ଶ୍ରୀମଦ୍ଭାଗବତ ମହାପୁରାଣ କଥା। ବୈବସ୍ଵତ ମନୁ (ଶ୍ରାଦ୍ଧଦେବ) ପ୍ରଥମେ ନିଃସନ୍ତାନ ଥିଲେ। ସେ ଗୁରୁ ବଶିଷ୍ଠଙ୍କ ଶରଣାଗତ ହେବାରୁ ତାଙ୍କ ପୁତ୍ର ପ୍ରାପ୍ତି ପାଇଁ, ବଶିଷ୍ଠ ମିତ୍ରାବରୁଣ ଯଜ୍ଞ କଲେ। ଯଜ୍ଞାରମ୍ଭରେ ମନୁଙ୍କ ପତ୍ନୀ ଶ୍ରଦ୍ଧା ଯଜ୍ଞର ହୋତାଙ୍କ ନିକଟରେ ପ୍ରଣାମକରି ପ୍ରାର୍ଥନା କଲେ, ମୋର ଝିଅଟିଏ ହେଉ। ହୋତା ବଷଟକାର ମନ୍ତ୍ର ଉଚ୍ଚାରଣ କରି ଯଜ୍ଞରେ ଆହୁତି ଦେବାଦ୍ୱାରା ଏକ କନ୍ୟା ଜନ୍ମହେଲା। ତାର ନାମ ହେଲା ଇଳା। ବୈବସ୍ଵତ ମନୁ ଅତି ମନଦୁଖରେ ଗୁରୁ ବଶିଷ୍ଠଙ୍କୁ ପ୍ରଶ୍ନକଲେ,ମୁଁ ପୁତ୍ରାର୍ଥେ ଯଜ୍ଞ କରୁଥିଲି କିନ୍ତୁ ପୁତ୍ର ବଦଳରେ କନ୍ୟା,ଏପରି ବିପରୀତ ଫଳ ହେଲା କିପରି? ବଶିଷ୍ଠ କହିଲେ,ରାଜା! ତୁମ ହୋତାଙ୍କ ବିପରୀତ ସଂକଳ୍ପ ହେତୁ,ଆମର ସଂକଳ୍ପ ନିଷ୍ଫଳ ହୋଇ ଏପରି ହୋଇଛି। ତେବେ ମୋ ତପସ୍ୟା ବଳରେ, ତୁମକୁ ମୁଁ ଗୋଟିଏ ଶ୍ରେଷ୍ଠ ପୁତ୍ର ପ୍ରଦାନ କରିବି। ମହର୍ଷି ବଶିଷ୍ଠ ଏପରି କହି, ସେହି ଇଳା ନାମ୍ନୀ କନ୍ୟାକୁ ପୁରୁଷ କରି ଦେବା ପାଇଁ ପରମ ପୁରୁଷ ନାରାୟଣଙ୍କୁ ସ୍ତୁତି କଲେ। ଶ୍ରୀହରିଙ୍କ ପ୍ରାସାଦରୁ ବଶିଷ୍ଠଙ୍କ ସ୍ତୁତି ଅନୁଯାୟୀ ଇଳା କନ୍ୟା,ପୁରୁଷଟିଏ ହୋଇଗଲା,ତା’ର ନାମ ହେଲା ସୁଦ୍ୟୁମ୍ନ। କାଳକ୍ରମେ ସୁଦ୍ୟୁମ୍ନ ବୈବସ୍ଵତ ମନୁଙ୍କ ଉତ୍ତରାଧିକାରୀ ହେଲେ। ରାଜା ସୁଦ୍ୟୁମ୍ନ ଦିନେ ମୃଗୟାପାଇଁ ବଣକୁ ଯାଇଥାନ୍ତି। ଗୋଟିଏ ହରିଣର ପାଶ୍ଚାତ୍ ଧାବନ କରି, ଉତ୍ତର ଦିଗରେ ସେ ବହୁ ଦୁରକୁ ଚାଲିଯାଇ ମେରୁ ଉପତ୍ୟକାର ଏକ ବନ ମଧ୍ୟରେ ପ୍ରବେଶ କଲେ। ସେ ବନରେ ଭଗବାନ ଶିବ ଉମାଙ୍କ ସହ ବିହାର କରୁଥାନ୍ତି। ସେଠାରେ ପହଞ୍ଚି ସୁଦ୍ୟୁମ୍ନ ଦେଖିଲେ ସେ ଜଣେ ନାରୀ ହୋଇ ଯାଇଛନ୍ତି, ତାଙ୍କ ଘୋଡ଼ା ଗୋଟିଏ ଘୋଡ଼ି ହୋଇ ଯାଇଛି। ତାଙ୍କ ସହ ଥିବା ସମସ୍ତ ଅନୁଚରମାନେ ମଧ୍ୟ ନାରୀ ହୋଇ ଯାଇଥିଲେ। ଏଥିରେ ସମସ୍ତେ ଦୁଃଖୀ ହୋଇ ପଡ଼ିଲେ। ସେମାନେ ସମସ୍ତେ ବ୍ୟାକୁଳିତ ହୋଇ ଏ ବନରୁ ସେ ବନ ଘୁରି ବୁଲିଲେ। ତାଙ୍କୁ ଦିନେ ଚନ୍ଦ୍ର ପୁତ୍ର ବୁଧ ଦେଖିଲେ। ସୁନ୍ଦରୀ ନାରୀରୂପୀ ସୁଦ୍ୟୁମ୍ନଙ୍କ ସୌନ୍ଦର୍ଯ୍ୟରେ ବୁଧ ମୋହିତହୋଇ ତାଙ୍କୁ ବିବାହ କରିବାକୁ ଚାହିଁଲେ। ସୁଦ୍ୟୁମ୍ନ ମଧ୍ୟ ବୁଧଙ୍କୁ ବିବାହ କରିବାକୁ ଚାହିଁବାରୁ ଦୁହିଁଙ୍କ ବିବାହ ହୋଇଗଲା। କାଳକ୍ରମେ ସେମାନଙ୍କର ପୁଅଟିଏ ଜନ୍ମ ହେଲା। ସେହି ପୁଅ ବୁଧ ପୁତ୍ର ପୂରୁରବା ନାମରେ ଖ୍ୟାତ ହେଲା। ପୂରୁରବାଙ୍କ ଜନ୍ମ ପରେ ମା’ ପାର୍ବତୀଙ୍କୁ ଆରାଧନା କରି, ସୁଦ୍ୟୁମ୍ନ ତାଙ୍କ ପୁରୁଷତ୍ବ ଫେରି ପାଇଲେ ଓ କିଛିକାଳ ରାଜତ୍ୱ କରି ପୁରୁରବାଙ୍କୁ ରାଜ୍ୟଭାର ସମର୍ପିଦେଇ ବନଚାରୀ ହେଲେ। ରାଜା ପୂରୁରବା ଧର୍ମରେ ପ୍ରଜା ପାଳନ କରିବାକୁ ଲାଗିଲେ। ପୁରୁରବା ଥିଲେ, ଖୁବ ଜ୍ଞାନୀ ଓ ଧର୍ମ ପରାୟଣ।ତାଙ୍କର ଖ୍ୟାତି କ୍ରମେ ଦିଗ ବିଦିଗକୁ ବ୍ୟାପି ଗଲା। ତାଙ୍କର ଖ୍ୟାତି ଶୁଣି ସ୍ୱର୍ଗ ଅପ୍ସରୀ ଉର୍ବଶୀ ତାଙ୍କ ଆଡ଼କୁ ଆକୃଷ୍ଠ ହୋଇ ପଡ଼ିଲେ। ବ୍ରହ୍ମାଙ୍କ ଠାରୁ ଅଭିଶାପ ପାଇ ଉର୍ବଶୀ ମର୍ତ୍ତ୍ୟରେ ଭ୍ରମଣ କରୁଥାନ୍ତି। ଦିନେ ପୂରୁରବା ତାଙ୍କୁ ଦେଖି ବିବାହକରିବାକୁ ପ୍ରସ୍ତାବ ଦେଲେ। ତେଣୁ ଦୁହିଁଙ୍କ ମଧ୍ୟରେ ବିବାହ ହୋଇଗଲା। କିନ୍ତୁ ଉର୍ବଶୀ ଏହି ବିବାହ ପାଇଁ ତିନୋଟି ସର୍ତ୍ତ ରଖିଥିଲେ ଓ ତାହା ପୁରୁରବା ପାଳନ କରିବାକୁ ପ୍ରତିଜ୍ଞା କରିଥିଲେ। ଉର୍ବଶୀଙ୍କ ସର୍ତ୍ତ ଗୁଡ଼ିକ ଥିଲା :- ୧. ମୋର ଦୁଇଟି ମେଷ ଅଛନ୍ତି। ଆପଣ ଯତ୍ନରେ ତାଙ୍କୁ ପାଳନ କରିବେ। ଯଦି କୌଣସି ବ୍ୟତିକ୍ରମ ଦେଖେ ମୁଁ ଆପଣଙ୍କୁ ଛାଡ଼ି ଚାଲିଯିବି। ୨. ମୁଁ କେବଳ ଘୃତ ଆହାର କରିବି। ୩. କୌଣସି ସମୟରେ ମୁଁ ଯଦି ଆପଣଙ୍କୁ ଉଲଗ୍ନ ଦେଖେ (ପ୍ରଣୟ ସମୟ ଛଡ଼ା) ତେବେ ଆପଣଙ୍କୁ ମୁଁ ପରିତ୍ୟାଗ କରିବି।
ରାଜା ପୂରୁରବା ଉର୍ବଶୀଙ୍କ ସହ ଆନନ୍ଦରେ କାଳ ଅତିବାହିତ କଲେ। ରାଜା ଉର୍ବଶୀଙ୍କ ପ୍ରତି ଏତେ ଆସକ୍ତ ହୋଇ ପଡ଼ିଥିଲେ ଯେ ଶୟନେ, ସ୍ବପନେ ଜାଗରଣେ, କେବଳ ପ୍ରିୟତମା ପତ୍ନୀ, ଉର୍ବଶୀଙ୍କ ଚିନ୍ତାରେ ସେ ନିମଗ୍ନ ରହୁଥିଲେ। ଏପରି ତାଙ୍କର ବହୁକାଳ କଟିଗଲା। ତେଣେ ସ୍ୱର୍ଗପୁରରେ ଦେବରାଜ ଇନ୍ଦ୍ର ଉର୍ବଶୀଙ୍କ ଅନୁପସ୍ଥିତି ଦେଖି, ପଚାରି ଜାଣିଲେ ଯେ ବ୍ରହ୍ମାଙ୍କ ଅଭିଶାପ ପାଇ, ଉର୍ବଶୀ ବର୍ତ୍ତମାନ ମର୍ତ୍ତ୍ୟ ପୁରକୁ ପତିତ ହୋଇଛନ୍ତି। ମର୍ତ୍ତ୍ୟର ମାନବ ପୁରୁରବାଙ୍କୁ ବିବାହ କରିଛନ୍ତି ଓ ତାଙ୍କ ସହିତ ବାସ କରୁଛନ୍ତି। ଇନ୍ଦ୍ର କୌଶଳ କରି, ଉର୍ବଶୀଙ୍କ ମେଷ ଦୁଇଟିକୁ ହରଣ କରିନେଲେ। ଉର୍ବଶୀ ପୁରୁରବାଙ୍କୁ କହିଲେ, ମହାରାଜ! ଆପଣ ପ୍ରାଣାଧିକ ମୋର ମେଷ ଦୁଇ ଗୋଟିକୁ ରକ୍ଷାକରି ପାରିଲେ ନାହିଁ। ଆପଣଙ୍କ ପ୍ରଥମ ପ୍ରତିଶ୍ରୁତି ଭଙ୍ଗ ହୋଇଛି। ଗଭୀର ରାତ୍ରିରେ ମେଷ ଦୁଇଟିକୁ କିଏ ଚୋରାଇ ନେଲା ଜାଣି, ରାଜା ପୁରୁରବା ଲଙ୍ଗଳା ଦେହରେ ଚୋରମାନଙ୍କ ଅନୁଧାବନ କଲେ। ଚକ୍ କରି ଏହି ସମୟରେ ବିଜୁଳି ମାରିଦେଲା। ଉଲଗ୍ନ ରାଜାଙ୍କୁ ଉର୍ବଶୀ କହିଲେ, ରାଜା ପୁଣି ଆପଣଙ୍କ ଅନ୍ୟ ପ୍ରତିଶୃତି ମଧ୍ୟ ଭଙ୍ଗ ହୋଇଛି, ମୁଁ ଆଉ ତୁମ ସହ ରହିପାରିବି ନାହିଁ। ଏହାକହି ଉର୍ବଶୀ ରାଜା ପୁରୁରଵାଙ୍କୁ ତ୍ୟାଗକରି ସ୍ୱର୍ଗକୁ ଚାଲିଗଲେ। ମେଷ ଘେନି ପଳାଉଥିବା ଇନ୍ଦ୍ରଦୂତମାନେ ମେଷ ଦୁଇଟିକୁ ଛାଡ଼ି ଦେଲେ। ପୁରୁରବା ଦୁଇଟି ଯାକ ମେଷ ଧରିଆସି ପ୍ରାସାଦରେ ପହଞ୍ଚିଲେ, ହେଲେ ଉର୍ବଶୀ ଆଉ ନଥିଲେ। ଉର୍ବଶୀଙ୍କ ବିନା ରାଜାଙ୍କୁ ଆଉକିଛି ଭଲ ଲାଗିଲା ନାହିଁ। ସେ ପାଗଳ ପ୍ରାୟ ସାରା ଦେଶ ଇତସ୍ତତଃ ବୁଲିବାକୁ ଲାଗିଲେ। ସେ ଏମିତି ବୁଲୁବୁଲୁ ଦିନେ କୁରୁକ୍ଷେତ୍ରରେ ଉର୍ବଶୀଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ରାଜା ପୁରୁରବା ଅତି ଆନନ୍ଦରେ ତାଙ୍କୁ ସମ୍ଭାଷଣ କଲେ,କିନ୍ତୁ ଉର୍ବଶୀ ତାଙ୍କୁ କଟୁ ଭର୍ତ୍ସନା କରି କହିଲେ, “ନିର୍ବୋଧ ରାଜା! ତୁମ ରାଜ୍ୟକୁ ଫେରି ଯାଇ ଆନନ୍ଦରେ ବାସକର”। ପୂରୁରବା ଫେରି ଆସିଲେ ଓ ଉର୍ବଶୀଙ୍କୁ ଝୁରି ହୋଇ ଅତି ଦୁଃଖରେ କାଳ କାଟିଲେ। ବୁଧପୁତ୍ର ପୁରୁରବାଙ୍କ ଠାରୁ ଚନ୍ଦ୍ର ବଂଶର ଉତ୍ପତ୍ତି ହେଲା। କାଳକ୍ରମେ ଚନ୍ଦ୍ର ବଂଶରେ ଜାତ ହେଲେ ଭଗବାନ ଶ୍ରୀକୃଷ୍ଣ।