ଉତ୍କଳ ଦିବସରେ ଅବହେଳିତ ହୋଇ ପଡିରହିଲା ଐତିହାସିକ ଗଡଗଡିଆ ଘାଟ

● କେହି ମନେପକେଇଲେନି ଭାଷା ଆନ୍ଦୋଳନର ୩ ମହାରଥୀଙ୍କୁ

ବାଲେଶ୍ଵର,୨/୪(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ଭାଷାଭିତ୍ତିକ ଓଡିଶା ପ୍ରଦେଶ ଗଠନ ହୋଇ ୮୩ ବର୍ଷ ଅତିକ୍ରାନ୍ତ । ଅଥଚ ଭାଷା ଆନ୍ଦୋଳନର ସେଇ ଓଡିଆ ବରପୁତ୍ର ଆଜି ବି ଅଣଦେଖା ଓ ଅବହେଳାରେ ଶିକାର।

ବାଲେଶ୍ଵରର ସେପରି ଏକ ଐତିହାସିକ ସ୍ଥାନ ହେଉଛି ଗଡଗଡିଆ ଘାଟ । ଏହାକୁ ଭାଷା ଆନ୍ଦୋଳନର ଏନ୍ତୁଡିଶାଳ କୁହାଯାଏ। ଭାଷା ଓ ସାହିତ୍ୟକୁ ନେଇ ଓଡିଶାର ସ୍ଵତନ୍ତ୍ର ପରିଚୟର ମୂକସାକ୍ଷୀ ଏଇ ଗଡଗଡିଆ ଘାଟ। ଅଥଚ ଗତକାଲି ଉତ୍କଳ ଦିବସ ପାଳନ ଅବସରରେ ଏଇ ସ୍ଥାନଟି ଥିଲା ଶୂନଶାନ୍ ଓ ନିରବ।

କୁହାଯାଏ ଏଇ ଗଡଗଡିଆ ଘାଟରେ ପ୍ରତି ସଂଧ୍ୟାରେ ଏକତ୍ରିତ ହେଉଥିଲେ ସେସମୟରେ ଭାଷାପ୍ରମୀ ଓ ସଂଗ୍ରାମୀ ଓଡ଼ିଆ ଫକୀରମୋହନ ସେନାପତି, ମଧୁସୂଦନ ଦାସ ଓ ରାଧାନାଥ ରାୟ। ସେତେବେଳେ ଏ ପୋଖରୀ ତୁଠରେ ଏଇ ତିନିଜଣ ଏକାଠି ବସି ସେସମୟର ନାନା ପ୍ରସଙ୍ଗ, ଭାଷା ଓ ସାହିତ୍ୟ ଉପରେ ପରସ୍ପର ଆଲୋଚନା କରୁଥିବା କଥା ଇତିହାସ କହେ।

୧୮୭୦ ମସିହାରେ ଯେତେବେଳେ ତଦାନୀନ୍ତନ ଜିଲ୍ଲା ସ୍କୁଲର ଜନୈକ ଶିକ୍ଷକ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ‘ଉଡିଆ ଏକଟା ସ୍ଵତନ୍ତ୍ର ଭାଷା ନୋଏ’ କହିଲେ, ସେତେବେଳେ ଏଇ ୩ ଜଣଙ୍କ ଭିତରେ ଆନ୍ଦୋଳନ ର ଅଙ୍କୁରୋଦଗମ ହୋଇଥିଲା। ସେତିକିବେଳେ ଓଡ଼ିଆ ଭାଷାକୁ ବିଲୁପ୍ତ କରିଦେବାର ଯେଉଁ ଚକ୍ରାନ୍ତ ହୋଇଥିଲା ତାକୁ ଓଡ଼ିଆ ଭାଷାଭାଷୀ ଲୋକେ ଘୋର୍ ବିରୋଧ କରିବା ସହ ଏହା ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା।

ଓଡିଆ ବିରୋଧୀ ଏ ଅଭିଯାନ ବିରୁଦ୍ଧରେ ସେତେବେଳେ ନୀଳଗିରି ମହାରାଜାଙ୍କ ଦେଓ୍ଵାନ୍ ଥିବା ଫକୀରମୋହନ ସେନାପତି, ମିଶନ୍ ସ୍କୁଲରେ ଶିକ୍ଷକ ଥିବା ରାଧାନାଥ ରାୟ ଓ ଜିଲ୍ଲା ସ୍କୁଲରେ ଶିକ୍ଷକ ଥିବା ମଧୁସୂଦନ ଦାସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ।

ମୁଖ୍ୟତଃ ଏଇ ତିନିଜଣ ଓଡ଼ିଆ ସେତେବେଳେ ବଙ୍ଗାଳିମାନଙ୍କର ଓଡ଼ିଆ ଭାଷା ବିଲୋପର ଆହ୍ଵାନକୁ ସାମ୍ନା କରି ଓଡ଼ିଆ ଭାଷାରେ ଲେଖାଲେଖି ଜୋରଦାର୍ କରିଥିଲେ। ଏହିକ୍ରମରେ ଏମାନେ ୧୮୭୭ରେ ଏକ ଓଡ଼ିଆ ସଂଗଠନ କରିବାକୁ ମନସ୍ଥ କଲେ। ୧୯୦୩ରେ ଗଠନ ହେଲା ଉତ୍କଳ ସମ୍ମିଳନୀ। ଏହାରି ମାଧ୍ୟମରେ ଯୁବପ୍ରାଣରେ ଓଡିଆ ଜାତିପ୍ରୀତି ଜାଗ୍ରତ କରିଥିଲେ ଏହି ତିନି ମହାରଥୀ। ପରେ ପରେ ୧୯୩୬ରେ ଓଡିଶା ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇଲା। ଏସବୁ ମୂଳରେ ଏଇ ତିନିଜଣ ମହାନ ସଂଗ୍ରାମୀଙ୍କ ଅବଦାନ ରହିଛି। ଗଡଗଡିଆ ଘାଟ କାରଣରୁ ଏକ ଐତିହାସିକ ପୀଠ କହିଲେ ଅତ୍ୟୁକ୍ତି ହେବନାହିଁ।

ବିଗତ କିଛି ବର୍ଷ ହେଲା ଏଇ ଗଡଗଡିଆ ଘାଟକୁ ପରିଷ୍କାର ପରିଚ୍ଛନ କରି ଏଠାରେ ତିନି ବରପୁତ୍ରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ନିର୍ମାଣ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଲେଖାଯିବା ସହ ଜନପ୍ରତିନିଧିଙ୍କ ସମ୍ମତି ମଧ୍ୟ ମିଳିଥିଲେ ହେ ଫଳ କିଛି ହୋଇନାହିଁ। ପୋଖରୀ ଘାଟରେ ଆବର୍ଜନା କୁଢ କୁଢ ହୋଇ ଭାସୁଛି। ପୋଖରୀକୁ ପାଚେରୀ ଆବଦ୍ଧ କରାଯାଇନାହିଁ। ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇନାହିଁ।

“ଏସବୁ ଦିଗରେ ସମଗ୍ର ଜିଲ୍ଲାବାସୀ ଏବେ ସ୍ଵର ଉତ୍ତୋଳନ କରିବାର ସମୟ ଆସିଛି। ଆମେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଏ ଦିଗରେ ଚେଷ୍ଟା ଜାରି ରଖିଛୁ। ଜବର ଦଖଲ ହଟେଇବା ପରେ ଯାଇ ଯାହା କିଛି ହେବ। ତେବେ ଲକ୍ ଡାଉନ୍ ଉଠିବା ପରେ ପରିଷଦ ପକ୍ଷରୁ ଏବଂ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆମେ ଏ ଦିଗରେ ଉଦ୍ୟମ ଜୋରଦାର୍ କରିବୁ। ଗଡଗଡିଆ ଘାଟ ଏକ ଦର୍ଶନୀୟ ସ୍ଥାନ ହେବା ସହ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଉ, ଏହା ଆମର ଦାବି ରହିବ ପର୍ଯ୍ୟଟନ ମନ୍ତ୍ରୀଙ୍କ ପାଖରେ”, ବୋଲି ‘ଫକୀରମୋହନ ସାହିତ୍ୟ ପରିଷଦ’ର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଏବଂ ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ କହିଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.