ସମାଜସେବାରେ ଆଲୋକ ବର୍ତ୍ତିକା: ଦଣ୍ଡପାଟ ଯୁବ ସେବା ସଂଗଠନ

ସମାଜ ତଥା ଦେଶକୁ ଏକ ନୂତନ ଦିଶା ଦେବା ପାଇଁ ଦେଶର ଯୁବ ଶକ୍ତି ହେଉଛି ସବୁଠାରୁ ବଡ଼ ସାଧନ। ଆଜିର ଭାରତ ହେଉଛି ଯୁବ ଭାରତ। କାରଣ ଆମ ଦେଶରେ ସର୍ବାଧିକ ସଂଖ୍ୟକ ଯୁବକ ଯୁବତୀ ଅଛନ୍ତି, ଯେଉଁମାନେ ଯେକୌଣସି ଅସମ୍ଭବକୁ ସମ୍ଭବରେ ପରିଣତ କରିବାର ସାମର୍ଥ୍ୟ ରଖନ୍ତି। ଦେଶର ସ୍ୱାର୍ଥରେ ଏମାନେ କାର୍ଯ୍ୟ କଲେ ଏକ ସୁନ୍ଦର ଓ ସୁସ୍ଥ ଭାରତ ନିର୍ମାଣ ହେବ। ତାଙ୍କରି ଉଦ୍ୟମରେ ସମାଜରେ ବ୍ୟାପ୍ତ ଅସମାନତା, ନିରକ୍ଷରତା, ଅପରାଧ, ବେକାରୀ ସମସ୍ୟା ଆଦିର ମୂଳୋତ୍ପାଟନ କରିପାରିବେ। ଯୁବପିଢ଼ି କେବଳ ନିଜର ନୁହେଁ ବରଂ ଏକ ଜାତିର ଭବିଷ୍ୟତ ମଧ୍ୟ ସ୍ଥିର କରିପାରିବେ।

ଏହି କଥାକୁ ହୃଦୟଙ୍ଗମ କରି, ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି କଳାହାଣ୍ଡିର କିଛି ଯୁବକ ଯୁବତୀ। ଜନ୍ମମାଟି ପାଇଁ କିଛି କରିବାର ମୋହରେ ଗଠନ କରିଛନ୍ତି ଦଣ୍ଡପାଟ ଯୁବ ସେବା ସଂଗଠନ, ଯାହାକି ଏବେ ସମାଜସେବା କ୍ଷେତ୍ରରେ ଏକ ଆଲୋକ ବର୍ତ୍ତିକା ସାଜିଛି। ଜିଲ୍ଲାର ସାମଗ୍ରିକ ବିକାଶକୁ ନେଇ ବିଶେଷକରି ଦଣ୍ଡପାଟ ଅଂଚଳର ସର୍ବାଙ୍ଗୀନ ଉନ୍ନତି ଚିନ୍ତା କରି ଏହି ଅଂଚଳର ୧୬ଜଣ ଯୁବକ ଯୁବତୀ ମିଶି ଆରମ୍ଭ କରିଛନ୍ତି ଏହି ସଂଗଠନ।

ଦଣ୍ଡପାଟ ଅଂଚଳରେ ଆମ୍ବୁଲାନ୍ସ ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାର ସୂକ୍ଷ୍ମ ପ୍ରୟାସ ସ୍ୱରୂପ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ, ମୁଣ୍ଡୁରାଗୁଡା ସହଯୋଗରେ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ‘ଆମ୍ବୁଲାନ୍ସ ସେବା’ ଆରମ୍ଭ କରାଯାଇଛି, ଯାହାକି ଅଂଚଳର ଗରିବ ଅସହାୟ ରୋଗୀମାନଙ୍କ ପାଇଁ ବରଦାନ ପାଲଟିଛି। ଲୋକେ ସୁଲଭ ମୂଲ୍ୟରେ ଡାକ୍ତରଖାନା ପହଂଚି ଉପକୃତ ହେଉଛନ୍ତି।

ମହିଳାମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ସେମାନେ ସଶକ୍ତ ହେଲେ ପରିବାର ଓ ସମାଜ ସଶକ୍ତ ହେବ। ବେରୋଜଗାର ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ଜନଶିକ୍ଷଣ ସଂସ୍ଥା କଳାହାଣ୍ଡି ସହଯୋଗରେ ସଂଗଠନ ପକ୍ଷରୁ ବେହେରା ଠାରେ ଆରମ୍ଭ କରାଯାଇଛି ସିଲେଇ ପ୍ରଶିକ୍ଷଣ ଓ ଉତ୍ପାଦନ କେନ୍ଦ୍ର। ଏହା ଦଣ୍ଡପାଟ ଅଂଚଳର ଦାଦନ ଓ ବେକାରୀ ସମସ୍ୟାକୁ ଅନେକାଂଶରେ ହ୍ରାସ କରିପାରିଛି। ଏହି ଅଂଚଳର ଅନେକ ଯୁବତୀ ବିଭିନ୍ନ ରାଜ୍ୟକୁ ଯାଇ କାର୍ଯ୍ୟ କରୁଥିବା ବେଳେ ଏବେ ସେମାନେ ଘରମୁହାଁ ହୋଇଛନ୍ତି। ସିଲେଇ ଶିଖି ସେମାନେ ନିୟମିତ ରୋଜଗାର ପାଉଛନ୍ତି। ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସଚେତନ ଓ ସ୍ୱାବଲମ୍ବୀ କରାଇବାକୁ ‘ମହିଳା ସଚେତନତା ସମାବେଶ’ ଆୟୋଜନ କରି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ଦାଦନ ଓ ବେକାରୀ ସମସ୍ୟା ଦୂର କରିବାର ଅନ୍ୟ ଏକ ପ୍ରକୃଷ୍ଟ ମାଧ୍ୟମ ହେଉଛି ଶିଳ୍ପ। ଏହାକୁ ଦୃଷ୍ଟିରେ ରଖି ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସଚେତନ କରାଇବାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସହଯୋଗରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସରକାରଙ୍କ ଏମ୍ଏସ୍ଏମ୍ଇ ସମ୍ବନ୍ଧୀୟ ଜନହିତକାରୀ ଯୋଜନା ବିଷୟରେ ଅବଗତ କରାଯାଉଛି।

ସ୍ୱାସ୍ଥ୍ୟ ହିଁ ସମ୍ପଦ। “ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ” ଉକ୍ତିର ଯଥାର୍ଥତାକୁ ନେଇ ସଂଗଠନ ପକ୍ଷରୁ ପ୍ରତିବର୍ଷ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରାଯିବା ସହ ଜନସାଧାରଣଙ୍କୁ ଯୋଗ ମାଧ୍ୟମରେ ନିରୋଗ ରହିବାର ସୂତ୍ର ଶିକ୍ଷା ଦିଆଯାଉଛି।

ଛାତ୍ରଶକ୍ତି ହେଉଛି ରାଷ୍ଟ୍ରଶକ୍ତି। ଛାତ୍ରଶକ୍ତିର ରଚନାତ୍ମକ ଓ ଗୁଣାତ୍ମକ ବିକାଶ କରାଇବା ଉଦ୍ଦେଶ୍ୟରେ ସଂଗଠନ ପକ୍ଷରୁ ‘ଶିକ୍ଷା ଚେତନା କାର୍ଯ୍ୟକ୍ରମ’ ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି। ସେହିପରି ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ନିଜ ନିଜ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅର୍ଜନ କରିଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିବା ପାଇଁ ‘ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାବେଶ’ ଆୟୋଜନ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି।

ସମାଜର ତଳ ସ୍ତରର ଲୋକଙ୍କ ସେବା ପାଇଁ ଦଣ୍ଡପାଟ ଯୁବ ସେବା ସଂଗଠନ ପ୍ରତିଶ୍ରୁତିବଦ୍ଧ ଅଛି। ପବିତ୍ର ଗଣପର୍ବ ନୂଆଖାଇ ଅବସରରେ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଆରମ୍ଭ ହୋଇଛି ‘ଅମୃତ ମାତୃ ପିତୃ ସେବା’ କାର୍ଯ୍ୟକ୍ରମ। ଏଥିରେ ଗରିବ ଅସହାୟ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଶାଢ଼ୀ, ଧୋତି, ଗାମୁଛା ଆଦି ନୂତନ ବସ୍ତ୍ର ପ୍ରଦାନ କରାଯାଉଛି। ସେହିଭଳି ସମାଜରେ ଶାନ୍ତି, ଏକତା, ମୈତ୍ରୀ, ସଂହତି ଓ ସମୃଦ୍ଧିର ବାର୍ତ୍ତାକୁ ନେଇ ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ପୁଣ୍ୟତିଥି ଅବସରରେ ‘ସାମାଜିକ ସମରସତା ଅଭିଯାନ’ ଆୟୋଜିତ ହେଉଛି। ଏଥିରେ ଶହ ଶହ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଉଛି।

ଏଭଳି ଅନେକ ସଚେତନାତ୍ମକ, ରଚନାତ୍ମକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ଦଣ୍ଡପାଟ ଯୁବ ସେବା ସଂଗଠନ ଏକ ଉଦାହରଣ ସୃଷ୍ଟି କରିପାରିଛି।

ସଂଗଠନର କର୍ମକର୍ତ୍ତା

ରଜତ ବଂଶଲ – ସଂଯୋଜକ
ଭବେଶ ଗଇଁତା – ସଭାପତି
ତରେଶ କୁମାର ବିଶି – ଉପ ସଭାପତି
ଭୁଜବଳ ନାଏକ – ସମ୍ପାଦକ
ଶୁଶିଳ ଚନ୍ଦ୍ର ନାଗ – ସହ ସମ୍ପାଦକ
ଭିକାରୀ ଚରଣ ଗୋପାଳ – କୋଷାଧ୍ୟକ୍ଷ
ରିଙ୍କୁ ବିଶି – କାର୍ଯ୍ୟକାରୀ ସଦସ୍ୟ
ରୂପେଶ ନାଏକ – କାର୍ଯ୍ୟକାରୀ ସଦସ୍ୟ
ହେମାଳ ବିଶି – ସଦସ୍ୟ
ଈଶ୍ୱର ବାଣୁଆ – ସଦସ୍ୟ
ସୁଚିତ୍ରା ଗୋପାଳ – ସଦସ୍ୟା
ଟିକେଶ୍ବର ଭୋଇ – ସଦସ୍ୟ
ତ୍ରିଲୋକନାଥ ସିଂ – ସଦସ୍ୟ
ରଙ୍ଗାଧର ନାଗ – ସଦସ୍ୟ
କ୍ଷୀରସିନ୍ଧୁ ବାଣୁଆ – ସଦସ୍ୟ
କ୍ଷୀରସିନ୍ଧୁ ବାଗ – ସଦସ୍ୟ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.