ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତି ଓ ଖାମଖିଆଲି ଗୁଣ ଯୋଗୁଁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କେତେକ ପଞ୍ଚାୟତ ଦାୟିତ୍ଵରେ ଥିବା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଦାୟିତ୍ଵ ହୀନତା ଓ ଖାମଖିଆଲି ଗୁଣ ଯୋଗୁଁ ବିକାଶ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ବ୍ଳକରେ ୨୨ ଟି ପଞ୍ଚାୟତ ଥିବାବେଳେ ମାତ୍ର ୧୩ ଜଣ ପିଇଓ ଅଛନ୍ତି। ସେମାନଙ୍କ ମଧ୍ୟରେ ଆମପାଣି, ବଡପୋଡାଗୁଡା ଓ ବରାଡଙ୍ଗା ପଞ୍ଚାୟତ ପାଇଁ ଗିରୀସ ଚନ୍ଦ୍ର ନାଏକ ପଞ୍ଚାୟତ କାର୍ଯ୍ୟାନିର୍ବାହି ଅଧିକାରୀ ଭାବେ ଦାୟିତ୍ଵ ରହିଥିବାବେଳେ ଡହଗାଁ ଓ ଖୁଣ୍ଟିଆ ପଞ୍ଚାୟତରେ ରାଜେନ୍ଦ୍ର ସୌରୀ, ମୁଷାପାଲି ଓ ଡାଲଗୁମା ପଞ୍ଚାୟତରେ ଦୁଷ୍ମନ୍ତ ସୁନାନୀ, ଡୁଡୁକାଠେଙ୍ଗା ଓ କନ୍ଦାବୁଟୁରା ପଞ୍ଚାୟତରେ କିଶୋର ଚନ୍ଦ୍ର ନାଏକ, କାଉଡୋଲା ଓ ଗମ୍ଭୀରିଗୁଡା ପଞ୍ଚାୟତରେ ରୋହିତ ଠାକୁର, ଗୋତମୁଣ୍ଡା ଓ ପୋଡାଗୁଡା ପଞ୍ଚାୟତରେ ଦାମୋଦର ବେମାଲ, କାଶିବାହାଲ ଓ ଫୁପଗାଁରେ ଜାଫେଦ ନାଗ, ରେଙ୍ଗାଲପାଲି ଓ ମୋଟେର ପଞ୍ଚାୟତରେ ବିରଞ୍ଚି ଖର୍ସେଲ, କୋକସରା ଓ ମାଝୀଗୁଡା ପଞ୍ଚାୟତ ଭବିଷ୍ୟ ପଟେଲ ଦାୟିତ୍ଵରେ ରିହିଛନ୍ତି। ତେବେ ଲଡୁଗାଁ, ଟେମରା ଓ ମହିମା ପଞ୍ଚାୟତର ପିଇଓ ଅନ୍ୟ ପଞ୍ଚାୟତର ଦାୟିତ୍ଵରେ ନାହାନ୍ତି। ଆଉ ୯ ଗୋଟି ପଞ୍ଚାୟତରେ ପଦବୀ ଦୀର୍ଘ ଦିନ ହେବ ଖାଲି ପଡିଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି। ଆମପାଣି, ବଡପୋଡାଗୁଡା, ଗମ୍ଭାରୀଗୁଡା, କାଉଡୋଲା, ଫୁପଗାଁ, ଡାଲଗୁମା, ଡୁଡୁକାଠେଙ୍ଗା ଓ ଡହଗାଁ ପଞ୍ଚାୟତରେ ପିଇଓ କ୍ବାଟର ରହିଛି। କିନ୍ତୁ ପିଇଓ ମାନେ ସେଠାରେ ରହୁ ନାହାନ୍ତି। କେତେକ ପିଇଓ ଭବାନୀପାଟଣା ଓ ଧର୍ମଗଡରେ ରହି ନିଜ କର୍ମକ୍ଷେତ୍ରକୁ ଆସୁଛନ୍ତି। ଏପଟେ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଥିବାବେଳେ ଏହି ପିଇଓ ମାନେ ନିଜ ମର୍ଜିରେ ଯିବା ଆସିବା କରୁଥିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। କିଛି ପିଇଓ କେବଳ ମାସିକ ବୈଠକରେ ଦେଖା ଦିଅନ୍ତି, ବିଭିନ୍ନ ସମୟରେ ଲୋକେ ହରିଶ୍ଚନ୍ଦ୍ର ଯୋଜନା, ପେନସନ ଯୋଜନା ଓ ପିଡ଼ିଏସ ପାଇଁ ଆବେଦନ ଓ ଅଭିଯୋଗ ଶୁଣିବାକୁ ଦେଖା ମିଳୁନଥିବା ସାଧାରଣ ଜନତା ଓ ଲୋକପ୍ରତିନିଧି ମାନେ କୁହନ୍ତି। ଏମାନେ ନିଜ ପଞ୍ଚାୟତ ଅଞ୍ଚଳରେ ରହି ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ସୁଚାରୁ ଢ଼ଙ୍ଗରେ ସମ୍ପାଦିତ କରିବେ ବୋଲି ଓଡ଼ିଶା ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପିଇଓ କ୍ବାଟର ନିର୍ମାଣ କରିଛନ୍ତି। କିନ୍ତୁ ସେମାନେ ନ ରହିବା ଫଳରେ ସରକାରଙ୍କ ଅନେକେ ଯୋଜନା ବାଟବଣା ହେବାରେ ଲାଗିଛି। ବ୍ଳକର ଏକ ନିର୍ଦ୍ଦିଷ୍ଟ ପଞ୍ଚାୟତର ପିଇଓ କାର୍ଯ୍ୟରେ ଅବହେଳା ଓ କିଛି ମାସ ହେଲା ଆଦ୍ୟୋ କାର୍ଯ୍ୟାଳୟକୁ ଆସୁ ନଥିବାରୁ କୋକସରା ଜିପିଓ ନାରାୟଣ ଭୋଇ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।