ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ହିନ୍ଦୁ ଧର୍ମରେ ଗାଈକୁ ମା’ ର ସ୍ୱରୁପ ଦିଆ ଯାଇଛି । ଶାସ୍ତ୍ର ମତରେ ଗାଇର ଦେହରେ ୩୩ କୋଟି ଦେବା ଦେବୀ ରହିଥାନ୍ତି । ପୁରାଣ ବିଦିତ କାମଧେନୁ କଥା ସମସ୍ତେ ଜାଣନ୍ତି । ସକାଳୁ ରାତି ଯାଏଁ ମଣିଷ ସମାଜ ପାଇଁ ଅତ୍ୟବଶ୍ୟକ ରହିଥାଏ ଗୋରସ ବା କ୍ଷୀର । କେବଳ କ୍ଷୀର ବୋଲି ନୁହଁ ଗାଈର ଗୋବର ଏକ ଉତ୍କୃଷ୍ଟ କମ୍ପୋଷ୍ଟ ଖତ ଭାବରେ ଚାଷୀ ବ୍ୟବହାର କରି ଫସଲ ଉପୁଜାଇ ଥାଏ । ବଳଦକୁ ବ୍ୟବହାର କରି ବର୍ଷ ତମାମ ଚାଷ କାର୍ଯ୍ୟ କରିଥାଏ । ଆଉ ଚାଷୀ ଗୁହାଳକୁ ଶୋଭା ବର୍ଦ୍ଧନ କରିଥାଏ ଗୋରୁ । ହିନ୍ଦୁ ଶାସ୍ତ୍ର ମତେ ଗୋଧୂଳି ଲଗ୍ନକୁ ଶୁଭକାର୍ଯ୍ୟ କରିବାର ସ୍ୱତନ୍ତ୍ର ସମୟର ମାନ୍ୟତା ରହିଛି । ଆଉ ଚାଷୀ ନିଜ ଜମି ହୁଡାରେ ଉପୁଜୁଥିବା ଘାସ, ଶସ୍ୟ ଉତ୍ପାଦନ ପରେ ବଳକା ସାମଗ୍ରୀ ଯଥା ପାଳ, କୁଟା, ନଡା, କୁଣ୍ଡା ପ୍ରଭୃତିକୁ ଗୋଖାଦ୍ୟ ଭାବରେ ବ୍ୟବହାର କରି ଗୋପାଳନ କରିଥାଏ । ହେଲେ ହିନ୍ଦୁ ଧର୍ମ ଏବଂ ଚାଷୀଙ୍କ ମୂଳ ଆଧାର ସାଜିଥିବା ଗୋରୁ କ୍ରମେ କ୍ରମେ ଚାଷୀଙ୍କ ଗୁହାଳରୁ ଉଭାନ ହେବାକୁ ବସିଲାଣି । ଚାଷୀ ଚାଷ କାର୍ଯ୍ୟ ପାଇଁ ଜମି ଚଷିବା, ଧାନ ମଳିବା ଭଳି କାର୍ଯ୍ୟରେ ବ୍ୟବହାର କରୁଥିବା ବଳଦର ସ୍ଥାନ କଳ ଲଙ୍ଗଳ, ଟ୍ରାକ୍ଟର, ପାୱାର ଟିଲର, ହାର୍ଭେଷ୍ଟର ଭଳି ଯନ୍ତ୍ର ନେଇ ସାରିଲାଣି । ଆଉ ବଲଦକୁ ହଳ ଯୋଖି ଚାଷ କାର୍ଯ୍ୟ କରୁନି ଚାଷୀ । ଅନ୍ୟପକ୍ଷେ ଶ୍ରମିକ ଅଭାବର ଘୋର ସମସ୍ୟା ଦେଖା ଦେଲାଣି ଚାରିଆଡେ । ଗାଈ ଗୋରୁ ଚରେଇବା ପାଇଁ ଗାଈ ଜଗୁଆଳି ମିଳୁ ନଥିବା ବେଳେ ଘାସ କାଟିବା ଲୋକ ମିଳୁ ନାହାନ୍ତି । ଚାଷୀ ବାଧ୍ୟ ହୋଇ ଘାସ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଧାନ ରୋଇବା ସମୟରେ ଘାସମରା ଔଷଧ ମାରି ଘାସକୁ ନିପାତ କରିଥାଏ । ଫଳରେ ଗାଈ ପାଇଁ କ୍ଷେତ ହୁଡାରେ ଘାସ ମଧ୍ୟ ଆଉ ମିଳୁନି । ସେହିଭଳି ଅତ୍ୟାଧୁନିକ କୃଷି ଯନ୍ତପାତି ହାରର୍ଭେଷ୍ଟର ସାହାଯ୍ୟରେ ଧାନକଟା ହେଉଥିବାରୁ ପାଳ ଗୁଣ୍ଡ ହୋଇଯାଉଛି । ଚାଷୀ ଧାନ ଫସଲ ଅମଳ ପରେ ମୁଗ ଚାଷ ନିମନ୍ତେ ବିଲକୁ ଚଷିବା ପାଇଁ ଉକ୍ତ ଗୁଣ୍ଡ ପାଳ କୁଟା ସବୁକୁ ନିଆଁ ଲଗେଇ ପୋଡି ଦେଉଥିବା ଦୃଶ୍ୟମାନ ହେଉଛି । ଗାଇ ଗୋରୁ ପାଇଁ ଆଉ ପାଳ ଗଣ୍ଡାକ ମଧ୍ୟ ମିଳୁନି । ଏଣୁ ଚାଷୀ ପାଇଁ ଗୋ ପାଳନ କରିବା ଏକ ସମସ୍ୟା ହୋଇ ଗଲାଣି । ଯେଉଁ ଚାଷୀ ୧୦ ରୁ ୨୦ ଲିଟର କ୍ଷୀର ଦୈନିକ ବିକୁଥିଲା । ସେ ଏବେ କ୍ଷୀର ମୁନ୍ଦିକ ପାଇଁ ବ୍ୟାକୁଳ ହେଉଛି । ଏଭଳି ପରିସ୍ଥିତିରେ ମଧ୍ୟ କିଛି ଚାଷୀ ସମସ୍ୟା ବହୁଳ ଗୋପାଳନକୁ ଏଯାଏଁ ଛାଡି ନାହାନ୍ତି । ଏଭଳି ଏକ ଚାଷୀ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ଭାନପୁର ଗ୍ରାମରେ ଦେଖିବାକୁ ମିଳିଛି । ଏବେବି ନିଜ ଗୁହାଳରେ ୫୦ ରୁ ଉର୍ଦ୍ଧ୍ୱ ଗାଈ ପାଳନ କରି ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଚାଷୀ । ସମସ୍ତେ ବିଲରେ ଧାନ କାଟିବା ପାଇଁ ହାରର୍ଭେଷ୍ଟର ଯନ୍ତର ବ୍ୟବହାର କରୁଥିବା ବେଳେ ନିଜ ପାଳିତ ଗାଈ ଗୋରୁଙ୍କୁ ଆଖି ଆଗରେ ରଖି ମୂଲିଆ ଲଗେଇ ଧାନକାଟି ଗାଈ ପାଇଁ ପାଳ ଗଣ୍ଡାକ ସାଇତି ରଖୁଛନ୍ତି । ରାସାୟନିକ ସାର ବଦଳରେ ଗାଈର ଗୋବରକୁ କମ୍ପୋଷ୍ଟ ଖତ ଭାବରେ ବ୍ୟବହାର କରି ରାସାୟନିକ ସାର ମୁକ୍ତ ଧାନ ଉତ୍ପନ୍ନ କରୁଥିବା ଦେଖିବାକୁ ମିଳୁଛି ।