ଜାତିଆଣ ଆକ୍ଷେପ ନେଇ ବେହେରାପାଟି ସ୍କୁଲ ପାଚିକା ସହାୟିକା ବିତାଡିତ ପ୍ରସଙ୍ଗ…
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାଟି ଗ୍ରାମରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ସହାୟିକା ସୁଦେସ୍ନା ସେଠୀଙ୍କୁ ଜାତିଆଣ ଆକ୍ଷେପ କରି ବିଦ୍ୟାଳୟରୁ ବିତାଡିତ କରିଥିବା ପ୍ରସଙ୍ଗକୁ ନେଇ ଗ୍ରୀଷ୍ମ ଅବକାଶ ପରେ ସ୍କୁଲ ଖୋଲିବା ପରଠୁଁ ଚାଲିଛି ତୁମ୍ବି ତୁଫାନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଏନେଇ ବୁଧବାର ଅପରାହ୍ନ ୪.୩୦ ସମୟରେ ବିଦ୍ୟାଳୟରେ ଏକ ବିଚାର ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ତହସିଲଦାର ଶଙ୍କର ବାଗ, ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଏବିଇଓ ସୂର୍ଯ୍ୟଦେବ ବାଗ, ଗୋବର୍ଦ୍ଧନ ମାଝୀ ପ୍ରମୁଖ ମଞ୍ଚାସୀନ ରହି ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଚନ୍ଦ୍ର ମାହାର, କମିଟିର ସଦସ୍ୟ, ସଦସ୍ୟା, ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର, ସହକାରୀ ଶିକ୍ଷୟତ୍ରୀ ବୃନ୍ଦ ଓ କଳାହାଣ୍ଡି ସିଡ୍ୟୁଲକାଷ୍ଟ ଫେଡେରେସନର ବରିଷ୍ଠ ସଦସ୍ୟ ଅଭିରାମ ନନ୍ଦ, ବରୁଣ ନାଏକ, ଅଭୟ ନାଏକ, ନର୍ଲାର ସାମ୍ବାଦିକ ବୃନ୍ଦଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା ମାଧ୍ୟମରେ ବିଚାର କରାଯାଇଥିଲା । ଗତବର୍ଷ ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଚିକା ସହାୟିକା ଭାବରେ ନିଯୁକ୍ତି ପାଇଥିବା ସୁଦେସ୍ନା ସେଠୀଙ୍କୁ ଧୋବା ସମ୍ପ୍ରଦାୟର ମହିଳା ହୋଇଥିବାରୁ ତାଙ୍କୁ ଜାତିଆଣ ମନୋଭାବ ନେଇ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର ବାହାର କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା । ମାମଲା କେବଳ ବିଦ୍ୟାଳୟରେ ସିମୀତ ହୋଇ ରହିନଥିଲା । ଜାତିଆଣ ଆକ୍ଷେପକୁ ନେଇ ନର୍ଲା ଥାନାରେ କେସ ଦାୟର ହୋଇସାରିଥିବା ବେଳେ ତହସିଲଦାର, ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି ବିଦ୍ୟାଳୟରୁ ବିତାଡିତା ସୁଦେସ୍ନା । ତାଙ୍କୁ ନିଯୁକ୍ତି ଦେବା ସମୟରେ ଘରୁ ଡାକିଆଣି ରେଜୁଲେସନ କରି ପାଚିକା ସହାୟିକା ଭାବରେ ବିଦ୍ୟାଳୟରେ ରଖାଯାଇଥିଲା । ହେଲେ ବିଦ୍ୟାଳୟରୁ କାଢିଦେବା ବେଳେ କମିଟି ମିଟିଂ ନକରି, ସଭାପତି ଓ ଅନ୍ୟକେତେକ କମିଟି ସଦସ୍ୟ, ସଦସ୍ୟାଙ୍କୁ ନଜଣାଇ, ପ୍ରଧାନ ଶିକ୍ଷୟତ୍ରୀ କିଛି ମନଗଢା କାରଣ ଦର୍ଶାଇ କମିଟି ସଦସ୍ୟଙ୍କ ଘରକୁ ବିବରଣୀ ପଞ୍ଜିକା ପଠେଇ ଦସ୍ତଖତ କରେଇଥିବା ଓ ସଭାପତିଙ୍କ ଘରକୁ ପଞ୍ଜିକା ପଠେଇ ଦସ୍ତଖତ କରିବା ପାଇଁ କହିଥିବା ବିଷୟ ମଧ୍ୟ ବୈଠକରେ ସଭାପତି ଶ୍ରୀ ମାହାର କହିଥିଲେ । ବିବରଣୀ ପଞ୍ଜିକାରେ ସୁଦେସ୍ନାକୁ ବାହାର କରିବାର କାରଣ ଅଲଗା ବିଷୟ ଉପସ୍ଥାପନ କରାଯାଇଥିବା ବେଳେ ସୁଦେସ୍ନା ରୋଷେଇ ସାମଗ୍ରୀ ଭାତ, ଡାଲି, ଅଣ୍ଡା, କୋଇଲା ପ୍ରଭୃତି ଚୋରୀକରି ନେଉଥିବା ଓ ଆବଶ୍ୟକତାରୁ ଅଧିକ ରୋଷେଇ କରି ଅଙ୍ଗନୱାଡି କେନ୍ଦ୍ରକୁ ପଠେଇ ଦେଉଥିବା ଅଭିଯୋଗ ଉପସ୍ଥାପନ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର । ସରସ୍ୱତୀ ପୂଜା ସମୟରେ ବିଦ୍ୟାଳୟକୁ ଆସିଥିବା ଅତିଥି ବୃନ୍ଦ ଖାଇବେ ବୋଲି ପ୍ରସାଦ ନିମନ୍ତେ ପ୍ରସ୍ତୁତ କ୍ଷୀରି ଛୁଇଁବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ମୋତେ ବାରଣ କରିଥିଲେ । ଅନେକ ଲଜ୍ୟା ଅମାନ ସହି ମଧ୍ୟ ମୁଁ ବିଦ୍ୟାଳୟରେ କାମ କରୁଥିଲି । ମୋତେ ବିନା ନୋଟିସରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟକୁ ଆଉ ନଆସିବା ପାଇଁ ଖବର କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ । ମୁଁ ନିଚ୍ଚ ଜାତିର ବୋଲି ଜାତିଆଣ ମନୋଭାବ ନେଇ ମୋତେ ବାହାର କରିଦିଆଯାଇଛି । ଆଉ ମିଛରେ ଚୋରାଣୀର ଆଖ୍ୟା ଦିଆଯାଉଛି। ମୁଁ ଆଇନର ଆଶ୍ରୟ ନେବି ବୋଲି ସଭାରେ ଦୃଢୋକ୍ତି ପ୍ରକାଶ କରିଥିଲେ ସୁଦେସ୍ନା । ଗାଇଡ ଲାଇନକୁ ଠିକ ଭାବରେ ଅନୁସରଣ କରାନଯାଇ ବିନା ନୋଟିସରେ ପାଚିକା ସହାୟିକା ସୁଦେସ୍ନାକୁ ବାହାର କରିଦିଆଯାଇଥିବାରୁ ତାଙ୍କୁ ଆଉ ଦୁଇମାସ ପାଇଁ ସୁଯୋଗ ଦିଆଯାଉ ବୋଲି ନ୍ୟାୟ ବିଚାର ଆସନରେ ଆସିନା ବିଡିଓ ଶ୍ରୀମତୀ ସେଠୀ ଏବଂ ତହସିଲଦାର ଶ୍ରୀ ବାଗ କମିଟିକୁ କହିବା ପରେ କମିଟି ସଦସ୍ୟ/ସଦସ୍ୟାଙ୍କୁ ଜଣ ଜଣ କରି ମତାମତ ନିଆଯାଇଥିଲା । ସୁଦେସ୍ନାଙ୍କୁ ବିରୋଧ ଓ ସମର୍ଥନ କରି ପ୍ରଧାନ ଶିକ୍ଷୟତ୍ରୀଙ୍କ ଗୋଷ୍ଠୀ ଓ ସଭାପତିଙ୍କ ଗୋଷ୍ଠୀ ଏଭଳି କମିଟି ସଦସ୍ୟ/ସଦସ୍ୟା ଦୁଇଗୋଷ୍ଠୀ ଭାବରେ ଆରୋପ ପ୍ରତ୍ୟାରୋପ କରିଥିବା ଦେଖିବାକୁ ମିଳିଥିଲା । ଉକ୍ତ ବୈଠକରେ ମଞ୍ଚାସୀନ ଅଧିକାରୀ ତହସିଲଦାର, ବିଡିଓ ପାଚିକା, ସହାୟିକା ଓ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳାଇବା ପାଇଁ ଓ ବିଦ୍ୟାଳୟରେ ଶାନ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ପାଚିକା ସହାୟିକାଙ୍କୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତି ନେଇଥିବାରୁ ବୈଠକରେ ଉପସ୍ଥିତ ସିଡ୍ୟୁଲକାଷ୍ଟ ଫେଡେରେସନର ସଦସ୍ୟମାନେ ସୁଦେସ୍ନାକୁ ନ୍ୟାୟ ମିଳିପାରିନଥିବା ମତବ୍ୟକ୍ତ କରିଛନ୍ତି । ଦୀର୍ଘ ସମୟ ଧରି ବୈଠକରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା । ଶେଷରେ ଗୋଷ୍ଠି ଶିକ୍ଷାଧିକାରୀ ଗାଇଡଲାଇନ ଅନୁଯାୟୀ ପଦକ୍ଷେପ ନିଅନ୍ତୁ ବୋଲି କୁହାଯାଇଥିଲା । ହେଲେ ଅନ୍ୟାନ୍ୟ ଅନେକ କାରଣରୁ ଦୀର୍ଘ ଦିନ ଧରି ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଶାନ୍ତିର ବାତା ବରଣ ଲାଗି ରହିଆସିଥିବାରୁ ବିଦ୍ୟାଳୟ ବାହାରେ ଜମା ହୋଇଥିବା ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ପରିଚାଳନା କମିଟିର ସଭାପତି ସମେତ ସମସ୍ତ ସଦସ୍ୟ/ସଦସ୍ୟା ଓ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପରିବର୍ତ୍ତନ କରାଯାଉ ବୋଲି ଦାବୀ କରିଛନ୍ତି । ନହେଲେ ଏମିତି ଅଶାନ୍ତି ଲାଗି ରହିଥିବ ଯାହା ଫଳରେ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ।