ଜୁଲାଇରେ କଟକଣା କୋହଳ ପରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ ଓ ଏସ୍.ପି.

● କୋଭିଡ ନିୟମ ମଧ୍ୟରେ ଦୋକାନବଜାର ଖୋଲିବାକୁ ବଣିକ ସଂଘକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

ରାୟଗଡ, (ଶିବ ନାରାୟଣ ଗୈାଡ): ରାଜ୍ୟର ୨୦ଟି ଜିଲ୍ଳା ମଧ୍ୟରେ ୫ ପ୍ରତିଶତରୁ କମ ସଂକ୍ରମଣ ହାର ରହିଥିବାରୁ ଗ୍ରୀନ ଜୋନର ରାୟଗଡ ଜିଲ୍ଳା ମଧ୍ୟ ରାଜ୍ୟ ସରକାରଙ୍କ ଜୁଲାଇ ୧୬ତାରିଖ ଯାଏଁ ବୃଦ୍ଧି ଲକଡାଉନ କଟକଣାର ଆଂଶିକ କୋହଳ କଟକଣା ତାଲିକା ମଧ୍ୟରେ ସ୍ଥାନ ପାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଳା ସଦର ମହକୁମାରେ କଟକଣା କୋହଳ ପରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଏବଂ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ ନିୟମ ପାଳନକୁ ଉଂଲଘନ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କୋଭିଡ କଟକଣା ମଧ୍ୟରେ ବ୍ୟବସାୟ କରିବା ପାଇଁ ଜିଲ୍ଳାପାଳ ଅନୁମତି ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଳାପାଳ ଶ୍ରୀ ମିଶ୍ର ଏବଂ ଏସ.ପି.ଶ୍ରୀ ଶର୍ମା କପିଳାସ ଛକ ଠାରୁ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଛକ ଏବଂ ଓଭରବ୍ରିଜ ତଳେ ଥିବା ପରିବା ବଜାର ସମେତ ମୁଖ୍ୟ ବଜାର ପରିକ୍ରମା କରି ବ୍ୟବସାୟୀମାନଙ୍କୁ କୋଭିଡ ନିୟମ ପାଳନ କରି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଳାପାଳ ଓ ଏସପିଙ୍କ ସ୍ଥିତି ଅନୁଧ୍ୟାନ ସମୟରେ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ଏସଡିପିଓ ଦିବ୍ୟଜ୍ୟୋତି ଦାଶ, ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ସେହିପରି ଆଜି ରାୟଗଡ ବଣିକ ସଂଘ ସଦସ୍ୟମାନଙ୍କ ସହ ଜିଲ୍ଳାପାଳ ଶ୍ରୀ ମିଶ୍ର ତାଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ବୈଠକ କରି ଆଲୋଚନା କରିଛନ୍ତି । ଦୋକାନ ବଜାର ଖୋଲିବା ପରେ ବିଶେଷ କରି ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା, ହାତକୁ ନିୟମିତ ସାନିଟାଇଜ କରିବା ଓ ଦୋକାନରେ ଅଧିକ ଜନ ଗହଳି ନ କରିବା ପାଇଁ ବଣିକ ସଂଘକୁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଯେ କେହି ଦୋକାନୀ କୋଭିଡ ନିୟମ ଉଲଂଘନ କରି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରିଥିଲେ ।

ସେହିପରି ଦୋକାନଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ ଟୀକାକରଣ ନିମନ୍ତେ ଡିପିଏମ ରାଜେଶ ପଟ୍ଟନାୟକଙ୍କୁ ତାଲିକା ପ୍ରଦାନ କରିବା ପାଇଁ ପରାମର୍ଶ ଦେବା ସହ ପର୍ଯ୍ୟାୟ କ୍ରମେ ଉଠା ବ୍ୟବସାୟୀ, ପରିବା ବ୍ୟବସାୟୀ, ଅଟୋ ଚାଳକ ସଂଘ ଆଦି ଅନ୍ୟାନ୍ୟ ସମସ୍ତଙ୍କୁ ଟୀକାକରଣରେ ସାମିଲ କରାଯିବ ବୋଲି ଶ୍ରୀ ମିଶ୍ର ସଂଘ କାର୍ଯ୍ୟକର୍ତାଙ୍କୁ କହିଥିଲେ । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମପ୍ରସାଦ ସାହୁ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ସମେତ ବଣିକ ସଂଘ ସଭାପତି ସୁରେନ୍ଦ୍ର ନାଥ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.