କାହିଁକି ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ସାମ୍ନା କରିବାକୁ ଯାଉଛି କଳାହାଣ୍ଡି, ଜାଣନ୍ତୁ କାରଣ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡିର ଗ୍ରାମାଞ୍ଚଳରେ ପାଳିତ ହୋଇଯାଇଛି ନୂଆଖାଇ। ଆଗକୁ ଦଶମୀ ତିଥିରେ ଜିଲ୍ଲାର ଭବାନୀପାଟଣା, ଦାଦପୁର, ଲାଞ୍ଜିଗଡ଼, ବିଶ୍ବନଥପୁର, ମଦନପୁର ରାମପୁର, ଥୁଆମୁଲ ରାମପୁର, ଜୟପାଟଣା ଆଦି ସ୍ଥାନରେ ନୂଆଖାଇ ପର୍ବ ପାଳିତ ହେବ। ତେବେ ବର୍ତ୍ତମାନ ସୁଦ୍ଧା ଚାଷକାମ ଶେଷ ହୋଇନାହିଁ। ଅନ୍ୟ ବର୍ଷ ଏହି ସମୟରେ ଜମିରୁ ଲଟାବଛା ସରି ଚାଷୀ ପାଣି ବାନ୍ଧି ରଖିଥାଏ କିନ୍ତୁ ଚଳିତ ବର୍ଷ ପରିସ୍ଥିତି ଭିନ୍ନ ପ୍ରକାରର। ଚାଷକାମ ଆରମ୍ଭ ସମୟରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବୁଣା ଯାଇଥିବା ଧାନ ଭଲଭାବରେ ଗଜା ହୋଇନଥିବାବେଳେ ବର୍ଷା ନହେବା କାରଣରୁ ଯାହାବି ବଞ୍ଚିଥିଲା ଠିକ୍ ସମୟରେ ବେଉଷଣ ହୋଇ ପାରିଲା ନାହିଁ। ସେହିପରି ଭାବେ ବର୍ଷାଭାବରୁ ଜମିରେ ତଳି ମରିବାକୁ ଆରମ୍ଭ କଲା। ଅଣ ଜଳସେଚିତ ଅଞ୍ଚଳରେ ଚାଷୀ ତଳି ରୋପଣ କରିପାରିଲା ନାହିଁ। ଅଧିକାଂଶ ଜମିରେ ଗାଈଗୋରୁ ଚରିଲେ। ପରବର୍ତ୍ତୀ ସମୟ ଅର୍ଥାତ୍ ଆଜକୁ ପନ୍ଦର ଦିନ ପୂର୍ବରୁ ଯେଉଁ ବର୍ଷା ହେଲା ସେଥିରେ କେତେକ ଚାଷୀ ତଳି ରୋପଣ କଲେ କିନ୍ତୁ ଅଧିକାଂଶ ଚାଷୀଙ୍କ ତଳି ମରିଯାଇଥିବାରୁ ସେମାନଙ୍କ ରୁଆ କାମ ହୋଇପାରିଲା ନାହିଁ। ଏହି ସମୟରେ କଳାହାଣ୍ଡିର ସବୁ ବ୍ଲକରେ ୟୁରିଆ ସମେତ ଅନ୍ୟାନ୍ୟ ସାରର ଅଭାବ ଦେଖାଦେଲା। ବର୍ଷାକୁ ଦେଖି କେତେକ ଚାଷୀ ଅଛରା ତଳି ପକାଇଥିଲେ, ଯାହା ଆଉ କିଛି ଦିନ ମଧ୍ୟରେ ରୋପଣ ହେବ। ତେବେ ସମୟ ଅତିବାହିତ ହୋଇଯାଇଥିବାରୁ ଯେତେ ଯାହା କଲେବି ଆଉ ଚାଷ ଭଲ ହେବନାହିଁ ବୋଲି ଅନେକେ ବରିଷ୍ଠ ଚାଷୀ ମତବ୍ୟକ୍ତ କରିଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ କଳାହାଣ୍ଡିରେ ଭୟାବହ ମରୁଡ଼ି ହେବା ସୁନିଶ୍ଚିତ। ଅନ୍ୟପକ୍ଷରେ ଜଳ ସମ୍ପଦ ବିଭାଗର ଅବହେଳା ଓ ବେପରୁଆ ମନୋଭାବ ଯୋଗୁଁ ଅନେକ ଜଳସେଚନ ପ୍ରକଳ୍ପ କୋମା ଅବସ୍ଥାରେ ପଡ଼ିରହିଛି। ମରୁଡ଼ି ପରିସ୍ଥିତିର ମୁକାବିଲା କରିବାକୁ ଉଠା ଜଳସେଚନ ପ୍ରକଳ୍ପସବୁ ବହୁତ କାମରେ ଆସିଥାଏ, କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ଯୋଗୁଁ ଏହା କୈାଣସି କାମକୁ ନୁହଁ। ସେହିପରି ଭାବେ ଜିଲ୍ଲାର ଅନେକ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପର କେନାଲ ସଫା ହୋଇନଥିବାରୁ ଚାଷୀଙ୍କ କ୍ଷେତ ପର୍ଯ୍ୟନ୍ତ ପାଣି ଆସି ପାରୁନାହିଁ। ଅନେକ ପ୍ରକଳ୍ପର କେନାଲ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା, କିନ୍ତୁ ସଂପୃକ୍ତ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବିହିତ ପଦକ୍ଷେପ ନିଆଗଲା ନାହିଁ। ଫଳ ସ୍ବରୂପ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଗଲା ସିନା ଚାଷୀଙ୍କ କୈାଣସି ଉପକାରରେ ଆସିପାରିଲା ନାହିଁ। ନର୍ଲା ବ୍ଲକର ରେତ ଜଳସେଚନ ପ୍ରକଳ୍ପ ଯୋଜନାରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ହଜାର ହଜାର ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଭାବରେ ଜିଲ୍ଲାର ଅନେକ ପ୍ରକଳ୍ପର କେନାଲ ନିର୍ମାଣ କାର୍ଯ୍ୟ ଓ ମରାମତି କାମ ନିମ୍ନମାନର ହୋଇଥିବା ଚାଷୀ ଅଭିଯୋଗ କରୁଥିଲେ ମଧ୍ୟ ଫଳ ଶୂନ୍ୟ ପରି ପ୍ରତୀୟମାନ ହେଉଛି। କଳାହାଣ୍ଡି ଜିଲ୍ଲାର ୧୩ଟି ଯାକ ବ୍ଲକରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାରେ ଅନେକ ନଦୀ, ନାଳ, ଗାଡିଆ ଆଦି ରହିଛି ଯଦି ଏହା ସରକାରଙ୍କ ପକ୍ଷରୁ ଏହି ଜଳର ସୁବିନିଯୋଗ କରାଯାଇ ପାରନ୍ତା ତେବେ ଚାଷୀମାନେ ସ୍ବଳ୍ପ ବୃଷ୍ଟିପାତ ଜନିତ ସମସ୍ୟାରୁ କେତେକାଂଶରେ ମୁକ୍ତ ହୋଇପାରନ୍ତେ। ବର୍ଷ ବର୍ଷ ଧରି ଅଣଜଳ ସେଚିତ ଜମିକୁ ପାଣିର ସୁବିଧା କରିବାପାଇଁ ଦାବୀ ହେଉଥିଲେ ମଧ୍ୟ ସରକାରଙ୍କ ବୈମାତୃକ ମନୋଭାବ କଳାହାଣ୍ଡି ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଭୁତଳ ଜଳର ସୁବିନିଯୋଗ ପାଇଁ ସରକାରଙ୍କ ପକ୍ଷରୁ ଆଖି ଦୃଷିଆ ପଦକ୍ଷେପ ନିଆଯାଇନାହିଁ। ଯଦି ପ୍ରତ୍ୟକ ଚାଷୀଙ୍କ ଜମିରେ ଗଭୀର କୂପ ଖନନ ହୋଇଥାନ୍ତା, ତେବେ ମରୁଡ଼ିର ମୁକାବିଲା କରି ହୋଇଥାନ୍ତା। ସରକାରୀ ସ୍କିମରେ ଗଭୀର ନଳକୂପ ଖନନ ପାଇଁ ଯେଉଁ ସବୁ ସର୍ତ୍ତ ରହିଛି ସମସ୍ତ ଚାଷୀ ସେସବୁ ପୁରଣ କରିପାରୁ ନାହାନ୍ତି। ତେଣୁ ଏସବୁ ଯୋଜନାର ପୁନଃ ସମୀକ୍ଷା କରିବା ଜରୁରୀ ବୋଲି ଅନେକେ ଚାଷୀ ମତବ୍ୟକ୍ତ କରିଛନ୍ତି। ବର୍ଷା ନହେବା କିମ୍ବା ସ୍ବଳ୍ପ ବୃଷ୍ଟିପାତ ପ୍ରାକୃତିକ କାରଣ କିନ୍ତୁ ଯଦି ଆଗରୁ ଜଳ ସଂପଦ ବିଭାଗ ଓ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ରହିଥାନ୍ତା ତେବେ କଳାହାଣ୍ଡିକୁ ସାମ୍ଭାବ୍ୟ ମରୁଡ଼ିର ସମ୍ମୁଖିନ ହେବାକୁ ପଡିନଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.