ରାୟଗଡାର ନୂତନ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶନ୍ନ ପାଣିଗ୍ରାହୀଙ୍କ କାର୍ଯ୍ୟରେ ଯୋଗଦାନ

୩ବର୍ଷ ହେଲା ଖାଲି ପଡିଥିଲା ପଦବୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ପ୍ରଭାଗୀୟ ଶ୍ରମ ଆୟୁକ୍ତ ପଦବୀ ଦୀର୍ଘ ତିନି ବର୍ଷ ଧରି ଖାଲି ପଡିଥିବା ବେଳେ ଏହି ପଦବୀକୁ ପୂରଣ କରିଛନ୍ତି ରାଜ୍ୟ ସରକାର। ନୂତନ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଭାବେ ନିଜ କାର୍ଯ୍ୟରେ ଯୋଗ ଦାନ କରିଛନ୍ତି ପ୍ରଶନ୍ନ କୁମାର ପାଣିଗ୍ରାହୀ। ଗତକାଲି ସେ ନିଜ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀମତି ଯଶ୍ମିନ ପ୍ରିୟଦର୍ଶନୀ ସାହୁଙ୍କ ସମେତ ଅତିରିକ୍ତ ଶ୍ରମ ଅଧିକାରୀ ସଂଜୟ କୁମାର ରଇତ ଓ ଅନ୍ୟମାନେ ସ୍ୱାଗତ ସହ ଶୁଭେଚ୍ଛା ଜଣାଇଥିଲେ। ଗତ ୨୦୨୦ମସିହା ଅଗଷ୍ଟ ୮ତାରିଖରୁ ଖାଲି ପଡିଥିବା ଏହି ପଦବୀରେ କେହି ସ୍ଥାୟୀ ଅଧିକାରୀ ନିଯୁକ୍ତ ହୋଇ ନ ଥିବା ବେଳେ ଶ୍ରମ ଅଧିକାରୀ ଶ୍ରୀମତି ଯଶ୍ମିନ ସାହୁ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ। ତେବେ ସ୍ଥାୟୀ ଅଧିକାରୀ ନିଯୁକ୍ତ ହୋଇ ନ ଥିବାରୁ ଅନେକ ଶ୍ରମ କୋର୍ଟ ସମ୍ବନ୍ଧିତ କେସଗୁଡିକ ଫଇସଲା ହୋଇ ନ ପାରି ପଡି ରହିଥିଲା। ବର୍ତ୍ତମାନ ଶ୍ରୀ ପାଣିଗ୍ରାହୀ ନୂତନ ଭାବେ କାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରମ କୋର୍ଟ କାର୍ଯ୍ୟ ହେବା ସହ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେମେଣ୍ଟ ଅଫ୍ ଗ୍ରେଚ୍ୟୁଟି ଏବଂ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ତଥା କ୍ଷତିପୂରଣ ବାବଦକୁ ଫଇସଲା ନ ହୋଇ ରହିଯାଇଥିବା ସମସ୍ତ ମାମଲାଗୁଡିକ ଯଥାଶୀଘ୍ର ସମାଧାନ ହୋଇପାରିବ ବୋଲି ଜଣାପଡିଛି। ଶ୍ରୀ ପାଣିଗ୍ରାହୀ ଏଥି ପୂର୍ବରୁ କୋରାପୁଟ ଜିଲ୍ଳା ଶ୍ରମ ଅଧିକାରୀ ଭାବେ ନିଜ ଦାୟିତ୍ୱକୁ ସୂଚାରୂ ରୂପେ ତୁଲାଇ ଆସିଥିବା ବେଳେ ପଦୋନ୍ନତି ପାଇ ସେ ବର୍ତମାନ ରାୟଗଡା ଜିଲ୍ଳା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଏବଂ ଜୟପୁରର ଅତିରିକ୍ତ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଭାବେ ଦାୟିତ୍ୱ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିଭିନ୍ନ ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.