କୋକସରା ତହସିଲ କାର୍ଯ୍ୟାଳୟରେ ବନ ମହୋତ୍ସବ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମନୁଷ୍ୟର ଜୀବନ ଜୀବିକା ପାଇଁ ବୃକ୍ଷ ର ଅବଦାନ ଅତୁଳନୀୟ l ସ୍ୱଚ୍ଛ ଅମ୍ଳଜାନ, ସୁଷମ ଖାଦ୍ୟ, ସ୍ୱଚ୍ଛଜଳ ଓ ପ୍ରଦୂଷଣ ମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ପୂରଣ କରିଥାଏ l ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇଁ ଜନସାଧାରଣଙ୍କ ସହଯୋଗରେ ବିଭିନ୍ନ ଜାଗାରେ ବନମହୋତ୍ସବ ପାଇଁ ଅନୁରୋଧ କରୁଛନ୍ତି l ତେବେ କୋକସରା ତହସିଲ କାର୍ଯ୍ୟାଳୟରେ ଏକ ବିଚିତ୍ର ବ୍ୟବସ୍ଥା ପ୍ରକୃତି ପ୍ରେମୀମାନଙ୍କୁ ବ୍ୟଥିତ କରିଛି। ଏଠାରେ ଚାରା ରୋପଣ କରାଯିବ ବୋଲି ବଢ଼ିଲା ବୃକ୍ଷ କଟାଯାଇଛି। ବନୀକରଣ କରିବା ଏକ ଉତ୍ତମ କାର୍ଯ୍ୟ। ଏହା ସମାଜପ୍ରତି ଉତ୍ତମ ବାର୍ତ୍ତା ପ୍ରଦାନ କରୁଛି। ଅନ୍ୟପକ୍ଷରେ ତହସିଲ କାର୍ଯ୍ୟାଳୟ ପରି ସରକାରୀ କାର୍ଯ୍ୟାଳୟରେ ବଢ଼ିଲା ବୃକ୍ଷକୁ ମୂଳୋତ୍ପାଟନ କରି ସମାଜକୁ କେଉଁ ପ୍ରକାରର ଶିକ୍ଷା ଦିଆଯାଉଛି ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କରାଯିବ ବୋଲି ସ୍ଥିରିକୃତ ହୋଇଥିଲା। ଏହାପରେ ଏଠାରେ ଥିବା ଦରକାରୀ ବୃକ୍ଷକୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସାହାଯ୍ୟରେ କଟାଯାଇ ସ୍ଥାନ ପ୍ରସ୍ତୁତ କରାଯାଇଥିଲା। ପରେ କୋକସରା ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କଅଁର, ଆମପାଣି ଫରେଷ୍ଟ ମନୀଷା ପଟ୍ଟନାୟକଙ୍କ ସମେତ ବନ କର୍ମଚାରୀ ଓ ତହସିଲ କର୍ମଚାରୀ ମାନଙ୍କ ଉପସ୍ଥିତିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି। ଏବେ ନୂତନ ଲଗାଯାଇଥିବା ବୃକ୍ଷ ପ୍ରତି କେତେ ଯତ୍ନବାନ ହେଉଛନ୍ତି ନା ଫଟୋ ପ୍ରଦର୍ଶନ ପାଇଁ ଏହା କରାଯାଉଛି ତାହା ପ୍ରକୃତି ପ୍ରେମୀଙ୍କୁ ଅସନ୍ତୋଷ ଭାବନା ହେଉଛି l ଏହା ଝୀଂଟିକା ମାରି ବଣି ପୋଷା ନୀତି ନୁଁହେତ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଥିବା କୁହନ୍ତି l ତେବେ ଏଠାରେ ପ୍ରଶ୍ନ ଉଠେ ଯେ’ ଗୋଟିଏ ଗଛ ବଞ୍ଚାଇବା ପାଇଁ ଆଉ ଏକ ଗଛକୁ କାଟିଦେବା କେତେ ଦୂର ଯୁକ୍ତିଯୁକ୍ତ।