ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ/ ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡା ସ୍ଥିତ ରେତ୍ ନଦୀ ଡ୍ୟାମ୍ ରେ ବୁଡ଼ି ଜଣେ କଲେଜ ଛାତ୍ର ନିଖୋଜ ଥିବା ଘଟଣାକୁ ସାତଘଣ୍ଟା ବିତିସାରିଛି । ତେବେ ଆଠଘଣ୍ଟା ପରେ ବି ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ଘଟଣାସ୍ଥଳରେ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ଅଧାରେ ଅଟକିଛି । ତେବେ ସମୟ ଯେତେ ଅତିକ୍ରାନ୍ତ ହେଉଛି, ଛାତ୍ରଙ୍କ ବଞ୍ଚି ରହିବା ସମ୍ଭାବନା ସେତେ କମିବାରେ ଲାଗିଛି । ଘଟଣାସ୍ଥଳରେ ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ସମେତ ପୁଲିସ ବାହିନୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ । ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହେବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଭବାନୀପାଟଣା ସହରର ତିନିଜଣ କଲେଜ ଛାତ୍ର ଓ ଦୁଇଜଣ ଛାତ୍ରୀ ଆଜି (ବୁଧବାର ୧୨ ଜୁଲାଇ ୨୦୨୩) ଦିନବେଳେ ରେତ୍ ପ୍ରକଳ୍ପ ବୁଲିବାକୁ ଆସିଥିବାବେଳେ ପ୍ରକଳ୍ପର ନିଷିଦ୍ଧାଞ୍ଚଳ ପଟେ ଯାଇଥିବାବେଳେ ଜଣେ ଛାତ୍ର ଭବାନୀପାଟଣାର ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା ଅସାବଧାନତାବଶତଃ ପାଣିରେ ଖସି ବୁଡିଯାଇଥିଲେ । ତାଙ୍କ ସାଙ୍ଗସାଥୀମାନେ ସାଲୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ପାଣିର ଗଭୀରତା ଯୋଗୁଁ ଉଦ୍ଧାର କରିପାରିନଥିଲେ । ଏଇ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ସାଲୁଙ୍କ ସହିତ ଆସିଥିବା ଦୁଇ ଛାତ୍ର ଓ ଦୁଇଜଣ ଛାତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି । ଅପରପକ୍ଷରେ ଛାତ୍ରଙ୍କ ନିଖୋଜ ଖବର ପ୍ରଚାରିତ ହେବାକ୍ଷଣି ପ୍ରକଳ୍ପରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା ।