ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ଗତ କିଛି ଦିନର ନିରବତା ପରେ ପୁଣି ନୂଆପଡ଼ା ରେଞ୍ଜ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖା ଦେଇଛି । ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଲରୁ ଟାଣି ନେଇ ଖାଇ ଯାଇଛି । ଗତକାଲି ସନ୍ଧ୍ୟାରେ ତରିଆମହୁଆଭଟା ଗାଁର ଗୋବିନ୍ଦ ନିଜ ଗାଈ, ବାଛୁରୀକୁ ଗୁହାଲରେ ବାନ୍ଧି ଘରେ ଶୋଇଥିଲା । ଆଜି ସକାଳୁ ଗୁହାଲକୁ ଦେଖିବାବେଳେ ଏକ ବାଛୁରୀ ନଥିଲା । ସେଠାରେ ଖୋଜାଖୋଜି କରିବାରୁ ଗୁହାଲ ଠାରୁ ପ୍ରାୟ ୨ ଶହ ମିଟର ଦୂରରେ ବାଛୁରୀର ମୃତଦେହ ପଡିଥିଲା । ଏହି ଘଟଣାର ପରିପାଶ୍ୱବିକ ସ୍ଥିତି ଓ ପାଦ ଚିହ୍ନରୁ ଏହା କଲରାପତରିଆ ବାଘର କାମ ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି । ବିଳମ୍ବିତ ରାତିରେ ବାଘ ଗୁହାଲରେ ପଶି ବାଛୁରୀକୁ ଟାଣି ନେଇ ଖାଇ ଯାଇଛି । ଏବେ ଗାଁ ଲୋକେ ବାଘ ଆତଙ୍କରେ ଆତଙ୍କିତ ହୋଇ ପଡିଛନ୍ତି । ନୂଆପଡ଼ା ରେଞ୍ଜ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଥାଉକି, ଗତ ମାର୍ଚ୍ଚ ୬ରୁ କଲରା ପତାରିଆ ବାଘ ଆତଙ୍କ ଖେଳାଇ ଚାଲିଥିଲା । ଏହି ଅଞ୍ଚଳରେ ୭ରୁ ଅଧିକ ଗାଈ ବାଛୁରୀ ଶିକାର କରିଛି । ଗତ ପ୍ରାୟ ୩ ମାସ ପରେ ଆଜି ବାଘ ପୁଣି ଶିକାର କରି ଲୋକଙ୍କୁ ଆତଙ୍କିତ କରିଛି ।