ରାୟଗଡ, (ଶିବ ନାରାୟଣ ଗୈାଡ): କୋଭିଡ ନିୟମକୁ ପାଳନ କରି ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ରାୟଗଡ ତତ୍ୱାବଧାନରେ ରାୟଗଡ ଜିଲ୍ଳା ସିିଭିଲ କୋର୍ଟ ପରିସରରେ ଆଜି ୨ୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣପୁର, ବିଷମକଟକ, କାଶିପୁରରେ ଦୀର୍ଘ ଦିନ ଧରି ପଡି ରହିଥିବା ୬୭ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ୬୯ଲକ୍ଷ ୬୮ ହଜାର ୮୮୫ଟଙ୍କା ଓ ପ୍ରିଲିଟିଗେସନ୍ ସମ୍ବନ୍ଧିତ ୨୩ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ୪ଲକ୍ଷ ୩୯ହଜାର ୫୦୦ଟଙ୍କା ଆଦାୟ ହୋଇଛି । ଏହି ଲୋକ ଅଦାଲତ ଡିଏଲଏସଏ ଅଧ୍ୟକ୍ଷ ତଥା ଜିଲ୍ଳା ଦୈାରାଜଜ୍ ମଳୟ ରଂଜନ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ପରିବାର ଅଦାଲତର ବିଚାରପତି ଆଶିଷ କୁମାର ତ୍ରିପାଠୀ, ରେଜିଷ୍ଟ୍ରର ଶ୍ରୀମତି ପ୍ରତିମା ପାତ୍ର, ବରିଷ୍ଠ ଦଣ୍ଡାଧିକାରୀ ମନୋରଂଜନ ଦାସ, ବରିଷ୍ଠ ଦେୱାନୀ ବିଚାରପତି ସୁଶାନ୍ତ କୁମାର ମିଶ୍ର, ଡିଏଲଏସଏ ସଂପାଦକ ମନୋରଂଜନ ମିଶ୍ର,ମହିଳା କୋର୍ଟର ବିଚାରପତି ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରୀ ରାଜେନ୍ଦ୍ର କୁମାର ଦାସ, ନ୍ୟାୟାଧିକାରୀ ଗ୍ରାମ ନ୍ୟାୟାଳୟର ଶ୍ରୀମତି ସୁବାଷିନୀ ବେହେରା, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ଯୁଧିଷ୍ଠିର ଦଳେଇ,ଗୁରଚରଣ ଜେନାମଣୀ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ । ସେହିପରି ପରିବାର ଅଦାଲତରେ ବିଚାରଧୀନ ଜେକେପୁର ଅଂଚଳର ଏକ ଜନୈକ ବ୍ୟକ୍ତିଙ୍କ ଭରଣପୋଷଣ ମାମଲାକୁ ମଧ୍ୟ ପରିବାର ଅଦାଲତର ବିଚାରପତି ଆଶିଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଭୟ ପକ୍ଷର ଉପସ୍ଥିତିରେ ଆପୋଷ ବୁଝାମଣା ଜରିଆରେ ସମାଧାନ କରାଯାଇ ପାରିଛି । ଏହି ସମାଧାନ ବେଳେ କୋର୍ଟର ଅନ୍ୟ କର୍ମଚାରୀ ଓ ଆଇନଜୀବିମାନେ ଉପସ୍ଥିତ ରହିଥିଲେ ।





