ଜଗଦୀଶ ନାଏକ
ଓଡ଼ିଆ ଚାଷୀ ପ୍ରବଳ ଧର୍ମ ବିଶ୍ବାସୀ। କର୍ମକୁ ଧର୍ମ ଭାବରେ ଗ୍ରହଣକରି ସେ ବର୍ଷସାରା କ୍ଷେତରେ କଠୋର ପରିଶ୍ରମ କରି ଫସଳ ଉପୁଜାଇ ପରିବାର ପ୍ରତିପୋଷଣ କରିଥାଏ। ସେ କେତେବେଳେ କୃଷି କ୍ଷେତ୍ରରେ ହଳ କରୁଥାଏ ତ କେତେବେଳେ ମଇ ଦେଉଥାଏ। ସେହି ସମୟରେ ଚାଷୀର ମଧୁଝରା କଣ୍ଠରୁ ଝରି ପଡୁଥାଏ ମହୁଠାରୁ ଆହୁରି ମିଠା ହଳିଆ ଗୀତ। ପ୍ରାୟତଃ ହଳ କରୁଥିବା ସମୟରେ ଚାଷୀ ଏହାକୁ ଗାନ କରୁଥିବାରୁ ଏହି ଗୀତକୁ ହଳିଆ ଗୀତ ବା କୃଷକ ଗୀତିକା ବୋଲି କୁହା ଯାଇଥାଏ। ହଳିଆ ଗୀତ ଓଡ଼ିଶାର ଏକ ଅନନ୍ୟ ଲୋକଗୀତ। ଏହି ଗୀତ ମାଧ୍ୟମରେ ଚାଷୀ ନିଜ ମନ ଗହନର କଥାକୁ ଗୀତ ମାଧ୍ୟମରେ ପ୍ରକାଶ କରିଥାଏ। ବର୍ତ୍ତମାନ ଆଧୁନିକତାର ସ୍ପର୍ଶରେ କୃଷି ପଦ୍ଧତି ବଦଳିଛି। ଆଗପରି ଆଉ ବଳଦ ନାହିଁ କି ଦେଶୀ ନଙ୍ଗଳରେ ଚାଷ ହେଉନାହିଁ। ବଳଦ ଓ ନଙ୍ଗଳର ସ୍ଥାନ ନେଇ ଯାଇଛନ୍ତି ଟ୍ରାକ୍ଟର, ପାଓ୍ବାର ଟିଲର ପରି ଯନ୍ତ୍ରପାତି। ପୂର୍ବରୁ କୃଷି କ୍ଷେତ୍ରରେ ବଳଦ ଓ ପଣ୍ଡା ସାହାଯ୍ୟରେ ହଳ କରୁଥିଲା ଚାଷୀ। ଏବେ କାଁ ଭାଁ ଯାଗାରେ ବଳଦ ଦ୍ବାରା ଚାଷ ହେଉଛି। ତେଣୁ ଆଉ ଶୁଭୁନାହିଁ ହଳିଆ ଗୀତ। ପୂର୍ବେ ହଳିଆ ଗୀତ ଗ୍ରାମ୍ୟ ପରିବେଶକୁ ମୁଖରିତ କରି ରଖୁଥିଲା। ଏହି ଗୀତ ମାଧ୍ୟମରେ ଧର୍ମ କର୍ମ, ପ୍ରେମ ପ୍ରଣୟ, ଜନଜୀବନର ଅକୁହା କଥା, ପଶୁପକ୍ଷୀ, ଡଙ୍ଗର ପର୍ବତ ଓ ପ୍ରକୃତିର ସୁନ୍ଦର ଚିତ୍ର ପ୍ରଦାନ କରୁଥିଲା ଚାଷୀ। ଓଡ଼ିଆ ସାହିତ୍ୟର ଲୋକଗୀତ ଭଣ୍ଡାରକୁ ଋଦ୍ଧିମନ୍ତ କରିବାରେ କୃଷକ ଗୀତିକାର ଅବଦାନ ଅତୁଳନୀୟ। ବର୍ତ୍ତମାନ ଏହି ଅନନ୍ୟ ଲୋକଗୀତ ଧିରେ ଧିରେ ଜନମାନସରୁ ହଜିଯିବାକୁ ବସିଛି। ତେଣୁ ଏହାର ସଂରକ୍ଷଣ ଜରୁରୀ ହୋଇ ପଡିଛି।