସିପିର ଦୁଇ ପାଓ୍ବାର ଗୋଷ୍ଠୀ ଦମ୍ ଦେଖାଇଛନ୍ତି। ଦୁଇ ଗୋଷ୍ଠୀ ଅଲଗା ଅଲଗା ବୈଠକ କରି ଦଳର ୫୩ ବିଧାୟକଙ୍କ ମଧ୍ୟରୁ ସଂଖ୍ଯା ଗରିଷ୍ଠତାର ସମର୍ଥନ ଥିବା ଦାବି କରିଛନ୍ତି। ରବିବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାଓ୍ବାରଙ୍କ ନେତୃତ୍ୱରେ ଏନସିପିରେ ବିଦ୍ରୋହ ଦେଖାଦେଇଥିବା ଦଳ ମୁମ୍ବାଇର ବାନ୍ଦ୍ରାରେ ଏକ ବୈଠକ କରିଥିଲେ। ଏହି ଗୋଷ୍ଠୀ ୪୨ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ ମଧ୍ୟ ବୈଠକରେ ମାତ୍ର ୩୧ ବିଧାୟକ ଉପସ୍ଥିତ ଥିଲେ। ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ୱାରଙ୍କ ନେତୃତ୍ୱରେ ଅନ୍ୟ ଏକ ଗୋଷ୍ଠୀ ମୁମ୍ବାଇର ନରିମାନ ପଏଣ୍ଟରେ ଏକ ବୈଠକ କରିଥିଲେ। ଏହି ବୈଠକରେ ୧୩  ବିଧାୟକ ଉପସ୍ଥିତଥିଲେ। ଶରଦ ପାଓ୍ୱାରଙ୍କ ଶିବିରରେ ଥିବା ପ୍ରାୟ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଅଜିତ ପାଓ୍ୱାର ଦାବି କରିଛନ୍ତି। ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ମଧ୍ୟ କହିଛନ୍ତି। ଏଥିସହ ଦଳର ଅଧ୍ୟକ୍ଷ ଭାବେ ସେ ନିଜକୁ ଦାବି କରିଥିବା ବେଳେ ଶରଦ ପାଓ୍ୱାରଙ୍କୁ ହଟାଯାଇଛି ବୋଲି ସେ କହିଛନ୍ତି। ତେବେ ଜୁନ୍ ୩୦ ତାରିଖରେ ପ୍ରଫୁଲ ପଟେଲଙ୍କ ଦ୍ୱାରା କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା। ଏହି ବୈଠକରେ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତେବେ ଅଜିତଙ୍କ ଦାବିକୁ ଶରଦ ପାଓ୍ୱାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏହି ବୈଠକରେ କାର୍ଯ୍ୟକାରିଣୀ ସଦସ୍ୟ ନାହାନ୍ତି। ନିର୍ବାଚନ କମିସନଙ୍କୁ ଏନସିପି ନେତା ଜୟନ୍ତ ପାଟିଲଙ୍କ ପକ୍ଷରୁ ଏକ ଇ-ମେଲ ମିଳିଛି, ଯେଉଁଥିରେ ସେ କ୍ୟାଭିଏଟ୍ ଦାଖଲ କରିଛନ୍ତି। ଏଥିସହ ମହାରାଷ୍ଟ୍ର ବିଧାନସଭାର ୯ ଜଣ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଏକ ପ୍ରକ୍ରିୟା ସମ୍ପର୍କରେ ସେ କମିସନଙ୍କୁ ଅବଗତ କରାଇଛନ୍ତି। ଖୁବଶୀଘ୍ର ଏ ନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେଇପାରନ୍ତି। ଏନସିପିରେ ଚାଲିଥିବା କ୍ଷମତା କନ୍ଦଳ ଦଳର ଦାଦା-ପୁତୁରା କଳିକୁ ଆହୁରି ବଢାଇ ଦେଇଛି। କେଉଁ ଦଳ ବାଜିମାତ କରିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଫଳାଫଳ ଯାହା ହେଉନା କାହିଁକି ଦଳରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.