ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟକୁ ଗଲେ ରାହୁଲ ଗାନ୍ଧୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ହାଇକୋର୍ଟରୁ ଝଟକା ପାଇବା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୋଦି ସରନେମକୁ ନେଇ ତଳ କୋର୍ଟ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ରାହୁଲ । ଦଣ୍ଡାଦେଶ ଏବଂ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଦାବି କରିଛନ୍ତି ।

ମନେ ପକାଇ ଦେବାକୁ ଚାହିଁବୁ, ଚଳିତ ମାସରେ ହାଇକୋର୍ଟ ରାହୁଲ ଗାନ୍ଧିଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରି ଦେଇଛନ୍ତି । ତଳ କୋର୍ଟଙ୍କ ରାୟ ଠିକ ଥିଲା । ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି କହି ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।

୨୦୧୯ ଏପ୍ରିଲ ୧୩ରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ କୋଲାରରେ ଏକ ନିର୍ବାଚନୀ ରାଲିରେ  ବୟାନ ଦେଇଥିଲେ । ଏଥିରେ ସେ କହିଥିଲେ, ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦିଙ୍କ ସରନେମ ସମାନ କାହିଁକି ? ସବୁ ଚୋରଙ୍କ ସରନେମ କ’ଣ ମୋଦି ହୋଇଥାଏ ?’

ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ଦାଏର କରିଥିଲେ । ରାହୁଲ ପୁରା ମୋଦି ସମୁଦାୟକୁ ଚୋର ବୋଲି ଅପମାନିତ କରିଛନ୍ତି ବୋଲି ସେ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ ।

ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ଏହାକୁ ସେସନ କୋର୍ଟରେ ଚାଲେଞ୍ଜ କରିଥିଲେ ରାହୁଲ ।  ୨ ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ କୋର୍ଟରେ  ଅପିଲ୍ କରିଥିଲେ  । ହେଲେ ସୁରଟ ସେସନ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ତେଣୁ ରାହୁଲଙ୍କ ୨ ବର୍ଷ ଜେଲ ଦଣ୍ଡ ସଜା କାଏମ ରହିଥିଲା ।

ସେସନ କୋର୍ଟର ଝଟକା ପରେ ରାହୁଲ ହାଇକୋର୍ଟକୁ ଯାଇଥିଲେ । ସେଠାରେ ମଧ୍ୟ ତାଙ୍କର ଆବେଦନ ଖାରଜ ହୋଇ ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.