ସମସ୍ୟାର ଚାରିଛକରେ ବନ୍ଧା ନେହେଲା ଗ୍ରାମ: ଉପେକ୍ଷିତ ଦିବ୍ୟାଙ୍ଗ, ଯୋଜନାରୁ ବଞ୍ଚିତ ଅଧିବାସୀ

● ଯୋଗ୍ୟ ହିତାଧିକାରୀଙ୍କୁ ମିଳିନାହିଁ ଆବାସଗୃହ

● ଭତ୍ତା ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ଶିଶୁ ଓ ବୃଦ୍ଧବୃଦ୍ଧା

● ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ବିରେନ୍ଦ୍ର ଓ ତାଙ୍କ ପରିବାର

ଥୁଆମୂଳ ରାମପୁର, (ଦୁର୍ଗା କିର୍ତ୍ତୀ): ଆଦିବାସୀ, ଗିରିଜନ, ହରିଜନ, ଦିବ୍ୟାଙ୍ଗମାନଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରିଚାଲିଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ। ଏପରି ଏକ ଖବର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ଥୁଆମୂଳ ରାମପୁରରୁ। ଥୁଆମୂଳ ବ୍ଳକ କାଣିଗୁମା ପଞ୍ଚାୟତ ଅଧିନରେ ଥିବା ନେହେଲା ଗ୍ରାମ ପ୍ରଶାସନିକ ଅବହେଳା କାରଣରୁ ଉପେକ୍ଷିତ ହୋଇପଡିଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ, କୃଷି, ପଶୁପାଳନ ସବୁ କ୍ଷେତ୍ରରେ ଏହି ଗାଁ ପଛେଇ ଯାଇଥିବାବେଳେ ଗ୍ରାମର ଦିବ୍ୟାଙ୍ଗ ଶିଶୁ ଓ ଗରିବଗୁରୁବାଙ୍କ ଉପରେ ମଧ୍ୟ ପ୍ରଶାସନର ସୁଦୃଷ୍ଟି ପଡ଼ିନାହିଁ। ଗ୍ରାମର ୧୫୦ ଆଦିବାସୀ ହରିଜନ ପରିବାର ଅବହେଳିତ ଜୀବନ ଯାପନ କରୁଛନ୍ତି।

ଏହି ଗ୍ରାମର ସମ୍ବାରୁ ମାଝୀ ଜଣେ ଗରିବ ଶ୍ରେଣୀୟ ଲୋକ ହୋଇଥିବାବେଳେ ତାଙ୍କୁ ଆବାସ ଗୃହ ମିଳିନାହିଁ। ଭଙ୍ଗା ଦଦରା ଚାଳଛପର ଘରେ ବିତୁଛି ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ଜୀବନ। ସବୁଠାରୁ ପରିତାପର ବିଷୟ ହେଲା ସମ୍ବାରୁଙ୍କ ପୁଅ ବିରେନ୍ଦ୍ର ମାଝୀ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କୁ ବିକଳାଙ୍ଗ ଭତ୍ତା କିମ୍ବା ଅନ୍ୟ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ। ଏମିତି ଏହି ଗ୍ରାମର ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହୋଇନଥିବା ବେଳେ ୬୦ ବର୍ଷ ଅତିକ୍ରମ କରିଥିବା ବୃଦ୍ଧବୃଦ୍ଧାମାନେ ଭତ୍ତା ପାଇନଥିବା ଅଭିଯୋଗ ହେଉଛି। ସେହିପରି ଅନେକ ପରିବାର ଖାଦ୍ୟ ସୁରକ୍ଷା ଯୋଜନା, କାଳିଆ ଯୋଜନା ପରି ଜନହିତକାରୀ ଯୋଜନାରେ ସାମିଲ ହୋଇନଥିବା ବେଳେ ଗ୍ରାମର ଦିବ୍ଯାଙ୍କ ନାବାଳକ ଓ ନାବାଳିକାଙ୍କୁ ମଧ୍ୟ ଭତ୍ତା ମିଳୁନାହିଁ। ତେଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ନେହେଲା ଗ୍ରାମ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସମସ୍ୟା ସବୁର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.