ସରି ସାର୍, ଏବେ କୋଡ୍ ଅଫ୍ କଣ୍ଡକ୍ଟ
🖋ପ୍ରଫୁଲ୍ଲ ବାରିକ
ପାର୍ଟି ମିଟିଂ ସାରି ବିମ୍ବାଧର ବାବୁ ଗାଡ଼ି ପାଖକୁ ଆସି ଦେଖନ୍ତି ତ ଡ୍ରାଇଭର ନାହିଁ । ଏଇଠି କୋଉଠି ଥିବ ଭାବି ଦେଖନ୍ତି ଯେବେ ଗୋଟିଏ ଗଛ ଛାଇରେ ସେ ମୋବାଇଲରେ କଥାରେ ବ୍ୟସ୍ତ । କିଛି ସମୟ ଅପେକ୍ଷା ଅନ୍ତେ ବିମ୍ବାଧର ବାବୁ ଚାଲିଚାଲି ପାଖକୁ, ଯାଇ ବିକତ୍ରରେ କହିଲେ- କେତେ କଥା ହଉଛ କିହୋ? କାହା ସହ ଏତେ ଗପୁଚ?
ମୋବାଇଲ ବନ୍ଦ କରି ଡ୍ରାଇଭର କହିଲା- ମୋ ପୁଅକୁ ଚାରିଦିନ ଧରି ଜ୍ୱର ସାର୍ । ଚାରି ଦିନରେ ଅନ୍ୟୁନ ଚାଳିଶ ଥର ମୋ ସ୍ତ୍ରୀ ଫୋନ୍ କରିଚି ଯିବାକୁ । ଆପଣଙ୍କ ବ୍ୟସ୍ତତା ଦେଖି ମୁଁ କହିପାରୁନି, କି ଯାଇପାରୁନି । ଏବେ ପୁଅ ଡାକ୍ତରଖାନାରେ । ସାଲାଇନ୍ ଲାଗିଚି । ସ୍ତ୍ରୀ ଫୋନ୍ କରିଥିଲା ଡାକ୍ତରଖାନାରୁ ।
– ଓଃ, ଆଇ ସି । ତେବେ ଚାଲ ଡାକ୍ତରଖାନା ଦେଇ ଯିବା । ଦେଖିଯିବା ପୁଅକୁ । ବ୍ୟସ୍ତ ହୁଅନା, ମୁଁ କହିଦେବି ଡାକ୍ତରକୁ । ସବୁ ଠିକ୍ ହେଇଯିବ ।
ଗାଡ଼ି ଗଡ଼ିଲା ଡାକ୍ତରଖାନା ଗେଟ୍ ପାଖରେ ରଖି ବିମ୍ବାଧର ବାବୁ ଡ୍ରାଇଭର ସାଥିରେ ଚାଲିଥାଆନ୍ତି ଡାକ୍ତରଖାନାକୁ । ଡ୍ରାଇଭର ଏକ ଲକ୍ଷ୍ୟରେ ଲମ୍ବାଲମ୍ବା ପାଦ ବଢଉଥିବା ବେଳେ ବିମ୍ବାଧରଙ୍କ ନେତାଳିଆ ଦୃଷ୍ଟି ପହଁରୁଥାଏ ଚତୁଃପାର୍ଶ୍ୱ । ନାଳି ସବୁ ଅସନା ଭର୍ତ୍ତି । ଦୁର୍ଗନ୍ଧରେ ଫାଟି ପଡୁଚି ନାକ । ଠା’ କୁ ଠା’ ମଇଳା ଗଦା । ବାରଣ୍ଡା ତଳକୁ ପୁଜ ରକ୍ତର ତୁଳା ବିଣ୍ଡା । ବାରଣ୍ଡା କୋଣକୁ ପଲେ କୁକୁରଙ୍କର ସ୍ଥାୟୀ ଡେରା ।
ଅଣନିଃଶ୍ଵାସୀ ହେଇ ବିମ୍ବାଧର ବାବୁ ପଶିଲେ ରୋଗୀ ୱାର୍ଡ଼କୁ । ତାଙ୍କୁ ଦେଖି ଡ୍ରାଇଭରଙ୍କ ସ୍ତ୍ରୀ କୃତ୍ୟ କୃତ୍ୟ ହବା ସହ ସକସକ ହେଲା ଲୁଗା କାନିକୁ ମୁହଁରେ ଜାକି । ବିମ୍ବାଧର ଦେଖିଲେ ମଶାରୀ ବାଡ଼ରେ ଝୁଲା ଯାଇ ସାଲାଇନ୍ ଚାଲିଚି ଛୁଆଠି । ଝରକା ସବୁ କାଚଶୂନ୍ୟ, ମୋଟା ପଟିରେ ମୋଦ କରାଯାଇଚି ।
ଘର ଭର୍ତ୍ତି ମାଛି ଅନ୍ଧାର । ସାଲାଇନ୍ ଟୋପା ପଡୁଚି କି ନାଇଁ ଦେଖିବା କଷ୍ଟ । ଦୋଳି ପରି ଠା’କୁ ଠା’ ଇଲେକ୍ଟ୍ରି ତାର ଝୁଲୁଚି କାନ୍ଥରୁ ବାହାରି । ବଲ୍ବଟିଏର ଦର୍ଶନ ନାଇଁ । ପାଖ ବିଛଣାରେ ଆପଣା ଚଦର ପାରି ଶୋଇଥିବା ରୋଗୀ ଖଟରୁ ନଡ଼ିଆ କତା ମେଞ୍ଚେ ପିଚକି ପଡ଼ିଚି ବାହାରକୁ । ଖଟ ତଳକୁ ବୁଢୀ କୁତୀଟିଏ ଅୟସରେ ଚାରିକାତ ମାରି ନିଦ୍ରା ଯାଇଚି ।
ବିମ୍ବାଧରଙ୍କ ମୁଣ୍ଡ ଗରମ ହେଇଗଲା । ଇଏ ଡାକ୍ତରଖାନା, ନା ଯମାଳୟ? ସିଧା ଚାଲିଲେ ଡାକ୍ତରଙ୍କ ଚେମ୍ବରକୁ । ରୋଗୀଙ୍କ ଭିତରେ ଡାକ୍ତର ବ୍ୟସ୍ତ ଥାଆନ୍ତି କାମରେ ।
– ଡାକ୍ତର ବାବୁ, ଟିକେ ଶୁଣିବେ ମୋତେ?
ଉପସ୍ଥିତ ଲୋକଙ୍କୁ ଶୁଣେଇ ଶୁଣେଇ ନେତାଳିଆ ଠାଣିରେ କହିଲେ ବିମ୍ବାଧର ବାବୁ । ଡାକ୍ତର ମୁଣ୍ଡ ଉଠେଇ ଅନେଇଲେ । ଚିହ୍ନିବାକୁ ଅସୁବିଧା ହେଲାନି ବ୍ଲକ୍ ଚେୟାରମେନ୍ । କିଏ ନ ଜାଣେ ଏଙ୍କୁ ।
ଡାକ୍ତର ବାବୁ ଠିଆ ହେଇ କହିଲେ, “କୁହନ୍ତୁ ସାର୍, ଆଜି କିମିତି ଆପଣଙ୍କ ପାଦ ପଡ଼ିଲା?”
– ମୋତେ କୁହ, ଇଏ ଡାକ୍ତରଖାନା ନା ଯମାଳୟ? ଏଠି ଆସି ରୋଗୀ ଭଲ ହେବେ? ବାହାରେ ଦୁର୍ଗନ୍ଧ । ଡ୍ରେନ୍ ମଇଳା ଭର୍ତ୍ତି । ଯୁଆଡ଼େ ଅନେଇଲେ ମଇଳା ଇ ମଇଳା ଇଏତ ବାହାର, ରୋଗୀ ୱାର୍ଡକୁ କଣ କରି ରଖିଚ? ସାଲାଇନ୍ ଷ୍ଟାଣ୍ଡଟିଏ ନାଇଁ? ଭଙ୍ଗା ଝରକା, ଭଙ୍ଗା ଖଟ । କ’ଣ ହଉଚି ଏସବୁ? ଏକୁ ଦେଖୁଚ, ନା ବସି ବସି ଖାଲି ଦରମା ଗଣୁଚ?
– ସାର୍, ବାହାର ଦେଖିବାକୁ ସୁଇପରଟିଏ ନାଇଁ, କିଏ କରିବ ସିଏ କାମ ଆପଣ କୁହନ୍ତୁ । ଇନ୍ଡୋର୍ କଥା ଯାହା କହିଲେ, ହେଡ୍ କ୍ୱାର୍ଟରକୁ ଲେଖିଲେଖି ମୁଁ ଥକି ଗଲିଣି । ସିଡିଏମ୍ଓ ଶୁଣିଲେ ତ । ମୁଁ କ’ଣ କରିବି ସାର୍….?
ଡାକ୍ତର ତଳକୁ ମୁହଁ ପୋତି ଠିଆ ହେଲେ ।
– ଦେଲ ତମ ସିଡିଏମ୍ଓଙ୍କ ନମ୍ବର, ମୁଁ ଦେଖୁଚି… ।
ନମ୍ବର ଲାଗିଲା ମୋବାଇଲରେ ।
“ହେଲୋ ସିଡିଏମ୍ଓ ସାହେବ, ମୁଁ ପ୍ରତିପୁର ବ୍ଲକ୍ ଚେୟାରମେନ୍ କହୁଛି ଏଠା ଡାକ୍ତରଖାନାରୁ ।”
“କୁହନ୍ତୁ ଆଜ୍ଞା…”
“ଏଟା ସରକାରୀ ଡାକ୍ତରଖାନା ନା ବେସରକାରୀ ଅଳିଆ ଗଦା? କ’ଣ ଅଛି ଏଠି? ମଇଳାକୁ ଛାଡ଼ି ଏଠି କିଛି ନାଇଁ । ଇନଫ୍ରାଷ୍ଟ୍ରକ୍ଚର୍ ଭେରି ପୋର୍ । ଯେତେ ଶୀଘ୍ର ସୁଇପର୍ ବ୍ୟବସ୍ଥା ସହ ଚିକିତ୍ସାର ସମସ୍ତ ସୁବ୍ୟବସ୍ଥା କରନ୍ତୁ । ମାନେ ଯୁଦ୍ଧକାଳୀନ ଭିତ୍ତିରେ, ଚବିଶ ଘଣ୍ଟା ଭିତରେ ।
“ସରି ସାର୍, ଏବେ କୋଡ୍ ଅଫ୍ କଣ୍ଡକ୍ଟ । କିଛି ହେଇ ପାରିବନି….”
ଫୋନ୍ କଟିଗଲା । ବିମ୍ବାଧର ବିଳି ବିଳେଇଲେ- କେଡ଼େ ଅଭଦ୍ର ହେଲେଣି ଲୋକଗୁଡ଼ା । କାହାରିକୁ ଡର ନାଇଁ । ବୋଧେ କହିବାକୁ ଯାଉଥିଲେ, ଥରୁଟିଏ ଯଦି ଆସି ଥାଆନ୍ତି କାର୍ଯ୍ୟ କାଳରେ ମୋତେ ଚିହ୍ନି ଥାଆନ୍ତେ ବେଟା । ନ କହି ପାରି ଜିଭ କାମୁଡ଼ି ପକେଇଲେ । ଡାକ୍ତର ବାବୁ କିନ୍ତୁ ଠିକ୍ ବୁଝି ପାରୁଥିଲେ ତାଙ୍କ ମନର ଭାବକୁ । ବୁଝି ହସୁଥିଲେ ଓଠ କାମୁଡ଼ି ମୁରୁକି ମୁରୁକି ।